ଛତ୍ରପୁରରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତଲୋକପ୍ରିୟତା ଅପେକ୍ଷା କର୍ତ୍ତବ୍ୟବୋଧକୁ ଗୁରୁତ୍ୱ ଦେବା ଉପରେ ଗଞ୍ଜାମ ଜିଲ୍ଲାପାଳଙ୍କ ଆହ୍ୱାନ
ଛତ୍ରପୁର, ତା. ୧୬.୧୧.୨୬(ଅରୁଣ କୁମାର ପଣ୍ଡା )ଗଞ୍ଜାମ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଆଜି ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ‘ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ’ ଉପରେ ଆଲୋଚନା କରାଯାଇଥିଲା।ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାର ଜନସାଧାରଣଙ୍କ ହିତ ପାଇଁ ଗ୍ରହଣ କରୁଥିବା ବିଭିନ୍ନ ପଦକ୍ଷେପ ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ସାମ୍ବାଦିକମାନେ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିବା ସହ ସେମାନଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ। ଆଜିର ଡିଜିଟାଲ ଯୁଗରେ ନକାରାତ୍ମକ ଖବର ଶୀଘ୍ର ପ୍ରସାରିତ ହେଉଥିବାବେଳେ ସକାରାତ୍ମକ ଖବରକୁ ମଧ୍ୟ ସମାନ ଗୁରୁତ୍ୱର ସହ ଲୋକଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ। ଲୋକପ୍ରିୟତା ଅପେକ୍ଷା ସତ୍ୟନିଷ୍ଠା, ନିରପେକ୍ଷତା ଓ କର୍ତ୍ତବ୍ୟବୋଧକୁ ସାମ୍ବାଦିକତାର ମୂଳ ଆଧାର କରିବା ଉଚିତ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଗଞ୍ଜାମ ଜିଲ୍ଲାକୁ ବିକାଶର ପ୍ରତ୍ୟେକ କ୍ଷେତ୍ରରେ ଶୀର୍ଷସ୍ଥାନରେ ପହଞ୍ଚାଇବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଦେଶର ପ୍ରଗତି ଓ ସାମାଜିକ ପରିବର୍ତ୍ତନରେ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ଯୋଗୁଁ ଲୋକେ ଅତି ଅଳ୍ପ ସମୟରେ ଦେଶବିଦେଶର ଖବର ପାଇପାରୁଛନ୍ତି। ତେବେ ସୂଚନାର ଦ୍ରୁତ ପ୍ରସାର ସହ ତାହାର ସତ୍ୟତା ଓ ବିଶ୍ୱସନୀୟତା ବଜାୟ ରଖିବା ମଧ୍ୟ ଜରୁରୀ ବୋଲି ସେ ମତ ଦେଇଥିଲେ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଓ ଚଳିତ ବର୍ଷର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମରେ ଛତ୍ରପୁର ପ୍ରେସ୍ କ୍ଲବ୍ ସଭାପତି ସରୋଜ ସାମଲ, ସାଧାରଣ ସମ୍ପାଦକ ଅଜିତ ସ୍ୱାଇଁ, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ମହାରଣା, ସନ୍ତୋଷ ମିଶ୍ରଙ୍କ ସମେତ ଗଣମାଧ୍ୟମର ପ୍ରତିନିଧି ଓ ସାମ୍ବାଦିକ ବନ୍ଧୁମାନେ ଯୋଗଦେଇଥିଲେ।
