ସମାକୋଇ ନଦୀ କୂଳରେ ମାଛଧରା ଜାଲରେ ଫସିଥିଲା ଅଜଗର, ବନ ବିଭାଗର ତତ୍ପରତାରେ ସୁରକ୍ଷିତ ଉଦ୍ଧାର

ଅନୁଗୋଳ: ମାଛ ଧରିବା ପାଇଁ ବିଛାଯାଇଥିବା ଜାଲରେ ଫସି ଯାଇଥିଲା ଏକ ଅଜଗର। ସମୟୋଚିତ ପଦକ୍ଷେପ ଓ ବନ ବିଭାଗର ତତ୍ପରତା ଯୋଗୁଁ ଉଦ୍ଧାର ପାଇଲା ବିରଳ ବନ୍ୟଜନ୍ତୁ। ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ସମାକୋଇ ନଦୀ କୂଳରେ ଏଭଳି ଏକ ଘଟଣା ଘଟିଛି।
ସୂଚନା ଅନୁଯାୟୀ, ସମାକୋଇ ନଦୀ ନିକଟରେ ଏକ ଅଜଗର ମାଛଧରା ଜାଲରେ ଛନ୍ଦି ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଖବର ପାଇ ବନ ବିଭାଗର ଉଦ୍ଧାରକାରୀ ଟିମ୍ ଏବଂ ସ୍ନେକ୍ ହେଲ୍ପଲାଇନ୍ର ଜଣେ ସଦସ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଉଭୟଙ୍କ ମିଳିତ ଉଦ୍ୟମରେ ଅତି ସତର୍କତାର ସହ ଅଜଗରଟିକୁ ଜାଲରୁ ମୁକ୍ତ କରାଯାଇଥିଲା। ପରେ ତାହାର କୌଣସି କ୍ଷତି ନହେବା ଭଳି ସୁରକ୍ଷିତ ଭାବେ ତାକୁ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଥିଲା।
ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ପ୍ରାକୃତିକ ପରିବେଶର ସଂରକ୍ଷଣ ଦିଗରେ ବନ ବିଭାଗ ଏବଂ ସ୍ନେକ୍ ହେଲ୍ପଲାଇନ୍ର ଏହି ମିଳିତ ପ୍ରୟାସ ପ୍ରଶଂସନୀୟ। ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସହାବସ୍ଥାନ ବଜାୟ ରଖିବା ସହ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଏଭଳି ସଚେତନତା ଓ ତତ୍ପରତାର ଆବଶ୍ୟକତା ରହିଛି।
