ଶ୍ରୀରାମ ବିଜୟା ଦଶମୀ ମହୋତ୍ସବ ସମିତି ପକ୍ଷରୁ ମେଗା ରକ୍ତଦାନ ଶିବିର
୧୫୦ ଜଣଙ୍କ ରକ୍ତଦାନ; ପ୍ରଥମ ଥର ରକ୍ତଦାନ କଲେ ବହୁ ଛାତ୍ରୀ
ରକ୍ତଦାତାଙ୍କୁ ଉତ୍ସାହିତ କଲେ ମନ୍ତ୍ରୀ ଓ ଅତିଥି; ପିଏଚଡି ପଡ଼ିଆରେ ବୃକ୍ଷରୋପଣ
ସମ୍ବଲପୁର, ୨୭. ୦୯: ଶ୍ରୀରାମ ବିଜୟା ଦଶମୀ ମହୋତ୍ସବ ସମିତି ପକ୍ଷରୁ ବିର୍ସା ମୁଣ୍ଡା ମୈଦାନଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମାନବିକତା, ସେବା ଓ ସାମାଜିକ ଦାୟିତ୍ୱର ବାର୍ତ୍ତା ନେଇ ଆୟୋଜିତ ଏହି ଶିବିରରେ ପୁରୁଷ ଓ ମହିଳାଙ୍କ ସମେତ ମୋଟ ୧୫୦ ଜଣ ରକ୍ତଦାନ କରିଥିଲେ।
ଶିବିରକୁ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଉଦ୍ଘାଟନ କରିଥିବା ବେଳେ ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର, ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକ, ଜିଲ୍ଲା ପ୍ରଭାରୀ କାଳିନ୍ଦୀ ସାମଲ, ଦେବେନ୍ଦ୍ର ମହାପାତ୍ର ଓ ଆରଏସ୍ଏସ୍ର ଶଙ୍କର ଭାଇ ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାନର ମହତ୍ତ୍ୱ ଉପରେ ମତବ୍ୟକ୍ତ କରିବା ସହ ନିଜେ ମଧ୍ୟ ସାମାଜିକ ସେବା କାର୍ଯ୍ୟରେ ସହଭାଗୀ ହେବାକୁ ଯୁବପିଢ଼ିଙ୍କୁ ଆହ୍ୱାନ କରିଥିଲେ.।
ଏହି ଅବସରରେ ପିଏଚ୍ଡି ପଡ଼ିଆରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ରକ୍ତଦାନ ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ସମିତି ପକ୍ଷରୁ ସେବା ଓ ସାମାଜିକ ଦାୟିତ୍ୱର ଦୁଇଟି ଦିଗକୁ ଏକାସାଙ୍ଗରେ ଗୁରୁତ୍ୱ ଦିଆଯାଇଥିଲା।ସମିତିର ସଭାପତି ଗିରିଶ ପଟେଲଙ୍କ ମାର୍ଗଦର୍ଶନ ଏବଂ ବିଜେପିର ପୂର୍ବତନ ଯୁବମୋର୍ଚା ଜିଲ୍ଲା ସଭାପତି ତଥା ସମିତିର ସମ୍ପାଦକ ଅଶ୍ୱିନୀ କୁମାର ମାଝୀଙ୍କ ନେତୃତ୍ୱରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଗିରିଜା ସାହୁ, ସରୋଜ ଘଡେଇ, କାର୍ତ୍ତିକ ବହିଦାର, ଅନୁପ ବହୁଗୁଣା ଓ ଡା. ରାଜାରାମ ଷଡ଼ଙ୍ଗୀ, ଅନିଲ ସୂର୍ଯ୍ୟବଂଶୀ, ସୁଦୀପ୍ତ ପରିଡା, ସୋନି ସିଂ, ସମୀର ଲୁହା, ମନଦୀପ ଖଡ଼ିଆ, ସଞ୍ଜୟ ଖଡ଼ିଆ, ପ୍ରମୋଦ ପ୍ରଧାନ ଆକାଶ ପାତ୍ର ତିଳକ ସିନ୍ଧିଆ ପ୍ରମୁଖ ସହଯୋଗ କରିଥିଲେ।
ବୁର୍ଲା ଭୀମସାର ରକ୍ତଭଣ୍ଡାର ପକ୍ଷରୁ ଡା. ଅଭିଷେକ ବ୍ରହ୍ମାଙ୍କ ନେତୃତ୍ୱରେ ବୈଷୟିକ ଟିମ୍ ଶିବିରରେ ରକ୍ତ ସଂଗ୍ରହ କରିଥିଲେ। ରକ୍ତଦାତାମାନଙ୍କ ମଧ୍ୟରେ ଯୁବକଙ୍କ ସହ ବହୁ ଛାତ୍ରୀ ମଧ୍ୟ ସାମିଲ ହୋଇଥିଲେ। ବିଶେଷକରି ଅନେକ ଛାତ୍ରୀ ପ୍ରଥମ ଥର ପାଇଁ ରକ୍ତଦାନ କରି ଏହାକୁ ନିଜ ଜୀବନର ଏକ ସୌଭାଗ୍ୟର ଅନୁଭବ ବୋଲି ପ୍ରକାଶ କରିଥିଲେ।ଏହି ମେଗା ରକ୍ତଦାନ ଶିବିର ସମାଜରେ ରକ୍ତଦାନ ପ୍ରତି ସଚେତନତା ବୃଦ୍ଧି ସହ ଯୁବପିଢ଼ିଙ୍କ ମଧ୍ୟରେ ସେବା ମନୋଭାବକୁ ଅଧିକ ସୁଦୃଢ଼ କରିବାରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ପରିଗଣିତ ହୋଇଛି।
