November 13, 2026

ସମ୍ବଲପୁର ଜିଲ୍ଲାର ଧନକଉଡ଼ା ବ୍ଲକରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା–୨୦୨୬ ଅନୁଷ୍ଠିତ

IMG-20261113-WA0048
Share

 

ସମ୍ବଲପୁର: ଧନକଉଡ଼ା ବ୍ଲକର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ, ସ୍ଥାନୀୟ ଗୋଶାଳାସ୍ଥିତ ଆର୍‌ଏମ୍‌ସି (RMC) ପରିସରରେ ବ୍ଲକସ୍ତରୀୟ ‘ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା–୨୦୨୬’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ମେଳାରେ ୪୫୦ରୁ ଊର୍ଦ୍ଧ୍ୱ ହିତାଧିକାରୀ, ମତ୍ସ୍ୟଚାଷୀ, ପ୍ରାଣୀପାଳକ, ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା, ଛାତ୍ରଛାତ୍ରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ।

 

ମେଳାର ଉଦ୍‌ଘାଟନୀ ସମାରୋହରେ ରେଙ୍ଗାଲିର ମାନ୍ୟବର ବିଧାୟକ ଶ୍ରୀ ସୁଦର୍ଶନ ହରିପାଲ, ରେଙ୍ଗାଲିର ମାନ୍ୟବର ପୂର୍ବତନ ବିଧାୟକ ଶ୍ରୀ ନାଉରୀ ନାୟକ, ଚିପିଲିମାସ୍ଥିତ ପଶୁ ପ୍ରଜନନ ଫାର୍ମର ଯୁଗ୍ମ ନିର୍ଦ୍ଦେଶକ ଡଃ ରାଜୀବ ଶର୍ମା ଏବଂ ସମ୍ବଲପୁରର ମୁଖ୍ୟ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ପୁଲିନ କୁମାର ମହାନ୍ତି ଅତିଥି ଭାବେ ଯୋଗଦେଇ ମେଳାକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନ ପୂର୍ବରୁ ଅତିଥିମାନଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ସମ୍ପନ୍ନ ହୋଇଥିଲା।

 

ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମତ୍ସ୍ୟଚାଷ, ପ୍ରାଣୀପାଳନ ଓ କୃଷି-ଆନୁଷଙ୍ଗିକ କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ, ବୈଜ୍ଞାନିକ ପଦ୍ଧତି, ସରକାରୀ ଯୋଜନା ଓ ଜୀବିକାଭିତ୍ତିକ ସୁଯୋଗ ସମ୍ପର୍କରେ ଚାଷୀ ଓ ହିତାଧିକାରୀମାନଙ୍କୁ ସଚେତନ କରିବା। ଏଥିସହିତ ବିଭିନ୍ନ ବିଭାଗର ସେବା ଓ ଯୋଜନାଗୁଡ଼ିକୁ ଗୋଟିଏ ସ୍ଥାନରେ ଉପଲବ୍ଧ କରାଇବା ଏହି ମେଳାର ଅନ୍ୟତମ ଲକ୍ଷ୍ୟ ଥିଲା।

 

ମେଳା ପରିସରରେ ମୋଟ ୧୫ଟି ଷ୍ଟଲ୍‌ ଖୋଲାଯାଇଥିଲା। ଏଥିମଧ୍ୟରେ ମତ୍ସ୍ୟ ବିଭାଗ ପକ୍ଷରୁ ୪ଟି, ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ୪ଟି, କୃଷି ବିଭାଗର ୧ଟି, ଉଦ୍ୟାନ କୃଷି ବିଭାଗର ୧ଟି, ମିଶନ ଶକ୍ତିର ୧ଟି, ମହିଳା ଓ ଶିଶୁ ବିକାଶ ବିଭାଗର ୧ଟି, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ୧ଟି,  ଚାଷୀ ମାନଙ୍କ ପଞ୍ଜୀକରଣ ପାଈଁ ୧ଟି ଷ୍ଟଲ ଏବଂ ଓମ୍‌ଫେଡ୍‌ ପକ୍ଷରୁ ୧ଟି ଷ୍ଟଲ୍‌ ରହିଥିଲା। ଏହି ଷ୍ଟଲ୍‌ଗୁଡ଼ିକ ମାଧ୍ୟମରେ ବିଭିନ୍ନ ବିଭାଗର ଯୋଜନା, କାର୍ଯ୍ୟକ୍ରମ, ଉତ୍ପାଦ ଓ ନୂତନ ଜ୍ଞାନକୌଶଳ ସମ୍ପର୍କରେ ଉପସ୍ଥିତ ଚାଷୀ ଓ ହିତାଧିକାରୀମାନଙ୍କୁ ଅବଗତ କରାଯାଇଥିଲା।

 

ଏହି ମେଳାର ଅନ୍ୟତମ ଆକର୍ଷଣ ଥିଲା ବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ। ପ୍ରାୟ ୫୦ ଜଣ ପାଖରେ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ ମେଳାରେ ଯୋଗଦେଇ ବିଭିନ୍ନ ବିଭାଗର ଷ୍ଟଲ୍‌ ପରିଦର୍ଶନ କରିବା ସହ ମତ୍ସ୍ୟଚାଷ, ପ୍ରାଣୀପାଳନ, କୃଷି, ଉଦ୍ୟାନ କୃଷି ଓ ଅନ୍ୟାନ୍ୟ ଜୀବିକାଭିତ୍ତିକ କାର୍ଯ୍ୟକଳାପ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ।

 

କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ, ସମ୍ବଲପୁରର ଉପନିର୍ଦ୍ଦେଶକ ଡଃ. କ୍ଷୀରୋଦ ଚନ୍ଦ୍ର ପଟେଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଧନକଉଡ଼ା ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀ ବିଶ୍ୱଜିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

 

ମେଳାରେ ଯୋଗଦେଇଥିବା ସମସ୍ତ ହିତାଧିକାରୀ, ଚାଷୀ, ଛାତ୍ରଛାତ୍ରୀ ଓ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଜଳଖିଆ, ଚା’ ଓ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା।

 

ବିଭିନ୍ନ ବିଭାଗର ସମନ୍ୱିତ ଉଦ୍ୟମ, ଚାଷୀଙ୍କ ସକ୍ରିୟ ଅଂଶଗ୍ରହଣ ଓ ଛାତ୍ରଛାତ୍ରୀଙ୍କ ଉତ୍ସାହପୂର୍ଣ୍ଣ ଉପସ୍ଥିତି ଯୋଗୁଁ ଧନକଉଡ଼ା ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା–୨୦୨୬ ଏକ ସଫଳ ଓ ସୂଚନାଭିତ୍ତିକ କାର୍ଯ୍ୟକ୍ରମ ଭାବେ ପରିଗଣିତ ହୋଇଥିଲା।