ଗଜପତି:- ଗୁଣାତ୍ମକ ମାମଲା ପରିଚାଳନା ପାଇଁ ପ୍ରଶଂସିତ ହେଲେ ଅଭିଯୋଜନ ଅଧିକାରୀ ଓ ଥାନାଧିକାରୀ :
————————–
ପୋଲିସ ଓ ସରକାରୀ ଓକିଲ ସମନ୍ୱୟ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ
——————————————
ବଢୁଥିବା ଅପରାଧକୁ କମ କରାଯାଇ କିପରି ସମାଜରେ ଶାନ୍ତି ପ୍ରତିଷ୍ଠା କରାଯାଇପାରିବ, ସେ କଥାକୁ ନଜରରେ ରଖି ଆଜି ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନାଙ୍କ ସଭାପତିତ୍ୱରେ ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ରାଣୀପେଣ୍ଠା ସ୍ଥିତ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ତଥା ସରକାରୀ ଓକିଲ ମାନଙ୍କର ଏକ ସମନ୍ୱୟ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଉକ୍ତ ବୈଠକରେ ଅବକାରୀ ବିଭାଗ ଆରକ୍ଷୀ ଉପ ଅଧିକ୍ଷକ ପ୍ରୀତିଧାରା ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିରଞ୍ଚି ବାଗ, ଆର. ଉଦୟଗିରି ଏସଡିପିଓ -ଶ୍ରୀ ରାକେଶ କୁମାର ସାହୁ(ଆଇ.ପି.ଏସ) ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ରାଜେଶ କୁମାର ମିଶ୍ର ତଥା ଅଭିଯୋଜନ ବିଭାଗର ସହ-ନିର୍ଦ୍ଦେଶକ ଡ଼ି.ଅନୁପରାଜ ଆଚାରି ପ୍ରମୁଖ ଉପସ୍ଥିତ ଥିଲେ।
ଆଜିର ଏହି ବୈଠକ କାର୍ଯ୍ୟକ୍ରମରେ ମୁଖ୍ୟତଃ ମାମଲାର ତଥ୍ୟାବଳୀ କିପରି ପ୍ରସ୍ତୁତ କରାଯିବା ସହ ତଦନ୍ତ ପ୍ରକ୍ରିୟାରେ ଥିବା ତ୍ରୁଟି-ବିଚ୍ୟୁତି’କୁ ସୁଧୁରାଯିବ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରା ଯାଇଥିଲା। ଏହା ସହିତ ଜନସାଧାରଣଙ୍କୁ କିପରି ତ୍ୱରିତ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରାଯାଇପାରିବ, ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।
ଏତଦ ବ୍ୟତୀତ ଏହି ବୈଠକରେ ବିଭିନ୍ନ ସଙ୍ଗିନ ମାମଲାରେ ପୋଲିସ ତଥା ଅଭିଯୋଜକ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇ କିପରି ଦଣ୍ଡ ହାର ବୃଦ୍ଧି କରାଯାଇପାରିବ ସେ ନେଇ ବିଶେଷ ଭାବେ ଆଲୋଚନା କରା ଯାଇଥିଲା। ସର୍ବଶେଷରେ ବିଭିନ୍ନ ନ୍ୟାୟାଳୟରେ ମାମଲା ପରିଚାଳନା କରି ଅପରାଧୀଙ୍କ ବିରୁଦ୍ଧରେ କଠୋର ଦଣ୍ଡବିଧାନ କରାଇଥିବା ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ଆସୋସିଏଟ ଲୟର ସୌମ୍ୟ ସୌରଭ ପଟ୍ଟନାୟକ ଓ ଏପିପି-କେ.ଶ୍ରୀନିବାସ ରାଓ ଏବଂ ଗୁରାଣ୍ଡି ଥାନା ଅଧିକାରୀ ଅଶ୍ବିନୀ ଭିତିରିଆ’ଙ୍କୁ ଏସପି-ଶ୍ରୀ ମୀନା ମାନପତ୍ର ଦେଇ ସମ୍ମାନିତ କରି ଭବିଷ୍ୟତରେ ଏଭଳି ଆହୁରି ଉତ୍ତମ କାର୍ଯ୍ୟ କରି ଜନସାଧାରଣ’ଙ୍କ ଆସ୍ଥାଭାଜନ ହେବା ନିମନ୍ତେ ଆହ୍ୱାନ ଦେଇ ବୈଠକ ଶେଷ କରିଥିଲେ।
———————:——————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
————————————–
