ବନ୍ୟା ଆଶଙ୍କା: ଘୋଷିତ ହେଲା ସ୍କୁଲ ଛୁଟି, ୪ ଦିନ CL ବାତିଲ୍

ଖୋର୍ଦ୍ଧା:(ପ୍ରିୟଙ୍କା ମହାପାତ୍ର) ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ନଜରରେ ରଖି ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ସ୍କୁଲ ଛୁଟି ଘୋଷଣା କରାଯାଇଥିବା ବେଳେ, ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ୪ ଦିନର କାଜୁଆଲ୍ ଲିଭ୍ (CL) ବାତିଲ୍ କରାଯାଇଛି।ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ବନ୍ୟା ସ୍ଥିତିର ମୁକାବିଲା, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସହିତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ (MDM) ସମ୍ପର୍କିତ ଦାୟିତ୍ୱ ସଠିକ୍ ଭାବେ ପାଳନ ପାଇଁ ଶିକ୍ଷକମାନଙ୍କୁ ସଦା ପ୍ରସ୍ତୁତ ରହିବାକୁ କୁହାଯାଇଛି।ରାଜ୍ୟରେ ବର୍ଷାର ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ସମ୍ପୃକ୍ତ ବିଭାଗକୁ ସଜାଗ ରହିବା ସହ ଜରୁରୀ ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
