ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ସ୍ୱତନ୍ତ୍ର ଶିବିର ର ତୃତୀୟ ଦିବସରେ ସ୍ୱାସ୍ଥ୍ୟ ଶିବିର, ୩୫୦ ରୋଗୀ ଉପକୃତ
ପୁରୀ, ୭ ନଭେମ୍ବର: ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ପୁରୀ ପକ୍ଷରୁ ଆୟୋଜିତ ସାତଦିନିଆ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ସ୍ୱତନ୍ତ୍ର ଶିବିରର ତୃତୀୟ ଦିବସ ଅବସରରେ ଶନିବାର ଦିନ ଟାପଙ୍ଗ ଜଗା ପଞ୍ଚାୟତ କଲ୍ୟାଣ ମଣ୍ଡପ, ହରଚଣ୍ଡୀସାହି, ପୁରୀଠାରେ ଏକ ଗ୍ରାମୀଣ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ପ୍ରାୟ ୩୫୦ ଜଣ ରୋଗୀଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ପରାମର୍ଶ ପ୍ରଦାନ କରାଯାଇଥିଲା। ସେଥିମଧ୍ୟରୁ ୧୦୦ ଜଣଙ୍କର ରକ୍ତ ଶର୍କରା (Blood Sugar) ପରୀକ୍ଷା କରାଯାଇଥିଲା। ଏହା ସହିତ ବିଭିନ୍ନ ରୋଗର ପ୍ରାଥମିକ ନିରୂପଣ, ଚିକିତ୍ସା ପରାମର୍ଶ ଓ ରୋଗ ନିରାକରଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏହି ଅବସରରେ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା “ତମାଖୁ ସେବନ ପରିବାରକୁ ନଷ୍ଟ କରେ (Tobacco Kills Family)” ଶୀର୍ଷକ ଏକ ସଚେତନତାମୂଳକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ଏହି ନାଟକ ମାଧ୍ୟମରେ ତମାଖୁ ସେବନର କୁପରିଣାମ, ଏହା ଦ୍ୱାରା ବ୍ୟକ୍ତି ଓ ପରିବାରର ସ୍ୱାସ୍ଥ୍ୟ ଉପରେ ପଡୁଥିବା ଗଭୀର ପ୍ରଭାବ ଏବଂ ତମାଖୁମୁକ୍ତ ସମାଜ ଗଠନର ଆବଶ୍ୟକତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏହି ସ୍ୱାସ୍ଥ୍ୟ ଶିବିରରେ ଡା. ଜସ୍ମିତା ପ୍ରିୟଦର୍ଶିନୀ, ଡା. ଭାରତୀଲତା ଆଚାର୍ଯ୍ୟ, ଡା. ସନ୍ଧ୍ୟାରାଣୀ ବେହେରା, ଡା. ଦୀପ୍ତିମୟୀ ନାୟକ, ଡା. ସୋନାଲି ପ୍ରଧାନ, ଡା. ମୋନିଷା ରଣା, ଡା. ସୁଭସ୍ମିତା ତ୍ରିପାଠୀ ଓ ଡା. ଶିବାନନ୍ଦ ଖଟୁଆ ପ୍ରମୁଖ ଚିକିତ୍ସା ବିଶେଷଜ୍ଞ ଉପସ୍ଥିତ ରହି ରୋଗୀମାନଙ୍କୁ ସ୍ୱାସ୍ଥ୍ୟସେବା ଓ ପରାମର୍ଶ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସଚେତନତା, ରୋଗ ପ୍ରତିରୋଧ ଓ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ଗୁରୁତ୍ୱ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନଙ୍କ ସକ୍ରିୟ ସହଯୋଗ ଓ ସ୍ଥାନୀୟ ଜନସାଧାରଣଙ୍କ ସହଭାଗିତା ଏହି ଶିବିରକୁ ସଫଳ କରିଥିଲା।
“ମୁଁ ନୁହେଁ, ତୁମେ” (Not Me, But You) ମୂଳମନ୍ତ୍ରକୁ ଆଧାର କରି ସମାଜସେବା ଓ ଜନକଲ୍ୟାଣ ଦିଗରେ ଏହି ଶିବିର ଏକ ପ୍ରଶଂସନୀୟ ପଦକ୍ଷେପ ଥିଲା। ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
