November 14, 2026

ପ୍ରତିମା ଦାସ କର୍କଟ ରୋଗରେ ଆକ୍ରାନ୍ତ ହୋଇ ନିଜ ଜୀବନ ସହ ସଂଘର୍ଷ କରୁଛନ୍ତି..

IMG-20261114-WA0087
Share

-କୁକୁଡ଼ାଖଣ୍ତି( ପି. କୃଷ୍ଣମୂର୍ତ୍ତି)ନିଜେ ଯନ୍ତ୍ରଣାରେ ଜର୍ଜରିତ, ତଥାପି ଅନ୍ୟଙ୍କ ମୁହଁରେ ହସ ଫୁଟାଇବା ଏବଂ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଜାରି ରଖିଛନ୍ତି ସଂଘର୍ଷ। ନିଜ ଜୀବନରେ ମୃତ୍ୟୁର କଳାବାଦଲ ଘୋଟି ଆସିଥିଲେ ମଧ୍ୟ ସେବା ମନୋଭାବରୁ ଓହରି ନାହାନ୍ତି। ଏହା କୌଣସି କାଳ୍ପନିକ କାହାଣୀ ନୁହେଁ, ବରଂ କୁକୁଡ଼ାଖଣ୍ଡି ଗ୍ରାମର ୪୭ ବର୍ଷୀୟା ଆଶାକର୍ମୀ ପ୍ରତିମା ଦାସଙ୍କ ଜୀବନର ଏକ ହୃଦୟବିଦାରକ ବାସ୍ତବତା।ଦୀର୍ଘଦିନ ଧରି ଅଞ୍ଚଳବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରି ଆସିଛନ୍ତି ପ୍ରତିମା। ଗର୍ଭବତୀ ମହିଳାଙ୍କ ଯତ୍ନଠାରୁ ଆରମ୍ଭ କରି ନବଜାତ ଶିଶୁଙ୍କ ପୋଷଣ, ସ୍ୱାସ୍ଥ୍ୟ ସଚେତନତା ଏବଂ ଗ୍ରାମାଞ୍ଚଳର ଲୋକଙ୍କୁ ଚିକିତ୍ସା ସେବା ସହ ଯୋଡ଼ିବା ପର୍ଯ୍ୟନ୍ତ ନିଜର ଦାୟିତ୍ୱ ନିଷ୍ଠାର ସହ ତୁଲାଇ ଆସିଛନ୍ତି। ଅନେକ ପରିବାରର ଦୁଃଖ ସମୟରେ ସାହାରା ପାଲଟିଥିବା ଏହି ମହିଳାଙ୍କ ଜୀବନରେ ଆଜି ନିଜେ ଏକ ବଡ଼ ସଙ୍କଟ ଦେଖାଦେଇଛି। ସୂଚନା ଅନୁଯାୟୀ, ପ୍ରତିମା ଦାସ ବର୍ତ୍ତମାନ ମୁଖଗହ୍ୱର କର୍କଟ ବା ମାଉଥ୍ କ୍ୟାନ୍ସରରେ ଆକ୍ରାନ୍ତ। ରୋଗର ଦ୍ୱିତୀୟ ପର୍ଯ୍ୟାୟରେ ଥିବାରୁ ଉନ୍ନତମାନର ଚିକିତ୍ସା ସହ ଅସ୍ତ୍ରୋପଚାରର ଆବଶ୍ୟକତା ରହିଛି। କିନ୍ତୁ ଏଥିପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବା ତାଙ୍କ ପରିବାର ପକ୍ଷେ ଅସମ୍ଭବ ହୋଇପଡ଼ିଛି। ତାଙ୍କର କୌଣସି ଖରାପ ଅଭ୍ୟାସ ନଥିବା ସତ୍ତ୍ୱେ ଏଭଳି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହେବା ପରିବାରକୁ ଗଭୀର ମାନସିକ ଆଘାତ ଦେଇଛି। ପ୍ରତିମାଙ୍କ ପରିବାରରେ ସ୍ୱାମୀ ଅମର ଦାସ, ପୁଅ, ଝିଅ ଓ ଶଶୁରଙ୍କୁ ମିଶାଇ ମୋଟ ୫ ଜଣ ସଦସ୍ୟ ଅଛନ୍ତି। ସ୍ୱାମୀ ଅମର ଦାସ ଜଣେ ଦିନମଜୁରିଆ। ଦିନକୁ ଯାହା ରୋଜଗାର ହୁଏ, ସେଥିରେ ପରିବାରର ଦୈନନ୍ଦିନ ଖର୍ଚ୍ଚ ଓ ପିଲାମାନଙ୍କ ପାଠପଢ଼ା ଚଳାଇବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ଏଭଳି ସ୍ଥିତିରେ ପତ୍ନୀଙ୍କ ଉଚ୍ଚମାନର ଚିକିତ୍ସା ଓ ଅସ୍ତ୍ରୋପଚାର ପାଇଁ ବିପୁଳ ଅର୍ଥ ଯୋଗାଡ଼ କରିବା ତାଙ୍କ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି। ସରକାରଙ୍କ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବୀମା ଯୋଜନା ଥିଲେ ମଧ୍ୟ ଚିକିତ୍ସାର ସମସ୍ତ ଆବଶ୍ୟକତା ପୂରଣ ପାଇଁ ତାହା ପର୍ଯ୍ୟାପ୍ତ ହେଉନଥିବା ପରିବାର ପକ୍ଷରୁ ଜଣାପଡ଼ିଛି। ନିଜ ଔଷଧ କିଣିବା ପାଇଁ ମଧ୍ୟ ଅର୍ଥର ଅଭାବ ଦେଖାଦେଇଛି। ଅନ୍ୟପଟେ ରୋଗର ଯନ୍ତ୍ରଣା ଓ ଚିକିତ୍ସା ଚିନ୍ତା ମଧ୍ୟରେ ପ୍ରତିମାଙ୍କ ପରିବାର ଏବେ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି। ସବୁଠାରୁ ଦୁଃଖଦ ବିଷୟ ହେଉଛି, ଯିଏ ଦିନେ ଗାଁ ଗାଁ ବୁଲି ଅନ୍ୟମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଉଥିଲେ, ଆଜି ସେହି ଆଶାକର୍ମୀ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଅସମର୍ଥ। ନିଜେ ଗୁରୁତର ରୋଗରେ ପୀଡ଼ିତ ହୋଇଥିଲେ ମଧ୍ୟ ଲୋକଙ୍କ ସେବା ପ୍ରତି ତାଙ୍କର ଆନ୍ତରିକତା କମିନାହିଁ। ନିଜ ଯନ୍ତ୍ରଣାକୁ ପଛରେ ପକାଇ ଅନ୍ୟମାନଙ୍କ ପାଇଁ ସେବା ଜାରି ରଖିବା ତାଙ୍କର ମାନବିକତା ଓ କର୍ତ୍ତବ୍ୟନିଷ୍ଠାର ପରିଚୟ ଦେଉଛି। ବର୍ତ୍ତମାନ ପ୍ରତିମା ଦାସଙ୍କ ପରିବାର ପ୍ରଶାସନର ସହାୟତା ଉପରେ ଆଶା ବାନ୍ଧି ବସିଛନ୍ତି। ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଓ ଜନପ୍ରତିନିଧିମାନେ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ହସ୍ତକ୍ଷେପ କରିବା ସହ ଉନ୍ନତ ଚିକିତ୍ସା ଓ ଆବଶ୍ୟକ ଅସ୍ତ୍ରୋପଚାର ପାଇଁ ସହଯୋଗର ହାତ ବଢ଼ାଇବାକୁ ଦାବି ହେଉଛି। ଯେଉଁ ହାତ ଦିନେ ଅନେକ ଜୀବନକୁ ସୁରକ୍ଷା ଦେଇଛି, ସେହି ହାତକୁ ଆଜି ସହାୟତାର ଆବଶ୍ୟକତା ରହିଛି। ପ୍ରତିମାଙ୍କ ଜୀବନରେ ପୁଣି ଆଶାର ଆଲୋକ ଫେରାଇ ଆଣିବାକୁ ପ୍ରଶାସନ ଓ ସମାଜର ସହଯୋଗ ହିଁ ଏବେ ଏକମାତ୍ର ଭରସା।