ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଜ୍ଯ ସ୍ତରୀୟ ସାମାଜିକ ଗଣମାଧ୍ୟମ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ*
ଭୁବନେଶ୍ୱର ( ଦେବାଶିଷ ଦାଶ )
ଆଜି ଭୁବନେଶ୍ୱରରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏକ ରାଜ୍ୟସ୍ତରୀୟ ସାମାଜିକ ଗଣମାଧ୍ୟମ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଦଳୀୟ କାର୍ଯ୍ୟକର୍ତ୍ତା ଓ ପ୍ରଶିକ୍ଷାର୍ଥୀମାନେ ଯୋଗଦେଇ ସାମାଜିକ ଗଣମାଧ୍ୟମର ବିଭିନ୍ନ ଦିଗ ସମ୍ପର୍କରେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ।
ଉକ୍ତ ପ୍ରଶିକ୍ଷଣ ଶିବିରକୁ ଆମ୍ ଆଦମୀ ପାର୍ଟିର ରାଜ୍ୟ ସାମାଜିକ ଗଣମାଧ୍ୟମ ସଂଯୋଜକ ତଥା ସମ୍ପାଦକ ଶ୍ରୀ ବିଷ୍ଣୁ ପ୍ରସାଦ ପଣ୍ଡା ପରିଚାଳନା କରିଥିଲେ। ଏହି ଅବସରରେ ଦଳର ବିଚାରଧାରା, ନୀତି, ଆଦର୍ଶ ଓ ଜନସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗକୁ ସାମାଜିକ ଗଣମାଧ୍ୟମ ମାଧ୍ୟମରେ କିପରି ଅଧିକରୁ ଅଧିକ ଜନସାଧାରଣଙ୍କ ନିକଟରେ ପହଞ୍ଚାଯାଇପାରିବ, ସେ ସମ୍ପର୍କରେ ପ୍ରଶିକ୍ଷାର୍ଥୀମାନଙ୍କୁ ମାର୍ଗଦର୍ଶନ ଦିଆଯାଇଥିଲା। ଏଥିସହ ଦଳୀୟ ସଂଗଠନକୁ ସୁଦୃଢ଼ କରିବା, ସଂଗଠନର କାର୍ଯ୍ୟକଳାପକୁ ବ୍ୟବସ୍ଥିତ ଢଙ୍ଗରେ ପ୍ରଚାର ଓ ପ୍ରସାର କରିବା ଏବଂ ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମର ସଠିକ୍ ଉପଯୋଗ କରିବା ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ
ଦିଆଯାଇଥିଲା। ଶିବିରର ଉଦ୍ଯାପନୀ କାର୍ଯ୍ୟକ୍ରମରେ ଆମ୍ ଆଦମୀ ପାର୍ଟିର ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ଆଗାମୀ ଦିନରେ ସାମାଜିକ ଗଣମାଧ୍ୟମ କ୍ଷେତ୍ରରେ ଅଧିକ ସକ୍ରିୟ ଓ ସଜାଗ ରହିବାକୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ, ଆଜିର ଡିଜିଟାଲ୍ ଯୁଗରେ ସାମାଜିକ ଗଣମାଧ୍ୟମ ଜନସାଧାରଣଙ୍କ ସହ ଯୋଡ଼ିହେବାର ଏକ ପ୍ରମୁଖ ମାଧ୍ୟମ। ତେଣୁ ଦଳର ପ୍ରତ୍ୟେକ କାର୍ଯ୍ୟକ୍ରମ, ଜନସମସ୍ୟା ଓ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ। ଏଥିସହ ଉନ୍ନତମାନର ପୋଷ୍ଟର, ଆକର୍ଷଣୀୟ ଡିଜାଇନ୍, ଫଟୋ, ଭିଡିଓ ଓ ଅନ୍ୟାନ୍ୟ ଡିଜିଟାଲ୍ ସାମଗ୍ରୀ ପ୍ରସ୍ତୁତ କରି ସୁବ୍ୟବସ୍ଥିତ ଢଙ୍ଗରେ ପ୍ରଚାର କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଏଥିସହ ବର୍ତ୍ତମାନର ବିଜେପି ସରକାରଙ୍କ ଶାସନ କାଳରେ ଭୋଟ୍ ଚୋରି ଓ ଏମ୍ଏମ୍ଡିଆର୍ (MMDR) ସଂଶୋଧନ ଭଳି ଯେଉଁ ପ୍ରସଙ୍ଗଗୁଡ଼ିକୁ ଦଳ ଜନବିରୋଧୀ ବୋଲି ଅଭିହିତ କରୁଛି, ସେଗୁଡ଼ିକ ସମ୍ପର୍କରେ ଜନସାଧାରଣଙ୍କୁ ତଥ୍ୟଭିତ୍ତିକ ଭାବେ ଅବଗତ କରାଇବା ପାଇଁ ମଧ୍ୟ ସେ ପ୍ରଶିକ୍ଷାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ।ଏହି ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ଜିଲ୍ଲାରୁ ଯୋଗଦେଇଥିବା କାର୍ଯ୍ୟକର୍ତ୍ତା ଓ ପ୍ରଶିକ୍ଷାର୍ଥୀମାନେ ସାମାଜିକ ଗଣମାଧ୍ୟମର ବ୍ୟବହାର, ଡିଜିଟାଲ୍ ପ୍ରଚାର, ପୋଷ୍ଟର ଡିଜାଇନ୍ ଓ ସଂଗଠନର କାର୍ଯ୍ୟକଳାପକୁ ଲୋକଙ୍କ ନିକଟରେ ପହଞ୍ଚାଇବାର ବିଭିନ୍ନ କୌଶଳ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ଉକ୍ତ ଶିବିରକୁ ଶ୍ରୀ ଲିଙ୍ଗରାଜ ପାତ୍ର, ଶ୍ରୀ ସୂର୍ଯ୍ୟକାନ୍ତ ମହାପାତ୍ର, ଶ୍ରୀମତି ଜ୍ୟୋସ୍ନା ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।
ଏହି ପ୍ରଶିକ୍ଷଣ ଶିବିର ଦଳର ଡିଜିଟାଲ୍ ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ସାମାଜିକ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କ ସହ ନିରନ୍ତର ସମ୍ପର୍କ ସ୍ଥାପନ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଛି।
