ଚାଷୀଙ୍କ ଦୁଃଖ ବୁଝିଲେ, ଗ୍ରାମ ମୁଖିଆ ଓ ସରପଞ୍ଚଙ୍କ ସହ ଆଲୋଚନା; କ୍ଷୟକ୍ଷତିର ଆକଳନ ପରେ ରାଜ୍ୟ ସରକାରଙ୍କୁ ଜଣାଇବେ ବିଧାୟକ ରୂପେଶ ପାଣିଗ୍ରାହୀ
ଗୋଷାଣୀ- ଗଜପତି
ବାତ୍ୟା ‘ଅର୍ଣ୍ଣବ’ ଓ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷ ଜମି ଏବଂ ଚାଷୀଙ୍କ ଦୁର୍ଦ୍ଦଶାକୁ ନେଇ ପୁଣି ମଇଦାନରେ ପହଞ୍ଚିଛନ୍ତି ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ। ଗୋଷାଣୀ ବ୍ଲକର ବିଭିନ୍ନ କ୍ଷତିଗ୍ରସ୍ତ ଗ୍ରାମ ପରିଦର୍ଶନ କରି ସେ ଚାଷ ଓ ଫସଲ କ୍ଷୟକ୍ଷତିର ସ୍ଥିତି ପୁଣି ଅନୁଧ୍ୟାନ କରିବା ସହ ଚାଷୀଙ୍କ ସମସ୍ୟାକୁ ନେଇ ସ୍ଥାନୀୟ ଜନପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି।
ବିଧାୟକ ଭିନ୍ନଳା, ବଡ଼ଗାଁ, ବାପୁଜୀପେଣ୍ଠ, ଅଗରଖଣ୍ଡି ସମେତ ବିଭିନ୍ନ ଗ୍ରାମକୁ ଗସ୍ତ କରି କ୍ଷତିଗ୍ରସ୍ତ ଚାଷ ଜମି ଓ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ପରଖିଥିଲେ। ଏହି ସମୟରେ ଗ୍ରାମ ମୁଖିଆ, ସରପଞ୍ଚ ଓ ଚାଷୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା, ଫସଲ ନଷ୍ଟ ଓ ଆର୍ଥିକ କ୍ଷତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ଚାଷୀଙ୍କ ଦୁଃଖ ଓ କ୍ଷତିକୁ ଗୁରୁତ୍ୱର ସହ ନେଇ ବିଧାୟକ କ୍ଷୟକ୍ଷତିର ସଠିକ୍ ଆକଳନ ଏବଂ କ୍ଷତିଗ୍ରସ୍ତଙ୍କୁ ଯଥୋଚିତ ସହାୟତା ଯୋଗାଇବା ଉପରେ ଜୋର ଦେଇଥିଲେ। ଗ୍ରାମଗୁଡ଼ିକର ସମସ୍ତ ତଥ୍ୟ ସଂଗ୍ରହ ଓ କ୍ଷୟକ୍ଷତିର ଆକଳନ ପରେ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ଭାବେ ଅବଗତ କରାଇବା ସହ ଚାଷୀଙ୍କ ପାଇଁ ଆବଶ୍ୟକ ସହାୟତା ଓ କ୍ଷତିପୂରଣ ଦିଗରେ ପଦକ୍ଷେପ ନେବାକୁ ସେ ଆଶ୍ୱାସନ ଦେଇଛନ୍ତି।
ଏହି ଗସ୍ତ ସମୟରେ ଜିଲ୍ଲା ପରିଷଦ ସଭ୍ୟ ଏସ୍. ବାଲୁରାଜୁ, ନୀଳମାଧବ ପାଣ୍ଡି, ବିଜୟ ଜେନା, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, କାମେଶ୍ୱର ସ୍ୱାଇଁ, ମୁନା ଜେନା, ଜଗା ପ୍ରଧାନ, ବୁଡ଼ୁ ପ୍ରଧାନ, ନିରଞ୍ଜନ ପ୍ରଧାନଙ୍କ ସମେତ ବହୁ ଜନପ୍ରତିନିଧି ଓ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।
ଚାଷୀଙ୍କ ଦୁଃଖରେ ସାଥୀ, କ୍ଷତିଗ୍ରସ୍ତଙ୍କ ନ୍ୟାୟ ପାଇଁ ପ୍ରୟାସ — ବିଧାୟକଙ୍କ ଏହି ପୁନଃ ଗସ୍ତ ଗୋଷାଣୀ ଅଞ୍ଚଳର କ୍ଷତିଗ୍ରସ୍ତ ଚାଷୀଙ୍କ ମଧ୍ୟରେ ଆଶା ସଞ୍ଚାର କରିଛି।
