ହର ହର ମହାଦେବ ଧ୍ୱନିରେ ମୁଖରିତ ପଶ୍ଚିମେଶ୍ୱରଙ୍କ ପୀଠ, ଆସିଲେ ବହୁ ଶ୍ରଦ୍ଧାଳୁ କାଉଁଡିଆ..
ବୋଲଗଡ଼,୧୦/୦୮ଉପାନ୍ତ ଖବର) :ଶ୍ରାବଣ ମାସର ଦ୍ୱିତୀୟ ପାଳି ଅବସରରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପାଟବନ୍ଧ ପଶ୍ଚିମେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ବହୁ ଭିଡ଼ ଦେଖିବାକୁ ମିଳିଥିଲା। ନୟାଗଡ଼ ଜିଲ୍ଲା ବୈଦେଶ୍ୱର ଓ ପଦ୍ମାବତୀ ଘାଟରୁ ପବିତ୍ର ଜଳ ସଂଗ୍ରହ କରି ପ୍ରାୟ ୩୦ କି.ମି ପଥ ପାଦରେ ଅତିକ୍ରମ କରି କାଉଁଡିଆମାନେ ମନ୍ଦିରରେ ପହଞ୍ଚିଥିଲେ।କାଉଁଡିରେ ବେଲପତ୍ର, ଫୁଲ, ତ୍ରିଶୂଳ ଓ କଳସ ସଜାଇ ମହିଳା ଓ ପୁରୁଷ ଭକ୍ତମାନେ “ହର ହର ମହାଦେବ” ନାମ ଜପ କରି ମନ୍ଦିର ପରିସରେ ପ୍ରବେଶ କରିଥିଲେ। ରାତିରେ ମଧ୍ୟ କାଉଁଡିଆଙ୍କ ଆଗମନ ଜାରି ରହିଥିଲା। ବୈଦେଶ୍ୱର ପବିତ୍ର ଜଳରେ ପଶ୍ଚିମେଶ୍ୱରଙ୍କୁ ଅଭିଷେକ କଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି। ଏଥିପାଇଁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଏଠାକୁ ଆସିଥାନ୍ତି। ମନ୍ଦିର କମିଟିର ଜଣେ ସଦସ୍ୟ କୁହନ୍ତି, “ଆଜି ବହୁ ଶ୍ରଦ୍ଧାଳୁ କାଉଁଡିଆ ଆସିଥିଲେ। ଅନେକ ଗତକାଲି ରାତିରୁ ହିଁ ଚାଲି ଆସିଛନ୍ତି। ଭକ୍ତଙ୍କ ସୁବିଧା ପାଇଁ ମନ୍ଦିର ପରିସର ବିଜୁଳି ଆଲୋକରେ ସଜ୍ଜିତ ହୋଇଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରା ଯାଇଥିଲା।ମନ୍ଦିର କମିଟି ପକ୍ଷରୁ ଆଗାମୀ ପାଳିରେ ମଧ୍ୟ ଏହିପରି ଭକ୍ତଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। କମିଟି ତରଫରୁ ପିଇବା ପାଣି,ରହିବା, ଚିକିତ୍ସା ଓ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
