ବାଘୂଆ ଜଳଭଣ୍ଡାରର ୨ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କଲା ଜଳ ସେଚନ ବିଭାଗ
ବୁଗୁଡ଼ା: ତା ୨୪/୦୯/୨୬ :(ହର ପ୍ରସାଦ ପାଢି) ବୁଗୁଡ଼ା ବ୍ଲକର ମତାଝରିସ୍ଥିତ ବାଘୁଆ ଜଳଭଣ୍ଡାରରେ ଜଳସ୍ତର ବିପଦକୁ ଦୃଷ୍ଟିରେ ରଖି ଜଳ ସେଚନ ବିଭାଗ ବୁଧବାର ଦିନ ମଧ୍ୟରାତ୍ରରୁ ଜଳଭଣ୍ଡାରର ୨ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ କରି ବାଘୁଆ ନଦୀରେ ଛାଡିଛି। ବାଘୂଆ ଜଳଭଣ୍ଡାରର ଜଳଧାରଣ କ୍ଷମତା ୧୧୩.୮୫ ମିଟର ଥିବା ବେଳେ ଅର୍ଣ୍ଣବ ପ୍ରଭାବରେ ତୁହାକୁ ତୁହା ବର୍ଷା ହେବା ଫଳରେ ବାଘୁଆ ଜଳଭଣ୍ଡାରର ଜଳସ୍ତର ବିପଦ ସଙ୍କେତ ନିକଟରେ ପହଞ୍ଚିଥିଲା । ଏହାକୁ ଦୃଷ୍ଟିରେ ରଖି ବିପଦଜ୍ଜନକ ସ୍ଥିତିକୁ ଏଡ଼ାଇବା ପାଇଁ ଭଞ୍ଜନଗର ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସଂଜୟ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ବୁଧବାର ରାତ୍ର ୧୧ ଘଣ୍ଟ ସମୟରେ ବାଘୁଆ ଜଳସେଚନ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବଜୀବନ ମହାପାତ୍ରଙ୍କ ଉପସ୍ଥିତିରେ ବାଘୁଆ ଜଳଭଣ୍ଡାରର ୨ଟି ସ୍ପିଲ୍ ୱେ ଗେଟ୍ ଖୋଲାଯାଇ ଅତିରିକ୍ତ ବନ୍ୟାଜଳକୁ ନିଷ୍କାସନ କରାଯାଇଥିଲା। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୧୧୩.୪୨ ମିଟର ରହିଥିବା ବେଳେ ପ୍ରତି ସେକେଣ୍ଡରେ ୫୭.୫ ଘନ ମିଟର ଜଳ ଜଳଭଣ୍ଡାରରେ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ୨ଟି ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୬୩ ଘନ ମିଟର ଜଳ ନିଷ୍କାସିତ ହେଉଛି। ପ୍ରକାଶ ଯେ, ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ କରି ବାଘୁଆ ନଦୀରେ ଛଡାଯିବା ପାଇଁ ପୂର୍ବରୁ ବିଭାଗୀୟ ପ୍ରଶାସନ ପକ୍ଷରୁ ଡାକବାଜିଯନ୍ତ୍ର ଯୋଗେ ନଦୀକୁ କେହି ନଯିବା ସହ ଗୃହ ପାଳିତ ପଶୁଙ୍କୁ ନଦୀକୁ ନଛାଡିବା ସକାଶେ ସତର୍କ ସୂଚନା କରାଯାଇଥିଲା। ବଡ କୌତୁହଳର ବିଷୟଯେ ଦୀର୍ଘ ୪ ବର୍ଷ ହେଲା ଲୋକେ ବାଘୁଆ ନଦୀରେ ବଢି ଦେଖି ନଥିବା ବେଳେ ବର୍ତ୍ତମାନ ଜଳଭଣ୍ଡାରର ଗେଟ ଖୋଲାଯିବା ଯୋଗୁଁ ଲୋକମାନେ ବାଘୁଆ ନଦୀରେ ବଢି ଦେଖି ବଡ ମଜା ନେଉଥିବା ଦେଖାଦେଇଛି।
