ପାତ୍ରପୁରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଓ ସେବା ସେତୁ ଅନୁଷ୍ଠିତ ଗୋଟିଏ ମଞ୍ଚରେ ମିଳିଲା ଅନେକ ସରକାରୀ ସେବା ….
ଚିକିଟି ଶୁଭଶ୍ରୀ ପ୍ରଧାନ ଜନସାଧାରଣଙ୍କ ନିକଟରେ ସରକାରୀ ସେବା ପହଞ୍ଚାଇବା ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ପାତ୍ରପୁର ବ୍ଲକ ପ୍ରଶାସନ ପକ୍ଷରୁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଶନିବାର ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସମର୍ଥ ଶିବିର ଓ ସେବା ସେତୁ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଶିବିରରେ ବ୍ଲକ ଓ ଏନଏସି ଅଞ୍ଚଳର ବହୁ ଭିନ୍ନକ୍ଷମ ବ୍ୟକ୍ତି ଯୋଗଦେଇ ପଞ୍ଜିକରଣ କରିବା ସହ ବିଭିନ୍ନ ଆବଶ୍ୟକୀୟ ସହାୟକ ଉପକରଣ ପାଇଁ ଆବେଦନ କରିଥିଲେ। ଏଭଳି ଶିବିର ଆୟୋଜନ ଦ୍ୱାରା ଦୂରଦୂରାନ୍ତର ହିତାଧିକାରୀ ମାନେ ସରକାରୀ ସେବା ପାଇଁ ସହଜରେ ପହଞ୍ଚିପାରିଥିବାରୁ ଏହାକୁ ସାଧାରଣରେ ପ୍ରଶଂସା କରାଯାଇଛି। ଅନ୍ୟପକ୍ଷରେ ବିଡିଓ ଲକ୍ଷ୍ମଣ ଚରଣ ସୋରେନଙ୍କ ସଭାପତିତ୍ୱରେ ସେବା ସେତୁ ଅଭିଯାନ ସଭା ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସାଂସଦ ପ୍ରତିନିଧି ମିନା ଦ୍ୟାନ ସାମନ୍ତରା,
ତହସିଲଦାର ଅଶୋକ ପଟ୍ଟନାୟକ, ୱାଇ. ମୋହନ ରାଓ, ଅନାଦି ପଣ୍ଡିତ ଓ ଲଳିତା ପ୍ରଧାନ ପ୍ରମୁଖ ଯୋଗଦେଇ ବିଭିନ୍ନ ବିଭାଗର ଷ୍ଟଲ ପରିଦର୍ଶନ କରିଥିଲେ।ଏହି ଅବସରରେ ଓଏଲଏମ ପକ୍ଷରୁ ୧୬ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ କରାଯାଇଥିଲା। କାମଧେନୁ ଯୋଜନାରେ ୮ ଜଣ ଚାଷୀଙ୍କୁ ଚେକ୍ ପ୍ରଦାନ କରାଯାଇଥିଲା। ରାଜସ୍ୱ ବିଭାଗ ପକ୍ଷରୁ ଦୁଇଟି ବିଦ୍ୟାଳୟର ପଟ୍ଟା ଏବଂ ୭୫ଟି ଗ୍ରାମକଣ୍ଠ ପଟ୍ଟା ବଣ୍ଟନ କରାଯାଇଥିଲା। ସେହିପରି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଦୁଇ ଜଣ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ହିସାବରେ ସହାୟତା ପ୍ରଦାନ କରାଯାଇଥିଲା। ୩୦ ଜଣ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ, ମତ୍ସ୍ୟ ଓ ମୃତ୍ତିକା ସଂରକ୍ଷଣ ବିଭାଗର ୩ ଜଣ ହିତାଧିକାରୀଙ୍କୁ ସହାୟତା ଏବଂ ୬ ଜଣ ହିତାଧିକାରୀଙ୍କୁ ନିର୍ମାଣ ଶ୍ରମିକ କାର୍ଡ ବଣ୍ଟନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ବିଏସଏସଓ ସ୍ନେହାଶିଷ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ବ୍ଲକର ସମସ୍ତ ବିଭାଗର କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ସାମନ୍ତିଆପଲ୍ଲୀ ଶ୍ରୀ ଭରତପତି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱେଚ୍ଛାସେବୀ ଭାବେ ଯୋଗଦେଇ ଭିନ୍ନକ୍ଷମ ହିତାଧିକାରୀଙ୍କୁ ସହଯୋଗ କରିଥିଲେ। ବ୍ଲକ ପ୍ରଶାସନ ପକ୍ଷରୁ ଆଜିର ଶିବିରକୁ ଆସୁଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ପାତ୍ରପୁର ତଳ ବସଷ୍ଟାଣ୍ଡ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଇ ରିକ୍ସା ଆୟୋଜନ କରାଯାଇଥିଲା।
