କାନପୁରର ସୁରକ୍ଷା ପାଇଁ ତତ୍ପର ଜଳସମ୍ପଦ ବିଭାଗ ସାଳନ୍ଦୀ ନଦୀ ଅତଡ଼ା ଖସୁଥିବା ସ୍ଥାନ ପରିଦର୍ଶନ କଲେ ଅଧିକାରୀ ..
ହାଟଡିହି ତା ୧୨/୯(ମନମୋହନ ନାୟକ) : ହାଟଡିହି ବ୍ଲକ ସୋସୋ ପଞ୍ଚାୟତ ଅନ୍ତର୍ଗତ କାନପୁର ଗ୍ରାମର ଦକ୍ଷିଣ ପାର୍ଶ୍ୱରେ ସାଳନ୍ଦୀ ନଦୀ ଅତଡ଼ା ବାରମ୍ବାର ଖସୁଥିବାରୁ ଗ୍ରାମବାସୀଙ୍କ ଘର, ପାଇଖାନା, ଗୁହାଳ ଘର ଆଦି କ୍ଷତିଗ୍ରସ୍ତ ହେଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜଳସମ୍ପଦ ବିଭାଗ ତତ୍ପର ହୋଇଛି। ପ୍ରଥମ ପର୍ଯ୍ୟାୟରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଘରଗୁଡ଼ିକର ଆଂଶିକ ସୁରକ୍ଷା ପାଇଁ ନଦୀ ଅତଡ଼ାରେ ମାଟି ପକାଇ କେତେକ ସ୍ଥାନକୁ ସମତୁଲ କରାଯାଉଥିଲା। ତେବେ ଏହାର ସ୍ଥାୟୀ ସମାଧାନ ପାଇଁ ସାଳନ୍ଦୀ ବିକାଶ ପରିଷଦ ସମେତ ଗ୍ରାମବାସୀ ଦୀର୍ଘଦିନ ଧରି ଦାବି କରିଆସୁଥିଲେ। ଏହି ସମସ୍ୟାକୁ ନେଇ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନା ମଧ୍ୟ କାନପୁର ଗ୍ରାମ ପରିଦର୍ଶନ କରି ତୁରନ୍ତ ପଦକ୍ଷେପ ନେବାକୁ ଉପଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଉପଜିଲ୍ଲାପାଳଙ୍କ ଉଦ୍ୟମ ପରେ ଜଳସମ୍ପଦ ବିଭାଗ ଏବେ ଏହି ସମସ୍ୟାର ସମାଧାନ ଦିଗରେ ଅଣ୍ଟା ଭିଡ଼ିଛି। ଶନିବାର ଶାଳପଡ଼ା ଜଳସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ପ୍ରତାପ ଦାଶ ଏବଂ ଭୁବନେଶ୍ୱରରୁ ଆସିଥିବା ମୁଖ୍ୟଯନ୍ତ୍ରୀ (ଡିଜାଇନ) ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ସେମାନଙ୍କ ସହ ଭାରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ହିତେଶ ସାହୁ, ସହକାରୀ ଯନ୍ତ୍ରୀ ପୁରୁଷୋତ୍ତମ ମାରାଣ୍ଡି ଓ କନିଷ୍ଠ ଯନ୍ତ୍ରୀଙ୍କ ସମେତ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ। ଏହି ସମୟରେ ସାଳନ୍ଦୀ ବିକାଶ ପରିଷଦର ସମ୍ପାଦକ ବିଶ୍ୱରଞ୍ଜନ ପାଣିଗ୍ରାହୀଙ୍କ ସମେତ ଶତ୍ରୁଘ୍ନ ରାଉତ, ବିଜୟ ସାମଲ, ଲକ୍ଷ୍ମଣ ମହାପାତ୍ର, ସଦାଶିବ ଖମାରୀ, ଗୌରାଙ୍ଗ ରାଉତ, ପଦ୍ମନାଭ ବେହେରା, ପ୍ରଭୁପ୍ରସାଦ ବେହେରା, ଚିନ୍ତାମଣି ଦାସ, ଅପୂର୍ବ ମହାପାତ୍ରଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ସେମାନେ ଅଧିକାରୀମାନଙ୍କୁ ନଦୀ ଅତଡ଼ା ଖସିଥିବା ବିଭିନ୍ନ ସ୍ଥାନ ବୁଲାଇ ଦେଖାଇଥିଲେ। ସ୍ଥିତି ଅନୁଧ୍ୟାନ ପରେ ଅଧିକାରୀମାନେ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଆବଶ୍ୟକ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି।
