June 17, 2026

ନିସ୍ତିପୁରରେ ମାଙ୍କଡ଼ ଅତଙ୍କ : ୯ ଜଣ ଆହତ, ବନ୍ୟଜୀବଙ୍କ ବଞ୍ଚିବାର ସଂଗ୍ରାମ ନେଇ ପ୍ରଶ୍ନ

IMG-20260616-WA0055
Share

 

 

ସାନଖେମୁଣ୍ଡି, ୧୬/୦୬:(ବିଜୟ କୁମାର ପ୍ରଧାନ )ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ନିସ୍ତିପୁର ଗ୍ରାମରେ ମାଙ୍କଡ଼ ଆକ୍ରମଣରେ ୯ ଜଣ ଆହତ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଚିକିତ୍ସାଳୟକୁ ପଠାଯାଇଛି। ଏହି ଘଟଣା ପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠିଛି—ମାଙ୍କଡ଼ମାନେ କାହିଁକି ବାରମ୍ବାର ଗ୍ରାମ ଓ ଜନବସତି ଅଞ୍ଚଳକୁ ପ୍ରବେଶ କରୁଛନ୍ତି? ପରିବେଶବିତ୍ ଓ ସାମାଜିକ କର୍ମୀମାନଙ୍କ ମତରେ ଜଙ୍ଗଲ ହ୍ରାସ, ଖାଦ୍ୟ ଓ ପାଣିର ଅଭାବ, ବନ୍ୟଜୀବଙ୍କ ବାସସ୍ଥାନରେ ମାନବ ହସ୍ତକ୍ଷେପ ଭଳି କାରଣ ଏଥିପାଇଁ ଦାୟୀ ହୋଇପାରେ। କେତେକ ସ୍ଥାନରେ ପାହାଡ଼ ଓ ଜଙ୍ଗଲ ଅଞ୍ଚଳରେ ଖଣି ଓ ବ୍ଲାଷ୍ଟିଂ କାର୍ଯ୍ୟକଳାପ ମଧ୍ୟ ବନ୍ୟଜୀବଙ୍କ ଆବାସ ଉପରେ ପ୍ରଭାବ ପକାଉଥିବା ନେଇ ଚର୍ଚ୍ଚା ହେଉଛି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏକ ଭାବନା ମଧ୍ୟ ପ୍ରକାଶ ପାଉଛି ଯେ, ଆମେ ମନ୍ଦିରରେ ହନୁମାନଙ୍କ ପ୍ରତିମୂର୍ତ୍ତିକୁ ପୂଜା କରୁଥିବା ବେଳେ ପ୍ରକୃତିରେ ବଞ୍ଚିଥିବା ଏହି ପ୍ରାଣୀମାନଙ୍କ ପ୍ରତି ସହାନୁଭୂତି ଦେଖାଇବାରେ ବିଫଳ ହେଉଛୁ। ଭୋକ ଓ ପାଣିର ସନ୍ଧାନରେ ଜନବସତିକୁ ଆସୁଥିବା ବନ୍ୟଜୀବଙ୍କୁ ଆମେ ଅନେକ ସମୟରେ ଉପଦ୍ରବକାରୀ ବୋଲି ଆଖ୍ୟା ଦେଇ ତଡ଼ି ଦେଉଛୁ। ତେବେ ଗ୍ରାମବାସୀଙ୍କ ସୁରକ୍ଷା ସହ ବନ୍ୟଜୀବଙ୍କ ସଂରକ୍ଷଣ ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ବନ ବିଭାଗ ଏହି ଘଟଣାର ତଦନ୍ତ କରି ମାଙ୍କଡ଼ମାନଙ୍କ ଗ୍ରାମମୁଖୀ ହେବାର ପ୍ରକୃତ କାରଣ ଚିହ୍ନଟ କରି ଉପଯୁକ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।