October 2, 2026

ଗଜପତି:- ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ଦିବସ ପାଳିତ

IMG-20261001-WA0086
Share

ଗଜପତି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ପକ୍ଷରୁ ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ଦିବସ-୨୦୨୬ ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ନାଗରିକ ମାନଙ୍କର ନାମ ପଞ୍ଜୀକରଣ କରାଯିବା ସହ ଯୋଗଗୁରୁଙ୍କ ତତ୍ତ୍ୱାବଧାନରେ ଯୋଗାଭ୍ୟାସ କରା ଯାଇଥିଲା।

ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ବିଭିନ୍ନ ବିଶେଷଜ୍ଞ ଡାକ୍ତର ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ମାଗଣାରେ ଔଷଧ ବିତରଣ କରିଥିଲେ। କାର୍ଯ୍ୟକ୍ରମରେ ମୋଟ ୧୫୩ ଜଣ ବରିଷ୍ଠ ନାଗରିକ ଯୋଗଦେଇଥିବା ବେଳେ ୮୨ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନୀନ୍ଦ୍ର ହୋନନାଗାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ବ୍ରହ୍ମପୁର ଡଃ.ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିରଞ୍ଚି ବାଗ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଗଜପତି ଶ୍ରୀ ଦୟାମୟ ପାଢୀ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ. ପ୍ରଦୀପ କୁମାର ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜଙ୍କ ସମେତ ବରିଷ୍ଠ ନାଗରିକ ମଞ୍ଚ ଓ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରତିନିଧିମାନେ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ।

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଶ୍ରୀ ଉତ୍ସର୍ଗୀତା ବଡରଇତ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ବରିଷ୍ଠ ନାଗରିକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଶ୍ରୀ ଅଶୋକ କୁମାର ଦାଶ, ଶ୍ରୀ ଅର୍ଜୁନ ଦଳାଇ ଓ ଶ୍ରୀ ସୂର୍ଯ୍ୟକାନ୍ତ ପଟ୍ଟନାୟକଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।

ଏଥିସହ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ରର କଳାକାର ମାନଙ୍କ ଦ୍ୱାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

କାର୍ଯ୍ୟକ୍ରମରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଏଲ୍. ସନ୍ତୋଷ କୁମାର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ଏବଂ ଆଶ୍ରା ଜରାଶ୍ରମର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।

—————————————–

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

—————————————-

You may have missed