November 29, 2026

ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ପକ୍ଷରୁ ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା୧୭ଟି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ,ଆୟାଂଶ ମିଶ୍ର ପ୍ରଥମ……

IMG-20261129-WA0092
Share

ସମ୍ବଲପୁର, ୨୯/୧୧: ସଂସ୍କୃତ ଭାଷା, ଭାରତୀୟ ଆଧ୍ୟାତ୍ମିକ ଚେତନା ଓ ନୈତିକ ମୂଲ୍ୟବୋଧର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତଥା ଡଃ ସରିତା ମାଝୀ ସ୍ମୃତି କମିଟି ପକ୍ଷରୁ ରବିବାର ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସମ୍ବଲପୁର ଜିଲ୍ଲାର ହାଇସ୍କୁଲ ଓ ଉଚ୍ଚ ମାଧ୍ୟମିକ ସ୍ତରର ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାରେ ଭଗବଦ୍‌ଗୀତାର ପଞ୍ଚଦଶ ଅଧ୍ୟାୟ ‘ପୁରୁଷୋତ୍ତମ ଯୋଗ’ର ଶ୍ଳୋକ ଆବୃତ୍ତି କରାଯାଇଥିଲା। ଜିଲ୍ଲାର ୧୭ଟି ହାଇସ୍କୁଲ ଓ ମହାବିଦ୍ୟାଳୟରୁ ପ୍ରତିଯୋଗୀମାନେ ଏଥିରେ ଅଂଶଗ୍ରହଣ କରି ଶାନ୍ତ ଓ ଆଧ୍ୟାତ୍ମିକ ପରିବେଶରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।ଏହି ଅବସରରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀର ଅଧ୍ୟକ୍ଷ ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ମୁଖ୍ୟ ଅତିଥି, ରଘୁନାଥ ମିଶ୍ର ସମ୍ମାନିତ ଅତିଥି ଏବଂ ଇଂ. ବିଭୂତି ନାରାୟଣ ମାଝୀ ଉଦ୍ୟୋକ୍ତା ଭାବେ ମଞ୍ଚାସୀନ ଥିଲେ। ରାହାସବିହାରୀ ପଣ୍ଡା, ଶ୍ରୀମତୀ ରଞ୍ଜିତା ରାଣୀ ହୋତା ଓ ଶ୍ରୀମତୀ ଚନ୍ଦ୍ରପ୍ରଭା କର ବିଚାରକ ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କ ପ୍ରଦର୍ଶନର ମୂଲ୍ୟାୟନ କରିଥିଲେ।ପ୍ରତିଯୋଗିତାରେ ସରସ୍ୱତୀ ଶିଶୁ ମନ୍ଦିର, ଧନୁପାଲିର ଆୟାଂଶ ମିଶ୍ର ପ୍ରଥମ, ଲେଡି ଲୁଇସ୍ ବାଳିକା ବିଦ୍ୟାଳୟର ଅଙ୍କିତା ସାହୁ ଦ୍ୱିତୀୟ ଏବଂ ଯୁଯୁମୁରା ସରକାରୀ ବିଦ୍ୟାଳୟର କୁମୁଦିନୀ ବିଶ୍ୱାଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେମାନଙ୍କୁ ଯଥାକ୍ରମେ ୪ ହଜାର, ୩ ହଜାର ଓ ୨ ହଜାର ଟଙ୍କାର ନଗଦ ପୁରସ୍କାର ସହ ଡଃ ସରିତା ମାଝୀ ସ୍ମାରକୀ ଟ୍ରଫି ଓ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସେହିପରି ଆଭାସ ଧର ଓ ଅର୍ଣ୍ଣବ ଗୁପ୍ତାଙ୍କୁ ପ୍ରତ୍ୟେକ ଏକ ହଜାର ଟଙ୍କା ଲେଖାଏଁ ସାନ୍ତ୍ୱନାମୂଳକ ପୁରସ୍କାର ଦିଆଯାଇଥିଲା। ଅନ୍ୟ ସମସ୍ତ ଅଂଶଗ୍ରହଣକାରୀଙ୍କୁ ମଧ୍ୟ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ଲାଇବ୍ରେରୀର ଯୁଗ୍ମ ସମ୍ପାଦକ ରାଜେନ୍ଦ୍ର କୁମାର ପଣ୍ଡା କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ସଭ୍ୟ ଅଶୋକ ମିଶ୍ର ଓ ଶିବଶଙ୍କର ଷଡ଼ଙ୍ଗୀ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ବହୁ ବୁଦ୍ଧିଜୀବୀ, ବିଦ୍ୟାଳୟର ପ୍ରଧାନଶିକ୍ଷକ, ଅଭିଭାବକ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।ସ୍ୱର୍ଗତା ଡଃ ସରିତା ମାଝୀ ଜଣେ ସଂସ୍କୃତ ବିଦୁଷୀ ଥିଲେ। ତାଙ୍କର ସ୍ମୃତିକୁ ଅମର କରିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୀତା ଅଧ୍ୟୟନ ଓ ସଂସ୍କୃତ ଶ୍ଳୋକ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ତାଙ୍କ ସ୍ୱାମୀ ଇଂ. ବିଭୂତି ନାରାୟଣ ମାଝୀ ଗତ ତିନିବର୍ଷ ଧରି ଏହି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛନ୍ତି। ଶେଷରେ ଧନ୍ୟବାଦ ଅର୍ପଣ ପରେ ମଧ୍ୟାହ୍ନ ଭୋଜନ ସହ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା।

You may have missed