October 6, 2026

ଗଜପତି:-ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ …

IMG-20261002-WA0023
Share

 

ଶ୍ରେଷ୍ଠ ଦଳ ଭାବେ ପିଏମ୍‌ଶ୍ରୀ କେ.ଏମ୍. ଭାଲିଆସାହି ଉଚ୍ଚ ବିଦ୍ୟାଳୟ

——————————————

ଶିକ୍ଷକ ଶିକ୍ଷା – ଟି:ଇ ଏଣ୍ଡ୍ ଏସ୍‌:ସି:ଇ:ଆର୍‌:ଟି, ଓଡ଼ିଶା, ଭୁବନେଶ୍ୱର’ଙ୍କ ପ୍ରାୟୋଜକତ୍ୱରେ ଏବଂ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ୨୦୨୬ ମସିହାର ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ପାରଳାଖେମୁଣ୍ଡି ସ୍ଥିତ ପିଏମ୍‌-ଶ୍ରୀ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ, ଠାରେ ଅନୁଷ୍ଠିତ ହୋଇଯାଇଛି।

ଗଜପତି ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ଚୟନିତ ଶ୍ରେଷ୍ଠ ୯ଟି ବିଜ୍ଞାନ ନାଟକ ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜ୍ଞାନ, ପରିବେଶ, ପ୍ରଯୁକ୍ତି ଓ ସାମାଜିକ ସଚେତନତା ସମ୍ପର୍କିତ ବିଭିନ୍ନ ବିଷୟକୁ ଆଧାର କରି ନାଟକ ମାଧ୍ୟମରେ ତାହା ଉପସ୍ଥାପନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ, ଡଃ ମାୟାଧର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ସୃଜନଶୀଳତା, ବୈଜ୍ଞାନିକ ଚିନ୍ତନ ଓ ଅଭିନୟ ପ୍ରତିଭାକୁ ପ୍ରଶଂସା କରିଥିଲେ।

ପ୍ରତିଯୋଗିତାର ବିଚାରକ ଭାବେ ନାଟ୍ୟ-କଳାକାର ଶ୍ରୀ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ଶ୍ରୀ ମନୋଜ ପାଢ଼ୀ, ପୂର୍ବତନ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ, ଗଜପତି ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ।

ପ୍ରତିଯୋଗିତାରେ ପିଏମ୍‌-ଶ୍ରୀ କେ.ଏମ୍. ଭାଲିଆସାହି ଉଚ୍ଚ ବିଦ୍ୟାଳୟ ‘AI’ ବିଷୟବସ୍ତୁ ଉପରେ ଆଧାରିତ ନାଟକ ପରିବେଷଣ କରି ଶ୍ରେଷ୍ଠ ନାଟକ ଦଳ ଭାବେ ଚୟନିତ ହୋଇଛି। ଏହି ନାଟକର ନିର୍ଦ୍ଦେଶନା ପାଇଁ ମଧ୍ୟ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନ ପାଇଛନ୍ତି କେ.ଏମ୍. ଭାଲିଆସାହି ଦଳର ନିର୍ଦ୍ଦେଶକ।

ଶ୍ରେଷ୍ଠ ଅଭିନେତା ଭାବେ ପିଏମ୍‌-ଶ୍ରୀ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ବି. ତେଜା ବାବୁ ‘ବିପନ୍ନ ସମୁଦ୍ର’ର ଭୂମିକାରେ ଅଭିନୟ କରି ପୁରସ୍କୃତ ହୋଇଛନ୍ତି। ସେହିଭଳି ଶ୍ରେଷ୍ଠ ନାଟ୍ୟକାର ଭାବେ ପିଏମ୍‌-ଶ୍ରୀ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଶ୍ରୀମତୀ ସୁଲତା ସୁଭଦର୍ଶିନୀ ‘ନୀଳ ସ୍ୱପ୍ନ’ ନାମକ ସମୁଦ୍ର ଓ ପ୍ଲାଷ୍ଟିକ ପ୍ରଦୂଷଣ ଆଧାରିତ ବିଜ୍ଞାନ ନାଟକ ପାଇଁ ଶ୍ରେଷ୍ଠ ନାଟ୍ୟକାର ଭାବେ ଚୟନିତ ହୋଇଛନ୍ତି।

ସେହିପରି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପିଏମ୍‌-ଶ୍ରୀ ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟର ସଞ୍ଚିତା ସାହୁ ଚୟନିତ ହୋଇଛନ୍ତି।

ଏହି କାର୍ଯ୍ୟକ୍ରମକୁ ପିଏମ୍‌-ଶ୍ରୀ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସମନ୍ୱିତ ଭାବେ ପରିଚାଳନା କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ମୋନାଲିସା ଦାଶ, ବରିଷ୍ଠ ଶିକ୍ଷକ ଶ୍ରୀ ଏମ୍. ସତ୍ୟନାରାୟଣ ଓ ଗଜପତି ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ, ଶ୍ରୀ ୱାଇ. କ୍ରିଷ୍ଣା ରାଓ’ଙ୍କ ସହଯୋଗ ଓ ମାର୍ଗଦର୍ଶନରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

ଜିଲ୍ଲାସ୍ତରରେ ଚୟନିତ ଶ୍ରେଷ୍ଠ ଦଳ ଏବେ ବୌଦ୍ଧ ଠାରେ ଅନୁଷ୍ଠିତ ହେବାକୁ ଥିବା ଜୋନାଲ୍ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ବିଜ୍ଞାନ ନାଟ୍ୟ ଦଳ ପ୍ରତିନିଧିତ୍ୱ କରିବ।

————————————-

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

——————————–

You may have missed