August 4, 2026

ୱାର୍ଡ-୧୮ ଉନ୍ନୟନ କାର୍ଯ୍ୟରେ କାହିଁକି ବିଳମ୍ବ? ଚାରି ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ; ପାଣ୍ଠି ମଞ୍ଜୁର ଓ ଟେଣ୍ଡର ପ୍ରକ୍ରିୟା ନେଇ ପ୍ରଶାସନିକ ଅଚଳାବସ୍ଥା ପ୍ରସଙ୍ଗରେ ପ୍ରଶ୍ନ; କୋର୍ଟଙ୍କ ହସ୍ତକ୍ଷେପ ପରେ ବଢ଼ିଲା ଚର୍ଚ୍ଚା

IMG-20260801-WA0046
Share

 

ଖୋର୍ଦ୍ଧା, ଅଗଷ୍ଟ ୧:(ପ୍ରିୟଙ୍କା ମହାପାତ୍ର) ଖୋର୍ଦ୍ଧା ପୌରପାଳିକାର ୱାର୍ଡ ନଂ-୧୮ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପାଣ୍ଠି ଅନୁମୋଦନ ଏବଂ ଟେଣ୍ଡର ପ୍ରକ୍ରିୟା ଆରମ୍ଭରେ ଦୀର୍ଘ ଦିନ ର ବିଳମ୍ବକୁ ନେଇ ଶେଷରେ ଓଡ଼ିଶା ହାଇକୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଛି। ଜିଲ୍ଲାପାଳ ତଥା ଜିଲ୍ଲା ନଗର ଉନ୍ନୟନ ସଂସ୍ଥା (ଡୁଡା)ର ଅଧ୍ୟକ୍ଷଙ୍କୁ ଆବେଦନ ଉପରେ ଚାରି ସପ୍ତାହ ମଧ୍ୟରେ ଆଇନ ଅନୁଯାୟୀ ବିଚାର କରି ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ପୌରାଞ୍ଚଳର ଉନ୍ନୟନ କାର୍ଯ୍ୟ ଏବଂ ପ୍ରଶାସନିକ କାର୍ଯ୍ୟପ୍ରଣାଳୀକୁ ନେଇ ନୂଆ ପ୍ରଶ୍ନ ଉଠିଛି।ନ୍ୟାୟମୂର୍ତ୍ତି ସଞ୍ଜୟ କୁମାର ମିଶ୍ର ଡବ୍ଲ୍ୟୁ.ପି.(ସି) ନଂ-୨୧୭୫୩/୨୦୨୬ର ଶୁଣାଣି କରି ଏହି ଆଦେଶ ଦେଇଛନ୍ତି। ମାମଲାଟି ୱାର୍ଡ ନଂ-୧୮ର କାଉନସିଲର ବିଦୁଲତା ସାହୁଙ୍କ ପକ୍ଷରୁ ଦାଖଲ କରାଯାଇଥିଲା। ସେ ଅଭିଯୋଗ କରିଥିଲେ ଯେ, ଗତ ଜୁନ୍ ୩୦ରେ ୱାର୍ଡର ରାସ୍ତା, ମୌଳିକ ସୁବିଧା ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପାଣ୍ଠି ମଞ୍ଜୁର ଓ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରଶାସନଙ୍କ ନିକଟରେ ଲିଖିତ ଆବେଦନ କରିଥିଲେ। କିନ୍ତୁ ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ତାହା ଉପରେ କୌଣସି ପଦକ୍ଷେପ ନିଆଯାଇନଥିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ, ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବାର କ୍ଷମତା ଖୋର୍ଦ୍ଧା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ନୁହେଁ, ବରଂ ଜିଲ୍ଲାପାଳ ତଥା ଡୁଡା ଅଧ୍ୟକ୍ଷଙ୍କ ନିକଟରେ ରହିଛି। ଏହା ପରେ କୋର୍ଟ ମାମଲାର ବିସ୍ତୃତ ଶୁଣାଣି ନକରି ପ୍ରଶାସନକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଆବେଦନର ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆଦେଶର ପ୍ରମାଣିତ ନକଲ ମିଳିବାର ଚାରି ସପ୍ତାହ ମଧ୍ୟରେ ଜିଲ୍ଲାପାଳ ଆଇନ ଅନୁଯାୟୀ ଏକ କାରଣଦର୍ଶାଉଥିବା ନିଷ୍ପତ୍ତି ନେବେ ଏବଂ ପରବର୍ତ୍ତୀ ୧୦ ଦିନ ମଧ୍ୟରେ ତାହା ଆବେଦନକାରୀଙ୍କୁ ଜଣାଇବେ। ଆବଶ୍ୟକ ହେଲେ ଆବେଦନକାରୀଙ୍କୁ ବ୍ୟକ୍ତିଗତ ଶୁଣାଣିର ସୁଯୋଗ ଦେବାକୁ ମଧ୍ୟ କୋର୍ଟ କହିଛନ୍ତି। ଏହି ଘଟଣା କେବଳ ଗୋଟିଏ ୱାର୍ଡର ଉନ୍ନୟନ ପ୍ରସଙ୍ଗରେ ସୀମିତ ନୁହେଁ; ବରଂ ପୌରାଞ୍ଚଳରେ ଉନ୍ନୟନ ପ୍ରକଳ୍ପ ଅନୁମୋଦନ, ପାଣ୍ଠି ବଣ୍ଟନ ଓ ଟେଣ୍ଡର ପ୍ରକ୍ରିୟା କେତେ ଶୀଘ୍ର ଓ ସ୍ୱଚ୍ଛ ଭାବେ କାର୍ଯ୍ୟକାରୀ ହେଉଛି, ତାହାକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ଯଦି ଜନପ୍ରତିନିଧିଙ୍କ ଲିଖିତ ଆବେଦନ ଉପରେ ସମୟୋପଯୋଗୀ ନିଷ୍ପତ୍ତି ନ ହୁଏ, ତେବେ ସାଧାରଣ ଲୋକଙ୍କ ବିକାଶମୂଳକ ଦାବି କେତେ ଶୀଘ୍ର ସମାଧାନ ହେଉଛି, ସେନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ବୋଲି ସ୍ଥାନୀୟ ମହଲରେ ମତ ପ୍ରକାଶ ପାଉଛି। ତେବେ ହାଇକୋର୍ଟ ତାଙ୍କ ଆଦେଶରେ ଆବେଦନକାରୀଙ୍କ ଦାବିର ସତ୍ୟତା କିମ୍ବା ଯଥାର୍ଥତା ସମ୍ପର୍କରେ କୌଣସି ମତ ଦେଇନାହାନ୍ତି। କେବଳ ସକ୍ଷମ କର୍ତ୍ତୃପକ୍ଷଙ୍କୁ ପ୍ରଚଳିତ ଆଇନ ଓ ପ୍ରଶାସନିକ ନିୟମ ଅନୁସାରେ ଆବେଦନର ବିଚାର କରି ଯୁକ୍ତିସଙ୍ଗତ ନିଷ୍ପତ୍ତି ନେବାକୁ କହିଛନ୍ତି। ବର୍ତ୍ତମାନ ଦୃଷ୍ଟି ରହିଛି ଜିଲ୍ଲା ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ୱାର୍ଡ-୧୮ର ଉନ୍ନୟନ ପ୍ରକଳ୍ପଗୁଡ଼ିକ ଅନୁମୋଦନ ପାଇବ କି ନାହିଁ ଏବଂ ବିଳମ୍ବର ପ୍ରକୃତ କାରଣ କ’ଣ ଥିଲା, ତାହା ସାମ୍ନାକୁ ଆସିବାକୁ ଅପେକ୍ଷା ରହିଛି।