August 14, 2026

ମାଲକାନଗିରି ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ପୋଶ୍ ଆଇନ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20260813-WA0068
Share

 

ମାଲକାନଗିରି,

 

ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ, ମାଲକାନଗିରିଙ୍କ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ କାର୍ଯ୍ୟସ୍ଥଳରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନ (ନିରୋଧ, ନିଷେଧ ଓ ପ୍ରତିକାର) ଆଇନ, ୨୦୧୩ ଉପରେ ଏକ ବ୍ୟାପକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟସ୍ଥଳରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନ ନିରାକରଣ, ମହିଳାଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି ତଥା ନିଷେଧ ଆଇନର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଜ୍ଞାନ ବୃଦ୍ଧି ନିମନ୍ତେ ଏହି ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିଲ। ।

ଏହି ପ୍ରଶିକ୍ଷଣ ଶିବିରରେ ଉକ୍ତ ଆଇନର ପରିଚୟ ଓ ଉଦ୍ଦେଶ୍ୟ, ଯୌନ ଉତ୍ପୀଡ଼ନର ପରିଭାଷା, କାର୍ଯ୍ୟସ୍ଥଳର ପରିସର, ଏବଂ କାର୍ଯ୍ୟସ୍ଥଳରେ ନିଯୁକ୍ତ ମହିଳାଙ୍କ ଅଧିକାର ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏଥିସହ ଅଭ୍ୟନ୍ତରୀଣ କମିଟି ଏବଂ ସ୍ଥାନୀୟ କମିଟି ଗଠନ, ଅଭିଯୋଗ ଦାଖଲ ପ୍ରକ୍ରିୟା, ଅଭିଯୋଗର ତଦନ୍ତ ପ୍ରକ୍ରିୟା, ଗୋପନୀୟତା ଓ ପୀଡ଼ିତାଙ୍କ ସୁରକ୍ଷା, ନିଯୁକ୍ତିଦାତାଙ୍କ ଦାୟିତ୍ୱ, ମିଥ୍ୟା ଅଭିଯୋଗ ସମ୍ବନ୍ଧୀୟ ବ୍ୟବସ୍ଥା, ଅଭିଯୋଗର ଫଳାଫଳ ଓ ପ୍ରତିକାର, ଆଇନରେ ନିରୋଧ, ନିଷେଧ ଓ ପ୍ରତିକାର ତଥା ସଚେତନତା ଓ ପ୍ରଶିକ୍ଷଣର ଗୁରୁତ୍ୱ ଉପରେ ମୁଖ୍ୟତଃ ଆଲୋଚନା ହୋଇଥିଲା।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ମାଲକାନଗିରି ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ମୁଖ୍ୟ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଏ. ଏମ୍. ଡ଼ି. ମାହାମାଦ ହୁସେନ, ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡାକ୍ତର ସୁରମା ଏବଂ ଆଇନଗତ ସହାୟକ ଅଧିକାରୀ ସୂର୍ଯ୍ୟ ନାରାୟଣ ମହାପାତ୍ର ପ୍ରମୁଖ ଯୋଗଦେଇ ଆଇନଗତ ଦିଗଗୁଡ଼ିକ ଉପରେ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜକ ଭାବେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁଚିତା ପଣ୍ଡା ଏବଂ ମମତା ଚୌଧରୀ ଦାୟିତ୍ୱ ତୁଲାଇଥିଲେ। ଏଥିସହ ଟି. ଜୟଲକ୍ଷ୍ମୀ, ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର ଜିଲ୍ଲା ସଂଯୋଜକ ମଣି ମୋହନ ସରକାର ଓ ଅନ୍ୟାନ୍ୟ କର୍ମଚାରୀ ତଥା ଜିଲ୍ଲା ସଂଯୋଜିକା ମୀନାକ୍ଷୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ।

ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସରକାରୀ ବିଭାଗ, ଶିକ୍ଷାନୁଷ୍ଠାନ, ସାମାଜିକ ସଂଗଠନ ଓ ସମ୍ପୃକ୍ତ ହିତାଧିକାରୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ଓନ୍ ଷ୍ଟପ୍ ସେଣ୍ଟର, ଶକ୍ତି ସଦନ, ମୁଖ୍ୟ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ, ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଥାନାର ଭାରପ୍ରାପ୍ତ ଅଧିକାରୀ ଓ ପୋଲିସ ପ୍ରତିନିଧିବୃନ୍ଦ, ତହସିଲଦାର ଓ ବିବାହ ପଞ୍ଜୀକରଣ ଅଧିକାରୀ, ଯୁବ ଓ ଛାତ୍ର ସଂଗଠନ, ପରିବର୍ତ୍ତନ ଏବଂ ପୁଷ୍ପକ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟବୃନ୍ଦ, ମାଲକାନଗିରି କଲେଜ, ସରକାରୀ ମହିଳା ମହାବିଦ୍ୟାଳୟ, ସରକାରୀ ମଡେଲ୍ ଡିଗ୍ରୀ କଲେଜର ସଦସ୍ୟ ଏବଂ ଜିଲ୍ଲାର ଅନ୍ୟାନ୍ୟ ସମ୍ପୃକ୍ତ ସମସ୍ତ କାର୍ଯ୍ୟାଳୟର ପ୍ରତିନିଧିଗଣ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

You may have missed