ବରାଙ୍ଗ ଛକରେ କଂଗ୍ରେସର ଜନ ସମାବେଶ, ଫସର ଫାଟିଲା ମିଶ୍ରଣ ପର୍ବ
, ହାଟଡିହି ତା ୨୯/୧୧(ମନମୋହନ ନାୟକ) : ସମଣା ଗ୍ରାମପଞ୍ଚାୟତ କଂଗ୍ରେସ କମିଟି ପକ୍ଷରୁ ବରାଙ୍ଗ ଛକଠାରେ ଆୟୋଜିତ କଂଗ୍ରେସର ଜନ ସମାବେଶ ଅନୁଷ୍ଠିତ ହୋଇ ଯାଇଛି। ଏକ ବଡ଼ ଜନସମାବେଶ ସହ ବିଭିନ୍ନ ଦଳର କର୍ମୀଙ୍କ ମିଶ୍ରଣକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଶାନୁରୁପ ଜନସମାଗମ ନହେବାରୁ ମିଶ୍ରଣ ପର୍ବ ଫସର ଫାଟିଥିବା ଚର୍ଚ୍ଚା ହେଉଛି। ଏହି ଅବସରରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, କଂଗ୍ରେସ ଜିଲ୍ଲା ସଭାପତି ମନୋଜ କୁମାର ଜେନା, ରବିନାରାୟଣ ପାତ୍ର, ଅଖିଳ ରାଉଳ, ଆମ୍ବୋ ସରପଞ୍ଚ ପ୍ରତିନିଧି ସୁବ୍ରତ ମହାପାତ୍ର, ନଗର ସଭାପତି ହାଡିବନ୍ଧୁ ଖୁଣ୍ଟିଆ, ପିତାମ୍ବର ପାଢ଼ୀ, ସମାଜସେବୀ ଅଲେଖ ମଲ୍ଲିକ, ବାସୁଦେବ ଦାସ, ବିନୀତା ମାଝୀ, ବିଜୟ କୁମାର ଜେନା, ବ୍ଲକ ସଭାପତି ରମେଶ ଚନ୍ଦ୍ର ବାରିକ, ଜିତେନ୍ଦ୍ର କୁମାର ବିଶ୍ୱାଳ, ସୁମନ୍ତ କୁମାର ରଣା ଓ କୃଷ୍ଣଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇଥିଲେ। ଏହି ସଭାରେ “ଭୋଟ୍ ଚୋର, ଗାଦି ଛାଡ଼” ଓ “ସମ୍ବିଧାନ ବଞ୍ଚାଅ, ଗଣତନ୍ତ୍ର ବଞ୍ଚାଅ” ଆହ୍ୱାନକୁ ଆଗକୁ ନେବା ସହ ଜନସ୍ୱାର୍ଥର ଲଢ଼େଇକୁ ଅଧିକ ସଶକ୍ତ କରିବା ପାଇଁ କଂଗ୍ରେସ କର୍ମୀମାନେ ଏକଜୁଟ ହେବାର ସଂକଳ୍ପ ନେଇଥିଲେ। ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ସାଂଗଠନିକ ସ୍ଥିତିକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା, ସ୍ଥାନୀୟ ଜନସମସ୍ୟା, ସରକାରଙ୍କ ଦୁର୍ନୀତି ଓ ଜନବିରୋଧୀ କାର୍ଯ୍ୟକଳାପ ବିରୋଧରେ ଜନମତ ସୃଷ୍ଟି କରିବା ସହ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ନେଇ ଆଲୋଚନା ହୋଇଥିଲା। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ନିଜ ବକ୍ତବ୍ୟରେ କଂଗ୍ରେସ ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ଏବଂ ସାଧାରଣ ଜନତାଙ୍କ ହକ୍ର ଲଢ଼େଇକୁ ଆଗକୁ ନେବା ଦଳର ମୁଖ୍ୟ ଲକ୍ଷ୍ୟ ବୋଲି କହିଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ଏକ ବଡ଼ ଧରଣର ମିଶ୍ରଣ ପର୍ବ ହେବାକୁ ଥିବାବେଳେ, ଅନ୍ୟ ଦଳରୁ ଯୋଗଦେବାକୁ ଥିବା କର୍ମୀମାନେ ଆସିନଥିବାରୁ ମିଶ୍ରଣପର୍ବ ହୋଇପାରିନଥିଲା। କଂଗ୍ରେସ ଜିଲ୍ଲା ମୁଖପାତ୍ର ବିଶ୍ୱରଞ୍ଜନ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।
