June 16, 2026

ମଦମୁକ୍ତ ଓଡ଼ିଶା ଦାବିରେ ତ୍ରିରଙ୍ଗା ଯାତ୍ରା ର ପଞ୍ଚମ ଦିବସ

IMG-20260616-WA0035
Share

 

ଭୁବନେଶ୍ୱର,୧୬/୬(ଉପାନ୍ତ ଖବର) : କ୍ଷମତାସୀନ ବିଜେପି ସରକାର ନିଜର ଦୁଇବର୍ଷ ପୂର୍ତ୍ତୀ ଉତ୍ସବ ପାଳନ କରୁଥିବା ବେଳେ ରାଜ୍ୟକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି କୁ ଭୁଲିଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୨୪ ସାଧାରଣ ନିର୍ବାଚନ ସମୟରେ ବିଜେପି ପକ୍ଷରୁ ଜାରି କରାଯାଇଥିବା ସଙ୍କଳ୍ପପତ୍ରରେ ଓଡିଶାକୁ ମଦମୁକ୍ତ ରାଜ୍ୟ କରିବା ପାଇଁ ଘୋଷଣା କରିଥିଲା। ଓଡ଼ିଶାକୁ ମଦମୁକ୍ତ କରିବା ପରିବର୍ତ୍ତେ ଓଡ଼ିଶାରେ ବିଜେପି ସରକାର ମଦ ପ୍ରସାରଣ କାର୍ଯ୍ୟରେ ମାତିଛନ୍ତି। ଏହାର ପ୍ରତିବାଦ କରି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ( ମୋନା) ତୁରନ୍ତ ରାଜ୍ୟ ସରକାର ନିଜର ନିର୍ବାଚନ ପ୍ରତିଶ୍ରୁତି ରକ୍ଷା କରି ଓଡିଶାକୁ ସମ୍ପୂର୍ଣ୍ଣ ମଦମୁକ୍ତ ପାଇଁ ସରକାରଙ୍କ ନିକଟରେ କ୍ରମାଗତ ଭାବେ ଦାବି କରିଆସୁଛି।ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ପ୍ରତ୍ୟେହ ଅପରାହ୍ନ ୫ଟା ରେ ଚାଲିଥିବା ଏହି ତ୍ରିରଙ୍ଗା ଯାତ୍ରା ଆଜି ପଞ୍ଚମ ଦିବସରେ ପହଞ୍ଚିଛି।ସମ୍ପୂର୍ଣ୍ଣ ନିଶା ନିବାରଣ ଆଇନର ପ୍ରଣେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତୀ ଠାରୁ ଆରମ୍ଭ ହୋଇଥିବା ତ୍ରିରଙ୍ଗା ଯାତ୍ରା ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲା। ସରକାର ଓଡିଶାକୁ ମଦମୁକ୍ତ ରାଜ୍ୟ ଘୋଷଣା କରିବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ତ୍ରିରଙ୍ଗା ଯାତ୍ରା ଜାରି ରହିବ ବୋଲି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପଞ୍ଚମ ଦିନର ଏହି ତ୍ରିରଙ୍ଗା ଯାତ୍ରାରେ ଶାନ୍ତିଲତା ରାଉତରାୟ, ରାଜଶ୍ରୀ ବିଶ୍ବାଳ, ପ୍ରଭାତୀ ଦାଶ, ପ୍ରଭାସିନୀ ସାମନ୍ତରାୟ ପ୍ରମୁଖ ନେତୃତ୍ୱ ନେଇଥିଲା ବେଳେ ମୋନା ର ସଭାପତି ପଦ୍ମଚରଣ ନାୟକ, ଦୁର୍ଗାପ୍ରସାଦ ଦାସ, ଶୁଭେନ୍ଦୁ ରାଉତରାୟ, ବିଶ୍ବଜିତ ମହାନ୍ତି, ସ୍ନେହାଂଶୁ ଜେନା , ଅର୍ଜୁନ ସାମନ୍ତରାୟ, ଖଗେଶ୍ୱର ବଳ, ବିଷ୍ଣୁ ଚରଣ ସାମନ୍ତରାୟ, ମଧୁସୂଦନ ଗୌଡ ପ୍ରମୁଖ ତ୍ରିରଙ୍ଗା ଯାତ୍ରୀମାନଙ୍କୁ ସହାୟତା କରିଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।