ପାନପଲ୍ଲୀରେ ବେଆଇନ ଜୁଆ ଆସର ଉପରେ କୁଜଙ୍ଗ ପୁଲିସର ଚଢ଼ାଉ,୧୦ ଗିରଫ, ପୁଲିସକୁ ଆକ୍ରମଣ ଅଭିଯୋଗ
କୁଜଙ୍ଗ ,
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଧୀନ ପାନପଲ୍ଲୀ ଗ୍ରାମରେ ଚାଲୁଥିବା ଏକ ବେଆଇନ ଜୁଆ ଆସର ଉପରେ କୁଜଙ୍ଗ ପୁଲିସ ବୁଧବାର ରାତିରେ ଚଢ଼ାଉ କରି ୧୦ ଜଣଙ୍କୁ ଗିରଫ କରିଛି । ଏହି ଘଟଣା କୁଜଙ୍ଗ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ପୁଲିସ ସୂଚନାନୁସାରେ, ପାନପଲ୍ଲୀ ଗ୍ରାମର ଏକ ଘରେ ଟଙ୍କା ପଣ ରଖି ଟିନ୍ ପତ୍ତି ଜୁଆ ଖେଳ ଚାଲୁଥିବା ନେଇ ବିଶ୍ୱସ୍ତ ସୂତ୍ର ରୁ ଖବର ମିଳିଥିଲା । ଏହା ପରେ କୁଜଙ୍ଗ ଥାନା ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ସେଠାରେ ୧୦ ଜଣ ବ୍ୟକ୍ତି ଜୁଆ ଖେଳୁଥିବା ବେଳେ ଧରାପଡ଼ିଥିଲେ ।
ଚଢ଼ାଉ ବେଳେ ଅଭିଯୁକ୍ତମାନେ ପୁଲିସକୁ ବିରୋଧ କରିଥିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ । ଏହାସହ କିଛି ଅଭିଯୁକ୍ତ ବାସନ କୁସନ ଫିଙ୍ଗି ପୁଲିସ କର୍ମ ଚାରୀଙ୍କୁ ଆକ୍ରମଣ କରିଥିବାରୁ କିଛି ପୁଲିସ କର୍ମଚାରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରୁ ପୁଲିସ ୮୪ ହଜାର ୯୩୦ ଟଙ୍କା ନଗଦ, ୧୦ଟି ମୋବାଇଲ ଫୋନ, ୩୦ ଡେକ୍ ତାସ, ୩ଟି ଦୁଇଚକିଆ ଯାନ, ୩ଟି ୱାଲେଟ, ଏକ ସବୁଜ ପ୍ଲାଷ୍ଟିକ ସିଟ୍ ଓ ଏକ ଧୂସର ଦରି ଜବତ କରିଛି । ପୁଲିସ ତଦନ୍ତରୁ ରାଜକିଶୋର ସ୍ୱାଇଁ ଉକ୍ତ ଜୁଆ ଆସରର ମୁଖ୍ୟ ଆୟୋଜକ ବୋଲି ଜଣାପଡ଼ିଛି । ଗିରଫ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ବେଆଇନ ଜୁଆ ଚାଲାଣ ଓ ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ସମ୍ପର୍କିତ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି । ସମସ୍ତଙ୍କୁ ଗୁରୁବାର ଦିନ ମାନ୍ୟବର ଅଦାଲତକୁ ପଠା ଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି ବୋଲି କୁଜଙ୍ଗ ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି । ( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
