ସମ୍ଭାବ୍ୟ ବାତ୍ୟା “ମୁରାସୁ” ପ୍ରତି ପ୍ରଶାସନ ସଜାଗ , ବାଘୁଆ ଜଳଭଣ୍ଡାରରୁ ଗୋଟିଏ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ
ବୁଗୁଡ଼ା : ତା ୦୨/୧୧/୨୬ : ସ୍ଥାନୀୟ ବାଘୁଆ ଜଳଭଣ୍ଡାରକୁ ସୁରକ୍ଷିତ ରଖିବା ଏବଂ ଜଳସ୍ତର ବିପଦକୁ ଦୃଷ୍ଟିରେ ରଖି ଜଳସେଚନ ବିଭାଗ ୦୧ ତାରିଖ ରାତ୍ର ୮ ଘଣ୍ଟ ସମୟରେ ଜଳଭଣ୍ଡାରର ଗୋଟିଏ ଗେଟ ଦେଇ ବନ୍ୟାଜଳ ନିଷ୍କାସନ କରି ବାଘୁଆ ନଦୀରେ ଛାଡିଛି । ବାଘୁଆ ଜଳଭଣ୍ଡାରର ଜଳଧାରଣ କ୍ଷମତା ୧୧୩.୮୫ ମିଟର ଥିବାବେଳେ ସମ୍ଭାବ୍ୟ ବାତ୍ୟା “ମୁରାସୁ” ଯୋଗୁଁ ବାଘୁଆ ଜଳଭଣ୍ଡାରର ଜଳସ୍ତର ବିପଦ ସଙ୍କେତ ନିକଟରେ ପହଞ୍ଚିବା ସମ୍ଭାବନାକୁ ନଜରରେ ରଖି ବିପଦଜ୍ଜନକ ସ୍ଥିତିକୁ ଏଡ଼ାଇବା ପାଇଁ ଭଞ୍ଜନଗର ଜଳସେଚନ ବିଭାଗ ଅଧ୍ୟକ୍ଷଣ ଯନ୍ତ୍ରୀ ସଂଜୟ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ରବିବାର ରାତିରୁ ବାଘୁଆ ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବଜୀବନ ମହାପାତ୍ରଙ୍କ ଉପସ୍ଥିତିରେ ବାଘୁଆ ଜଳଭଣ୍ଡାରର ଗୋଟିଏ ସ୍ଟିଲ୍ ୱେ ଗେଟ୍ ଖୋଲାଯାଇ ଅତିରିକ୍ତ ବନ୍ୟାଜଳକୁ ନିଷ୍କାସନ କରାଯାଇଛି । ବର୍ତ୍ତମାନ ବାଘୁଆ ଜଳଭଣ୍ଡାରର ଜଳସ୍ତରର ଉଚ୍ଚତା ୧୧୨.୯୮ ମିଟର ଥିବା ବେଳେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ଗୋଟିଏ ଗେଟ୍ ଦେଇ ୪୦ ଘନ ମିଟର ଜଳ ନିଷ୍କାସିତ ହେଉଛି। ପ୍ରକାଶ ଯେ, ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ କରି ବାଘୁଆ ନଦୀରେ ଛଡାଯିବା ପାଇଁ ପୂର୍ବରୁ ବିଭାଗୀୟ ପ୍ରଶାସନ ପକ୍ଷରୁ ମାଇକ୍ ଯୋଗେ ନଦୀକୁ କେହି ନଯିବା ସହ ଗୃହପାଳିତ ପଶୁଙ୍କୁ ନଦୀକୁ ନଛାଡିବା ସକାଶେ ସତର୍କ ସୂଚନା ଜାରି କରାଯାଇଥିଲା ।
