ବକେୟା ବିଦ୍ୟୁତ ବିଲ ପାଇଁ ବିଇଓ କାର୍ଯ୍ୟାଳୟ ସମେତ ୭ ହାଇସ୍କୁଲର ବିଦ୍ୟୁତ ସଂଯୋଗ ବିଛିନ୍ନ ଅଫିସ କାମରେ ବାଧା, ପ୍ରବଳ ଗୁଳୁଗୁଳିରେ ଛାତ୍ରଛାତ୍ରୀ ହୀନସ୍ଥା
ହାଟଡିହି ତା ୧୮/୯(ମନମୋହନ ନାୟକ) : ବକେୟା ବିଦ୍ୟୁତ ବିଲ ପୈଠ ହୋଇନଥିବାରୁ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟ ସମେତ ବ୍ଲକର ୭ଟି ହାଇସ୍କୁଲର ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଇଛି। ଫଳରେ ବିଇଓ କାର୍ଯ୍ୟାଳୟରେ ଗତ ଦୁଇଦିନ ହେଲା ବିଦ୍ୟୁତ ନଥିବାରୁ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବିଦ୍ୟୁତ ନଥିବାରୁ କମ୍ପ୍ୟୁଟର ଓ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ଚାଲୁ ହୋଇପାରୁନଥିବା ବେଳେ କାର୍ଯ୍ୟାଳୟର କର୍ମଚାରୀମାନେ ଗଛ ତଳେ ବସି ସମୟ କାଟିବା ପରେ ଘରକୁ ଫେରୁଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ହାଟଡିହି ବିଇଓ କାର୍ଯ୍ୟାଳୟର ବକେୟା ବିଦ୍ୟୁତ ବିଲ ପୈଠ ହୋଇନଥିବାରୁ ଟାଟା ପାୱାର ପକ୍ଷରୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଇଛି। ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଗତ ସେପ୍ଟେମ୍ବର ମାସରେ ପ୍ରାୟ ୫ ଦିନ ଧରି ବିଇଓ କାର୍ଯ୍ୟାଳୟର ବିଦ୍ୟୁତ ସଂଯୋଗ କଟାଯାଇଥିଲା। ଏ ସମ୍ପର୍କରେ ହାଟଡିହି ବିଇଓ କାର୍ଯ୍ୟାଳୟର ଏବିଇଓ ପ୍ରମୋଦ କୁମାର ନାୟକ କହିଛନ୍ତି ଯେ, ଗତ ଫେବୃଆରୀ ମାସରେ ଅନୁଦାନ ଆସିବା ପରେ ପ୍ରାୟ ୩୦ ହଜାର ଟଙ୍କାର ବିଦ୍ୟୁତ ବିଲ ପୈଠ କରାଯାଇଥିଲା। ଏହାପରେ ଆଜି ପର୍ଯ୍ୟନ୍ତ ଆଉ ଆବଶ୍ୟକ ଅନୁଦାନ ଆସିନାହିଁ। ଚଳିତ ମାସ ସୁଦ୍ଧା ବିଇଓ କାର୍ଯ୍ୟାଳୟର ପ୍ରାୟ ୨୬ ହଜାର ଟଙ୍କା ବିଦ୍ୟୁତ ବିଲ ବକେୟା ରହିଛି। ବିଦ୍ୟୁତ ବିଲ ପୈଠ ପାଇଁ କାର୍ଯ୍ୟାଳୟରେ ଆବଶ୍ୟକ ଅନୁଦାନ ନଥିବାରୁ ବିଲ ପୈଠ କରାଯାଇପାରୁନାହିଁ। ଅନୁଦାନ ଆସିଲେ ବକେୟା ବିଲ ପୈଠ କରାଯିବ। ସେ ଆହୁରି କହିଛନ୍ତି ଯେ, ଏ ସମ୍ପର୍କରେ ଶିକ୍ଷା ବିଭାଗର ଉଚ୍ଚ ଅଧିକାରୀ ଏବଂ ବିଦ୍ୟୁତ ବିଭାଗର ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଯାଇଛି। ବର୍ତ୍ତମାନ ସରକାରୀ କାର୍ଯ୍ୟର ଅଧିକାଂଶ କାମ କମ୍ପ୍ୟୁଟର ମାଧ୍ୟମରେ ହେଉଥିବାରୁ ବିଦ୍ୟୁତ ନଥିଲେ କାର୍ଯ୍ୟାଳୟର କାମ ସମ୍ପାଦନ କରିବା ଅସମ୍ଭବ ହୋଇପଡ଼ୁଛି। ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଯାହା ପଦକ୍ଷେପ ନେବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବିଇଓ କାର୍ଯ୍ୟାଳୟ ସହିତ ବ୍ଲକର ୭ଟି ସରକାରୀ ହାଇସ୍କୁଲରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ସରକାରୀ ହାଇସ୍କୁଲଗୁଡ଼ିକର ବିଦ୍ୟୁତ ବିଲ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୈଠ କରାଯାଉଥିବା ବେଳେ ବକେୟା ବିଲ ପୈଠ ହୋଇନଥିବାରୁ ଟାଟା ପାୱାର ପକ୍ଷରୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଇଥିବା ଜଣାପଡ଼ିଛି। ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଥିବା ସ୍କୁଲଗୁଡ଼ିକ ମଧ୍ୟରେ ପିଏମ୍ଶ୍ରୀ ଷଡ଼ଙ୍ଗ ରାମ ବିକ୍ରମ ହାଇସ୍କୁଲ, ହାଟଡିହି ହାଇସ୍କୁଲ, ସୁନ୍ଦରାପାଳ ହାଇସ୍କୁଲ, ବ୍ରାହ୍ମଣୀକଳା ହାଇସ୍କୁଲ ଏବଂ ଜଳସରପୁର ହାଇସ୍କୁଲ ରହିଛି। ଅନ୍ୟ ସ୍କୁଲଗୁଡ଼ିକରେ ମଧ୍ୟ ବକେୟା ବିଲକୁ ନେଇ ସମସ୍ୟା ଦେଖାଦେଇଥିବା ଜଣାପଡ଼ିଛି। ବିଦ୍ୟୁତ ସଂଯୋଗ ବିଛିନ୍ନ ଯୋଗୁଁ ଆଜି ପ୍ରବଳ ଖରା ସହିତ ଅସହ୍ୟ ଗୁଳୁଗୁଳି ମଧ୍ୟରେ ସ୍କୁଲରେ ପାଠପଢ଼ା ପ୍ରଭାବିତ ହୋଇଛି। ବିଦ୍ୟୁତ ନଥିବାରୁ ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନେ ଅସ୍ୱାଭାବିକ ଗରମର ସମ୍ମୁଖୀନ ହୋଇଥିଲେ। ଅନେକ ଛାତ୍ରଛାତ୍ରୀ ଶ୍ରେଣୀଗୃହ ଭିତରେ ବସିବାରେ ଅସୁବିଧା ଅନୁଭବ କରିଥିବା ଅଭିଯୋଗ ହୋଇଛି। ଏଥିସହିତ ବିଦ୍ୟୁତ ନଥିବାରୁ ସ୍କୁଲଗୁଡ଼ିକରେ ଚାଲୁଥିବା ସ୍ମାର୍ଟ କ୍ଲାସରୁମ୍ ଶିକ୍ଷାଦାନ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଡିଜିଟାଲ ଉପକରଣ ଓ ପ୍ରୋଜେକ୍ଟର ଆଦି ବ୍ୟବହାର କରି ହେଉଥିବା ଶିକ୍ଷାଦାନ ବନ୍ଦ ରହିଥିବାରୁ ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ ଟାଟା ପାୱାରର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରେ ସେ କହିଥିଲେ ଯେ, ସଂପୃକ୍ତ ସ୍ଥାନଗୁଡ଼ିକରେ ସ୍ମାର୍ଟ ମିଟର ଲାଗିଛି। ବିଦ୍ୟୁତ ବିଲ ବକେୟା ରହି ଡିଫଲ୍ଟର ହେଲେ ସ୍ମାର୍ଟ ମିଟର ବ୍ୟବସ୍ଥା ଅନୁଯାୟୀ ଆପେଆପେ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଯାଏ। ଏଥିରେ ବିଭାଗୀୟ ନିୟମ ଅନୁଯାୟୀ ପଦକ୍ଷେପ ନିଆଯାଉଥିବାରୁ ସେମାନେ ଏଥିରେ କିଛି କରିପାରିବେ ନାହିଁ ବୋଲି କନିଷ୍ଠ ଯନ୍ତ୍ରୀ କହିଥିଲେ। ବିଦ୍ୟୁତ ବିଲ ପୈଠ ନହେବାରୁ ଗୋଟିଏ ପଟେ ବିଇଓ କାର୍ଯ୍ୟାଳୟର ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଅନ୍ୟପଟେ ବିଦ୍ୟୁତ ବିଚ୍ଛିନ୍ନ ଯୋଗୁଁ ବିଦ୍ୟାଳୟରେ ପାଠପଢ଼ା ଓ ସ୍ମାର୍ଟ କ୍ଲାସ ପ୍ରଭାବିତ ହେବା ଘଟଣା ଶିକ୍ଷା ବିଭାଗର ଆର୍ଥିକ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛି। ଏହାର ସ୍ଥାୟୀ ସମାଧାନ ପାଇଁ ଶିକ୍ଷା ବିଭାଗ ଓ ବିଦ୍ୟୁତ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ଛାତ୍ରଛାତ୍ରୀ, ଅଭିଭାବକ ଓ କର୍ମଚାରୀମାନେ ଦାବି କରିଛନ୍ତି।
