November 13, 2026

ଗଜପତି:- ୭୦ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଭଲିବଲ୍ ପ୍ରତିଯୋଗିତାବ ଉଦ୍‌ଯାପିତ

IMG-20261113-WA0051
Share

ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ୍‌ସ୍ଥିତ ସରକାରୀ ଏସ୍‌.ଏସ୍‌.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଗତ ୪ ଦିନ ଧରି ଆୟୋଜିତ ହୋଇ ଚାଲିଥିବା ୭୦ତମ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ୧୪ ଓ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ଭଲିବଲ୍ ପ୍ରତିଯୋଗିତା ୨୦୨୬-୨୭ କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଯାଇଛି।

ଅକ୍ଟୋବର ୧୦ ତାରିଖରେ ଏହି ପ୍ରତିଯୋଗିତାର ଶୁଭାରମ୍ଭ ହୋଇଥିଲା। ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଖେଳାଳି ଦଳଗୁଡ଼ିକ ଆକର୍ଷଣୀୟ ମାର୍ଚ୍ଚପାଷ୍ଟ୍‌ରେ ଅଂଶଗ୍ରହଣ କରିଥିଲେ। ଅତିଥିମାନଙ୍କ ଦ୍ୱାରା ପତାକା ଉତ୍ତୋଳନ ଓ ଶପଥ ପାଠ ପରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା।

ଚାରିଦିନ ଧରି ଚାଲିଥିବା ଏହି କ୍ରୀଡ଼ା ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଖେଳାଳିମାନେ ନିଜର ଉତ୍କୃଷ୍ଟ ଖେଳ-କୌଶଳ ପ୍ରଦର୍ଶନ କରିଥିଲେ। ଆଜି ଅକ୍ଟୋବର ୧୩ ତାରିଖରେ ଫାଇନାଲ୍ ମ୍ୟାଚ୍ ସହ ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା।

ଚାରୋଟି ବିଭାଗର ଫଳାଫଳ ଅନୁଯାୟୀ, ୧୪ ବର୍ଷରୁ କମ୍ ବାଳକ ବିଭାଗରେ ଗଜପତି ଜିଲ୍ଲା ଚାମ୍ପିୟନ୍ ଓ ପୁରୀ ଜିଲ୍ଲା ଉପବିଜେତା ହୋଇଥିବା ବେଳେ ୧୪ ବର୍ଷରୁ କମ୍ ବାଳିକା ବିଭାଗରେ କଳାହାଣ୍ଡି ଚାମ୍ପିୟନ୍ ଓ ନୂଆପଡ଼ା ଉପବିଜେତା ହୋଇଛି। ସେହିପରି ୧୭ ବର୍ଷରୁ କମ୍ ବାଳକ ବିଭାଗରେ ପୁରୀ ଚାମ୍ପିୟନ୍ ଓ ବାଲେଶ୍ୱର ଉପବିଜେତା ହୋଇଥିବା ବେଳେ ୧୭ ବର୍ଷରୁ କମ୍ ବାଳିକା ବିଭାଗରେ ଭୁବନେଶ୍ୱର ଚାମ୍ପିୟନ୍ ଓ ଢେଙ୍କାନାଳ ଉପବିଜେତା ହୋଇଛନ୍ତି।

ଆଜିର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସ୍ଥାନୀୟ ଅତିରିକ୍ତ ତହସିଲଦାର ଶ୍ରୀ ଜଗନ୍ନାଥ ପାଢ଼ୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ରାୟଗଡ଼ ସ୍ଥିତ ଏସ୍‌.ଏସ୍‌.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସୁରେଶ ସାହୁକାର, କନ୍ଧମାଳ ଜିଲ୍ଲା କ୍ରୀଡ଼ା ଓ ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ସଞ୍ଜୟ କୁମାର ପାତ୍ର, ଗଜପତିର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଏସ୍‌. ଗିରିଧାରୀ ଏବଂ ଆର୍‌. ଉଦୟଗିରି ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ବୀରେନ୍ଦ୍ର ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ।

ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ବିଦ୍ୟାଳୟ ସ୍ତରରୁ ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ ସୁଯୋଗ ଓ ପ୍ରୋତ୍ସାହନ ଯୋଗାଇଦେବା ସହିତ ଭବିଷ୍ୟତରେ ରେ ଜଣେ ଜଣେ ଭଲ ଖେଳାଳୀ ହେବାକୁ ଆହ୍ବାନ କରିଥିଲେ । ସେହିପରି ଏଭଳି ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶୃଙ୍ଖଳା, ଦଳଗତ ମନୋଭାବ, ସହଯୋଗ ଓ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି କରିବାରେ ସହାୟକ ହୋଇଥାଏ ବୋଲି ମତ ଦେଇଥିଲେ।

ବିଜେତା ଓ ଉପବିଜେତା ଦଳଗୁଡ଼ିକୁ ଅତିଥିମାନେ ଟ୍ରଫି ଓ ପୁରସ୍କାର ପ୍ରଦାନ କରି ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମର ମଞ୍ଚ ପରିଚାଳନାରେ ରାୟଗଡ଼ ସ୍ଥିତ ଏସ୍‌.ଏସ୍‌.ଡି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ଏମ୍‌. ଭି. ଆପନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ପରିଶେଷରେ ଗଜପତି ଜିଲ୍ଲା ଭାରପ୍ରାପ୍ତ କ୍ରୀଡ଼ା ଓ ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ଆୟୋଜକ କମିଟି ପକ୍ଷରୁ ସମସ୍ତ ଅତିଥି, ଖେଳାଳି, ଶିକ୍ଷକ, ଅଧିକାରୀ ଓ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇଥିଲେ।

——————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

——————————————