ଡଃ ପ୍ରଭାବତୀ ଦେବୀଙ୍କ ୨୮ତମ ଶ୍ରାଦ୍ଧବାର୍ଷିକୀ ପାଳିତ ଦେଶସେବା ଓ ଶିଶୁ କଲ୍ୟାଣ ପ୍ରତି ତାଙ୍କର ଅବଦାନ ଅତୁଳନୀୟ

ରକ୍ତଦାନ ଓ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ
ସମ୍ବଲପୁର, ୧୩. ୧୧: ମହାନ ତ୍ୟାଗ, ସେବା ଓ ମାନବିକତାର ପ୍ରତୀକ ସ୍ୱର୍ଗତ ଡଃ ପ୍ରଭାବତୀ ଦେବୀଙ୍କ ୨୮ତମ ଶ୍ରାଦ୍ଧବାର୍ଷିକୀ ମଧ୍ୟାହ୍ନରେ ସମ୍ବଲପୁର ଜିଲ୍ଲାର ଛଚାନପାଲିସ୍ଥିତ ଋକ୍ମିଣୀ ଲାଠ ବାଲନିକେତନ ପରିସରରେ ଶ୍ରଦ୍ଧା ଓ ଭାବପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି।
ଏହି ଅବସରରେ ପ୍ରଥମେ ଅତିଥି ଓ ଉପସ୍ଥିତ ବ୍ୟକ୍ତିବିଶେଷ ଡଃ ପ୍ରଭାବତୀ ଦେବୀଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ୱଳନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ଏହି ସ୍ମୃତିସଭାରେ ଯୁବନେତ୍ରୀ ଶୁଭଶ୍ରୀ ମିଶ୍ର ମୁଖ୍ୟ ଅତିଥି, ବରିଷ୍ଠ ସାମ୍ବାଦିକ ସୁବାଷ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ ଧମା ଥାନା ଅଧିକାରୀ ଶ୍ରୀମତୀ ମମତା ମିଶ୍ର
ସମ୍ବଲପୁର ଶିଶୁ ମଙ୍ଗଳ ସମିତିର ସଦସ୍ୟ ଡା. ରାଜାରାମ ଷଡ଼ଙ୍ଗୀ, ଡାକ୍ତର ପ୍ରତାପ ନାୟକ ଏବଂ ମାନେଶ୍ୱର ବ୍ଲକର ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ଅନୁଷ୍ଠାନର ଉପାଧ୍ୟକ୍ଷ ରାମଚନ୍ଦ୍ର କର ଯୋଗଦେଇଥିଲେ।
ବକ୍ତାମାନେ ନିଜ ନିଜର ଅଭିଭାଷଣରେ ଡଃ ପ୍ରଭାବତୀ ଦେବୀଙ୍କ ଜୀବନାଦର୍ଶ, ସ୍ୱାଧୀନତା ସଂଗ୍ରାମ ପ୍ରତି ଅବଦାନ, ଦେଶସେବା ଓ ସମାଜ ପ୍ରତି ତାଙ୍କର ନିଷ୍ଠାପର ସମର୍ପଣ ଭାବକୁ ସ୍ମରଣ କରିଥିଲେ। ଏଥିସହ ଆଜିର ସମାଜରେ ଶିଶୁମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବାର ଆବଶ୍ୟକତା ଉପରେ ମତପ୍ରକାଶ କରିଥିଲେ। ଶିଶୁମାନଙ୍କୁ ଉପଯୁକ୍ତ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ନିରାପଦ ପରିବେଶ ଯୋଗାଇଦେବା କେବଳ ପରିବାରର ନୁହେଁ, ସମଗ୍ର ସମାଜର ସାମୂହିକ ଦାୟିତ୍ୱ ବୋଲି ସେମାନେ ମତ ଦେଇଥିଲେ।ଏହି ଅବସରରେ ଟଙ୍କଧର କହ୍ନେର,ମଣ୍ଟୁ ପ୍ରଧାନ, ଦେବାଶିଷ ମିଶ୍ର , ଦୀପକ ବିଶ୍ୱାଳଙ୍କୁ ତାଙ୍କର ସେବା ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।
ଶ୍ରାଦ୍ଧବାର୍ଷିକୀକୁ ସେବା ଓ ଜନକଲ୍ୟାଣ ସହିତ ଯୋଡ଼ିବା ଉଦ୍ଦେଶ୍ୟରେ ଏହି ଅବସରରେ ଏକ ରକ୍ତଦାନ ଶିବିର ଓ ଚକ୍ଷୁ ପରୀକ୍ଷା ଶିବିର ମଧ୍ୟ ଆୟୋଜିତ ହୋଇଥିଲା। ଏହି ପଦକ୍ଷେପ ମାଧ୍ୟମରେ ମାନବସେବା ହିଁ ଈଶ୍ୱର ସେବା ବୋଲି ଏକ ସାର୍ଥକ ବାର୍ତ୍ତା ପ୍ରଦାନ କରାଯାଇଥିଲା।ସଭାକୁ ସନ୍ତୋଷ ବାରିକ ସଂଯୋଜନା କରିଥିଲେ।ସ୍ମୃତିକୁ ଶ୍ରଦ୍ଧାଞ୍ଜଳି ଏବଂ ସେବାକୁ ସଂକଳ୍ପରେ ପରିଣତ କରିବାର ଏହି ଆୟୋଜନ ଡଃ ପ୍ରଭାବତୀ ଦେବୀଙ୍କ ମହାନ ଜୀବନାଦର୍ଶକୁ ପୁନର୍ବାର ସ୍ମରଣ କରାଇଥିଲା।ଶେଷରେ ତେଜରାଜ ପ୍ରଧାନ ଧନ୍ୟବାଦ ଦେଇଥିଲେ।
