ଉମରକୋଟ ନିକଟସ୍ଥ ବେହେଡ଼ାରେ ‘ମନ୍ କି ବାତ୍’ ସହ ଯୁବ ସମ୍ବାଦ କାର୍ଯ୍ୟକ୍ରମ, ଯୁବକଙ୍କ ସହ ରୋଜଗାର ଓ ଆତ୍ମନିର୍ଭରଶୀଳତା ନେଇ ଆଲୋଚନା କଲେ ମନ୍ତ୍ରୀ…….
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ପଞ୍ଚାୟତ ସମିତି ଅନ୍ତର୍ଗତ ବେହେଡ଼ା ମଣ୍ଡଳର ବେହେଡ଼ା ବିଦ୍ୟାଳୟ ପଡ଼ିଆଠାରେ ରବିବାର ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ସହ ‘ଯୁବ ସମ୍ବାଦ’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବପିଢ଼ିଙ୍କ ସହ ମତବିନିମୟ କରିଥିଲେ।ପ୍ରଥମେ ଉପସ୍ଥିତ ଯୁବକ ଓ ଅନ୍ୟମାନେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ ଅଭିଭାଷଣର ସିଧା ପ୍ରସାରଣ ଶ୍ରବଣ କରିଥିଲେ। ଏଥିରେ ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟଠାରୁ ଦୂରେଇ ରହିବା ସହ ନିଶାମୁକ୍ତ ଭାରତ ଗଠନରେ ସହଯୋଗ କରିବାକୁ ଆହ୍ୱାନ ଦିଆଯାଇଥିଲା।ପରବର୍ତ୍ତୀ ସମୟରେ ଆୟୋଜିତ ଯୁବ ସମ୍ବାଦ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଯୁବକମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଭବିଷ୍ୟତ, ନିଯୁକ୍ତି ସୁଯୋଗ ଓ ଆତ୍ମନିର୍ଭରଶୀଳତା ସମ୍ପର୍କରେ ମତ ରଖିଥିଲେ। କେବଳ ସରକାରୀ ଚାକିରି ଉପରେ ନିର୍ଭର ନକରି ବିଭିନ୍ନ ଆତ୍ମନିଯୁକ୍ତିଭିତ୍ତିକ କାର୍ଯ୍ୟକ୍ରମରେ ଯୁବକମାନେ ସାମିଲ ହେବାକୁ ସେ ପରାମର୍ଶ ଦେଇଥିଲେ। କୁକୁଡ଼ା ପାଳନ, ମତ୍ସ୍ୟଚାଷ, ଗୋପାଳନ, ଛେଳି ଓ ମେଣ୍ଢା ପାଳନ ଭଳି ଜୀବିକାଭିତ୍ତିକ ଉଦ୍ୟୋଗ ପାଇଁ ସରକାରଙ୍କ ପକ୍ଷରୁ ୫୫ ପ୍ରତିଶତ କିମ୍ବା ତଦୂର୍ଦ୍ଧ୍ୱ ସବସିଡି ମିଳୁଥିବା ସମ୍ପର୍କରେ ସେ ସୂଚନା ଦେଇଥିଲେ। ଏହି ଯୋଜନାଗୁଡ଼ିକର ସୁଯୋଗ ନେଇ ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟମାନଙ୍କ ପାଇଁ ମଧ୍ୟ ରୋଜଗାରର ସୁଯୋଗ ସୃଷ୍ଟି କରିବାକୁ ଯୁବକମାନଙ୍କୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ଯୁବକମାନେ ଉତ୍ସାହର ସହ ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ନିଜର ମତାମତ ରଖିଥିଲେ। ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣ ଓ ଆଗ୍ରହକୁ ମନ୍ତ୍ରୀ ପ୍ରଶଂସା କରିଥିଲେ। ଯୁବକମାନଙ୍କୁ ରୋଜଗାର, ଆତ୍ମନିର୍ଭରଶୀଳତା ଓ ସାମାଜିକ ଦାୟିତ୍ୱବୋଧ ପ୍ରତି ସଚେତନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
