୪୬ ଲକ୍ଷ ଟଙ୍କାର ଗ୍ରାମପଞ୍ଚାୟତ ପାଣ୍ଠି ହଡ଼ପ ଅଭିଯୋଗରେ ବନ୍ଧା ହେଲେ ମହିଳା ସରପଞ୍ଚ ସରୋଜିନୀ ନାୟକ….
କୁଜଙ୍ଗ ,
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ଗ୍ରାମ ପଞ୍ଚାୟତ ପାଣ୍ଠିରେ ହେରଫେର ଅଭିଯୋଗରେ ବନ୍ଧା ହେଲେ ମହିଳା ସରପଞ୍ଚ ସରୋଜିନୀ ନାୟକ । ସରକାରୀ ଅର୍ଥର ସୁରକ୍ଷା ଓ ସୁ ବିନିଯୋଗ ଦାୟିତ୍ୱରେ ଥିବା ଜନ ପ୍ରତିନିଧିଙ୍କ ନାମରେ ଆସିଛି ପ୍ରାୟ ୪୬ ଲକ୍ଷ ଟଙ୍କା ହଡ଼ପର ସଙ୍ଗିନ ଅଭିଯୋଗ । ଏହି ଘଟଣାରେ ବାଲିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ସରୋଜିନୀ ନାୟକ (୩୪)ଙ୍କ ସମେତ ତାଙ୍କ ସହଯୋଗୀ ରଞ୍ଜନ କୁମାର ଓଝା (୪୧)ଙ୍କୁ ଗିରଫ କରିଛି କୁଜଙ୍ଗ ପୋଲିସ । ଶୁକ୍ରବାର ଉଭୟଙ୍କୁ ମାନ୍ୟବର ଅଦାଲତକୁ ପଠାଇ ଦିଆ ଯାଇଛି । ପୁଲିସ ସୂଚନା ମୁତାବକ, ବାଲିଆ ଗ୍ରାମ ପଞ୍ଚାୟତର ପ୍ରାୟ ୪୬ ଲକ୍ଷ ଟଙ୍କା ସରକାରୀ ପାଣ୍ଠିର ଅର୍ଥ ଆତ୍ମସାତ୍ ହୋଇଥିବା ନେଇ କୁଜଙ୍ଗ ବିଡିଓଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ଏହି ଅଭିଯୋଗକୁ ଭିତ୍ତି କରି କୁଜଙ୍ଗ ଥାନାରେ ୧୦ ଏପ୍ରିଲ ୨୦୨୬ରେ କେସ୍ ନମ୍ବର ୧୦୧ ରୁଜୁ ହୋଇଥିଲା । ମାମଲାରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୬(୨), ୩୧୬(୫), ୩୧୮(୪), ୩୩୬(୩), ୩୩୮, ୩୪୦(୨) ଏବଂ ୩(୫) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା । ଅଭିଯୋଗର ତଦନ୍ତ କରିବା ପରେ ପୁଲିସ ବାଲିଆ ଗ୍ରାମର ସରୋଜିନୀ ନାୟକ ଓ ତାଙ୍କ ସହ ଯୋଗୀ ରଞ୍ଜନ କୁମାର ଓଝାଙ୍କୁ ଗିରଫ କରିଛି । ସରୋଜିନୀଙ୍କ ସ୍ୱାମୀ ପ୍ରକାଶ ନାୟକ ହୋଇଥିବା ବେଳେ ରଞ୍ଜନଙ୍କ ଘର କୋଠି ଗ୍ରାମ, ଝିମାଣି ଅଞ୍ଚଳ ବୋଲି ଜଣାପଡ଼ିଛି । ଉଭୟଙ୍କୁ ୬ ନଭେମ୍ବରରେ ଅଦାଲତକୁ ପଠାଯାଇଛି । ଜନସାଧାରଣଙ୍କ ଉନ୍ନତି ପାଇଁ ଉଦ୍ଦିଷ୍ଟ ସରକାରୀ ପାଣ୍ଠିରେ ଏଭଳି ଅନିୟ ମିତତା ଅଭିଯୋଗ ଏବେ ପଞ୍ଚାୟତ ପରିଚାଳନାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛି । ତେବେ ମାମଲାରେ ଅଭିଯୋଗ ଗୁଡ଼ିକର ସତ୍ୟତା ଅଦାଲତର ବିଚାର ପରେ ସ୍ପଷ୍ଟ ହେବ ।
