September 28, 2026

ଗଜପତି:- ଜିଲ୍ଲାସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

IMG-20260927-WA0033
Share

 

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ “ବିଶ୍ୱ ପର୍ଯ୍ୟଟନ ଦିବସ” ପାଳିତ ହୋଇଯାଇଛି।

ଏହି ଅବସରରେ ବି.ଏନ୍. ପ୍ୟାଲେସ୍‌ ଠାରୁ ଇଣ୍ଡୋର ଷ୍ଟାଡିୟମ୍ ପର୍ଯ୍ୟନ୍ତ ଏବଂ ଇଣ୍ଡୋର ଷ୍ଟାଡିୟମ୍‌ଠାରୁ ବି.ଏନ୍. ପ୍ୟାଲେସ୍ ପର୍ଯ୍ୟନ୍ତ ଏକ ମାରାଥନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ତ୍ରିନାଥ କୁମାର ସାହୁ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହ୍ୟ, ଆଦିବାସୀ କଳା ଓ ସଂସ୍କୃତି ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହ ପର୍ଯ୍ୟଟନର ବିକାଶ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି ଅବସରରେ ଗଜପତି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମହେନ୍ଦ୍ରଗିରି ପର୍ବତ, ଜିରାଙ୍ଗ ପଦ୍ମସମ୍ଭବ ମହାବିହାର, ଗଣ୍ଡାହାତୀ ଜଳପ୍ରପାତ, ପାରଳାଖେମୁଣ୍ଡିର ଐତିହ୍ୟସମ୍ପନ୍ନ ସ୍ଥାନ ସମେତ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀର ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦିଆଯାଇଥିଲା। ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ଐତିହ୍ୟ ସଂରକ୍ଷଣ ନେଇ ସଚେତନତା ସୃଷ୍ଟି କରାଯାଇଥିଲା।

ଜିଲ୍ଲାର ପର୍ଯ୍ୟଟନ ସମ୍ଭାବନାକୁ ଅଧିକ ପ୍ରଚାର କରିବା ସହ ଦାୟିତ୍ୱପୂର୍ଣ୍ଣ ଓ ପରିବେଶ ଅନୁକୂଳ ପର୍ଯ୍ୟଟନ ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରାଯାଇଥିଲା। ଗଜପତି ଜିଲ୍ଲାର ପ୍ରାକୃତିକ, ଐତିହ୍ୟ ଓ ସାଂସ୍କୃତିକ ବୈଭବକୁ ଅଧିକ ପରିଚିତ କରାଇବାରେ ଏଭଳି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ସମସ୍ତଙ୍କର ମତପ୍ରକାଶ ପାଇଥିଲା।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ସାମିଲ ହୋଇଥିଲେ।

——————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

—————————————–