ନୂଆଁଖାଇ ଭେଟଘାଟରେ ଏକତା ଓ ଭାଇଚାରାର ବାର୍ତ୍ତା ମାରୱାଡ଼ି ଯୁବା ମଞ୍ଚର ସାରସ୍ୱତ ସମାରୋହରେ ପୋଷଣ, ସଂସ୍କୃତି ଓ ସାମାଜିକ ସଦଭାବ ଉପରେ ଗୁରୁତ୍ୱ
ସମ୍ବଲପୁର, ୧୬/୦୯: ମାରୱାଡ଼ି ଯୁବା ମଞ୍ଚ, ସମ୍ବଲପୁର ପକ୍ଷରୁ ଆୟୋଜିତ ‘ନୂଆଁଖାଇ ଭେଟଘାଟ-୨୦୨୬’ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଏହି ସାରସ୍ୱତ ସମାରୋହ ମାଧ୍ୟମରେ ସମାଜରେ ଏକତା, ଭାଇଚାରା, ଆଞ୍ଚଳିକ ସଂସ୍କୃତି ପ୍ରତି ସମ୍ମାନ ଓ ସାମାଜିକ ଦାୟିତ୍ୱର ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଥିଲେ ଯେ, ନୂଆଁଖାଇର ମୂଳ ମହତ୍ତ୍ୱ ହେଉଛି ପ୍ରଥମ ଶସ୍ୟ ବା ‘ନବାନ୍ନ’ ଗ୍ରହଣ କରିବା। ଏହା ଆମ ସମାଜ, ଐତିହ୍ୟ, ସଂସ୍କୃତି ଓ କୃଷିର ମୂଳ ଆଧାର ସହ ଜଡ଼ିତ। ଆଜି ଦେଶରେ ଖାଦ୍ୟର ଅଭାବ ତୁଳନାରେ ପୁଷ୍ଟିକର ଖାଦ୍ୟ ଓ ପୋଷଣ ସୁରକ୍ଷା ଏକ ବଡ଼ ଆହ୍ୱାନ ହୋଇଛି। ନବଜାତ ଶିଶୁ, କିଶୋର-କିଶୋରୀ ଓ ଗର୍ଭବତୀ ମହିଳାଙ୍କ ସଠିକ୍ ପୋଷଣ ଓ ସ୍ୱାସ୍ଥ୍ୟର ଯତ୍ନ ନେବା ସମସ୍ତଙ୍କର ନୈତିକ ଓ ସାମାଜିକ ଦାୟିତ୍ୱ ବୋଲି ସେ ମତବ୍ୟକ୍ତ କରିଥିଲେ। ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହୋଇଥିବା ପବିତ୍ର ନବାନ୍ନକୁ ‘ପୋଷଣ ଅଭିଯାନ’ ସହ ଯୋଡ଼ି ଏକ ସୁସ୍ଥ ଓ ନିରୋଗ ସମାଜ ଗଠନ ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ସେ ଆହ୍ୱାନ ଦେଇଥିଲେ।
ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଥିଲେ ଯେ, ଆମେ ଯେଉଁଠାରୁ ଆସିଥାଉ ନା କାହିଁକି, ସମସ୍ତେ ଏକ। ନୂଆଁଖାଇ ଦିନ ନୂଆ ଧାନରେ ପ୍ରସ୍ତୁତ ଖିରି-ପୁରୀ ଆଦି ଖାଦ୍ୟ ସମସ୍ତେ ଏକାଠି ବସି ଗ୍ରହଣ କରିବା ଉଚିତ। ଏହି ଅବସରରେ ସମସ୍ତେ ଆଞ୍ଚଳିକ ଗୌରବର ପ୍ରତୀକ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବାକୁ ସେ ଗୁରୁତ୍ୱ ଦେଇଥିଲେ।
କଂଗ୍ରେସର ବରିଷ୍ଠ ନେତା ସୁରେସ୍ୱର ମିଶ୍ର ମାରୱାଡ଼ି ଯୁବା ମଞ୍ଚର ପ୍ରୟାସକୁ ପ୍ରଶଂସା କରି କହିଥିଲେ ଯେ, କାର୍ଯ୍ୟକ୍ରମକୁ ହିନ୍ଦୀ ପରିବର୍ତ୍ତେ ଆଞ୍ଚଳିକ ଭାଷାରେ ପରିଚାଳନା କରାଯିବା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ। ନିଜ ମାଟିର ଭାଷା ଓ ସଂସ୍କୃତିକୁ ବଜାୟ ରଖିବା ଦିଗରେ ଏହା ଏକ ପ୍ରଶଂସନୀୟ ଉଦ୍ୟମ ବୋଲି ସେ କହିଥିଲେ।
ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ନୂଆଁଖାଇ କେବଳ ଏକ ପର୍ବ ନୁହେଁ; ଏହା ଆମ ପରମ୍ପରା, ସଂସ୍କୃତି ଓ ସଦଭାବନାର ପ୍ରତୀକ। ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଥିବା ଏକତା ଓ ଆନ୍ତରିକତା ତାଙ୍କୁ ଅଭିଭୂତ କରିଥିବା ସେ କହିଥିଲେ। ସମାଜକୁ ଏକତା ସୂତ୍ରରେ ବାନ୍ଧି ରଖିବା ସହ ସମୃଦ୍ଧ ସଂସ୍କୃତିକୁ ଆଗକୁ ନେବାରେ ମାରୱାଡ଼ି ଯୁବା ମଞ୍ଚର ଉଦ୍ୟମ ସ୍ୱାଗତଯୋଗ୍ୟ ବୋଲି ସେ ମତ ଦେଇଥିଲେ।
ରେଢ଼ାଖୋଲ ବିଧାୟକ ତଥା ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ, ସେ ଦୀର୍ଘଦିନ ଧରି ମାରୱାଡ଼ି ଯୁବା ମଞ୍ଚ ସହିତ ଜଡ଼ିତ ଅଛନ୍ତି ଏବଂ ଏହାର ବିଭିନ୍ନ ଜନହିତକର ସେବା କାର୍ଯ୍ୟରେ ନିଜକୁ ସାମିଲ କରିଆସୁଛନ୍ତି। ଆମେ କିଏ, କେଉଁଠାରୁ ଆସିଛୁ ତାହା ଅପେକ୍ଷା ମାଟିର ସଂସ୍କୃତିକୁ ଆପଣାଇ ସମସ୍ତେ ଏକତା ଓ ଭାଇଚାରାର ସହ ଆଗକୁ ବଢ଼ିବା ହିଁ ପ୍ରକୃତ ପରିଚୟ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ଉପସ୍ଥିତ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଓ ପୁରୁଖା ନେତୃବୃନ୍ଦ ନୂଆଁଖାଇର ମହତ୍ତ୍ୱ, ସାମାଜିକ ସମନ୍ୱୟ, ଆଞ୍ଚଳିକ ଭାଷା ଓ ସଂସ୍କୃତିର ସୁରକ୍ଷା ଏବଂ ସେବାମୂଳକ କାର୍ଯ୍ୟକୁ ନେଇ ନିଜର ମତ ରଖିଥିଲେ। ଏହି ଅବସରରେ ମାରୱାଡ଼ି ଯୁବା ମଞ୍ଚର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଙ୍କୁ ଅତିଥିମାନେ ସଫଳ ଆୟୋଜନ ପାଇଁ ସାଧୁବାଦ ଜଣାଇଥିଲେ।
