ହାଟଡିହି ବ୍ଲକ କାର୍ଯ୍ୟାଳୟରେ ବିଧାୟକଙ୍କ ସମୀକ୍ଷା ବୈଠକ
ହାଟଡିହି ତା ୩/୧୧(ମନମୋହନ ନାୟକ) : ହାଟଡିହି ବ୍ଲକ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି, ସରକାରୀ ଅନୁଦାନର ବିନିଯୋଗ ଏବଂ ନିର୍ମାଣ କାର୍ଯ୍ୟରେ ଦେଖାଦେଉଥିବା ସମସ୍ୟାର ସମୀକ୍ଷା ନିମନ୍ତେ ହାଟଡିହି ବ୍ଲକ କାର୍ଯ୍ୟାଳୟରେ ବିଧାୟକଙ୍କ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବ୍ଲକ ଅଞ୍ଚଳରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି, କାର୍ଯ୍ୟ ସମ୍ପାଦନରେ ବିଳମ୍ବ ଏବଂ ଠିକାଦାରମାନଙ୍କ ପ୍ରାପ୍ୟ ପ୍ରଦାନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବିଡିଓ ରଞ୍ଜନ କୁମାର ପରିଡ଼ା, ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟଦେବ ଦାସ, ମୋନାଲିସା ନାୟକ, ଯନ୍ତ୍ରୀ ମଦନ ମୋହନ ବେହେରା, ପ୍ରଫୁଲ୍ଲ କୁମାର ବେହେରା, ରବୀନ୍ଦ୍ର କୁମାର ସୋରେନ, ପ୍ରେମାନନ୍ଦ ଚଇନିଙ୍କ ସମେତ ବ୍ଲକର ସମସ୍ତ କନିଷ୍ଠ ଯନ୍ତ୍ରୀ ଯୋଗଦେଇଥିଲେ। ବୈଠକରେ ବିଧାୟକଙ୍କ ହାତପାଣ୍ଠି ଅନୁଦାନ ଏବଂ ଡିଏମ୍ଏଫ୍ ଅନୁଦାନରେ କେତେ କାମ ହୋଇଛି, କେତେ କାମ ବାକି ଅଛି ତାହାର ସମୀକ୍ଷା କରିଥିଲେ। ଅନୁମୋଦିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କାର୍ଯ୍ୟକାରିତାରେ ଅହେତୁକ ବିଳମ୍ବ ହେଉଥିବା ନେଇ ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ। ଜନସାଧାରଣଙ୍କ ସୁବିଧା ପାଇଁ ଅନୁଦାନ ମଞ୍ଜୁର ହେଉଥିଲେ ମଧ୍ୟ ତାହାର ସଠିକ୍ ସମୟରେ ବିନିଯୋଗ ହୋଇପାରୁନଥିବାରୁ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ବୋଲି ସେ ମତ ପ୍ରକାଶ କରିଥିଲେ।
ଅନ୍ୟପକ୍ଷରେ, ଅନେକ ଠିକାଦାର ନିର୍ଦ୍ଧାରିତ କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ ମଧ୍ୟ ସେମାନଙ୍କ କାମର ବିଲ୍ ଦୀର୍ଘଦିନ ଧରି ପ୍ରସ୍ତୁତ ହେଉନଥିବା ଏବଂ ପ୍ରାପ୍ୟ ପାଇବା ପାଇଁ ସେମାନଙ୍କୁ ମାସ ମାସ ଧରି ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ୁଥିବା ବିଷୟ ମଧ୍ୟ ବୈଠକରେ ଉଠିଥିଲା। ଏହାଦ୍ୱାରା କାର୍ଯ୍ୟ ସମ୍ପାଦନରେ ଅନାବଶ୍ୟକ ବିଳମ୍ବ ସୃଷ୍ଟି ହେବା ସହ ଠିକାଦାରମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଆଲୋଚନା ହୋଇଥିଲା। ସେହିପରି କେତେକ ସ୍ଥାନରେ ଯନ୍ତ୍ରୀମାନଙ୍କ ଆବଶ୍ୟକୀୟ ସହଯୋଗ ଓ ତଦାରଖର ଅଭାବରୁ ଉନ୍ନୟନମୂଳକ କାର୍ଯ୍ୟ ମାସ ମାସ ଧରି ଅଧାପନ୍ତରିଆ ହୋଇ ପଡ଼ିରହିଥିବା ନେଇ ବିଧାୟକ ଉଦ୍ବେଗ ପ୍ରକାଶ କରିଥିଲେ। ଜନସାଧାରଣଙ୍କ ସ୍ୱାର୍ଥ ସହ ଜଡ଼ିତ ଏହି ସମସ୍ତ କାର୍ଯ୍ୟକୁ ଅଯଥା ବିଳମ୍ବ ନକରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ସହ ବିଲ୍ ପ୍ରସ୍ତୁତି ଓ ପ୍ରାପ୍ୟ ପ୍ରଦାନ ପ୍ରକ୍ରିୟାକୁ ସରଳ ଓ ତ୍ୱରାନ୍ୱିତ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ। ବ୍ଲକର ସମସ୍ତ ଅଧିକାରୀ ଓ ଯନ୍ତ୍ରୀମାନେ ନିଜ ନିଜ ଦାୟିତ୍ୱକୁ ଗୁରୁତ୍ୱର ସହ ନିର୍ବାହ କରିବା ସହ ଚାଲିଥିବା ଏବଂ ଅଧାପନ୍ତରିଆ ରହିଥିବା ପ୍ରକଳ୍ପଗୁଡ଼ିକର ସ୍ଥିତି ଅନୁଧ୍ୟାନ କରି ଶୀଘ୍ର କାର୍ଯ୍ୟ ସମାପ୍ତ କରିବାକୁ ବିଧାୟକ ଶ୍ରୀ ସେଠୀ ପରାମର୍ଶ ଦେଇଥିଲେ। ବ୍ଲକ ଅଞ୍ଚଳର ବିକାଶମୂଳକ କାର୍ଯ୍ୟରେ ଆଉ ଯେପରି ବିଳମ୍ବ ନହୁଏ, ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ସେ ଆହ୍ୱାନ ଦେଇଥିଲେ।
