ଗଜପତି:- ଜିଲ୍ଲା ବିଜେଡି ପକ୍ଷରୁ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଦଳୀୟ ରଣନୀତି ଉପରେ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର’ର ରାମନଗର ସ୍ଥିତ ହାଇଟେକ୍ ପ୍ଲାଜା ପରିସରରେ ଥିବା ବିଜେଡି’ର ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହେବା ସହ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଦଳୀୟ ରଣନୀତି ଉପରେ ଜିଲ୍ଲାସ୍ତରୀୟ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ବରିଷ୍ଠ ନେତା ତଥା ହାଇଟେକ୍ ଗ୍ରୁପ୍ ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଆଲୋଚନା କାର୍ଯ୍ୟକ୍ରମରେ ମୁଖ୍ୟତଃ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ କିପରି ବିଜୟ ହାସଲ କରିବ, ସେନେଇ ନେତା ଓ କର୍ମୀମାନଙ୍କୁ ବିଭିନ୍ନ ରଣନୀତି ଏବଂ ଦିଗ୍ଦର୍ଶନ ପ୍ରଦାନ କରାଯାଇଥିଲା।
ଏହି ଆଲୋଚନା ବୈଠକ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓଙ୍କ ସମେତ ବିଭିନ୍ନ ବ୍ଲକର ଅଧ୍ୟକ୍ଷ, ଅଧ୍ୟକ୍ଷା, ସରପଞ୍ଚ, ସମିତି ସଦସ୍ୟ, ବିଜେଡିର ବରିଷ୍ଠ ନେତା ଓ କର୍ମୀମାନେ ଯୋଗ ଦେଇଥିଲେ। ଏଥିସହ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଏସ୍କେସିଜି କଲେଜର ନବନିର୍ବାଚିତ ସମସ୍ତ ଯୁବ ନେତା ମଧ୍ୟ ଉପସ୍ଥିତ ଥିଲେ।
ବୈଠକରେ ଦଳର ସାଂଗଠନିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା, ତୃଣମୂଳ ସ୍ତରରେ କର୍ମୀମାନଙ୍କୁ ଏକଜୁଟ କରିବା ଏବଂ ଆଗାମୀ ନିର୍ବାଚନରେ ଦଳୀୟ ସଫଳତା ହାସଲ ପାଇଁ ସମନ୍ୱିତ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ବୈଠକ ଦଳୀୟ ନେତା, ଜନପ୍ରତିନିଧି ଓ ଯୁବ ନେତୃତ୍ୱଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି ସହ ଆଗାମୀ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ଏକ ମିଳିତ ଦିଗ୍ଦର୍ଶନ ଦେଇଥିବା ଦେଖାଯାଇଥିଲା।
——————————————
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
———————————————
