ପଦୋନ୍ନତି ଅନିୟମିତତା ନେଇ କ୍ଷୋଭ, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିବ ପରିଷଦଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ପରିଷଦର ସମ୍ବଲପୁର ଶାଖା ପୁନର୍ଗଠିତଅମର ତାଣ୍ଡିଆ ସଭାପତି, ଧ୍ରୁବ ଚରଣ ରୋହିଦାସ ସାଧାରଣ ସମ୍ପାଦକ….
ସମ୍ବଲପୁର, ୨୨।୧୧: ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ପରିଷଦର ସମ୍ବଲପୁର ଶାଖାର ଏକ ସାଧାରଣ ବୈଠକ ରବିବାର ଦିନ ୧ଟା ସମୟରେ ଅଇଁଠାପାଲିସ୍ଥିତ ସମ୍ବଲପୁର ପ୍ରେସ୍ କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସୁଜିତ ବୁଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଡାକ୍ତର ପ୍ରଦୀପ୍ତ ସେଠ ମୁଖ୍ୟ ଅତିଥି ଏବଂ ପ୍ରହଲ୍ଲାଦ ରୋହିଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ କର୍ମଚାରୀଙ୍କ ବିଭିନ୍ନ ସମସ୍ୟା ଓ ସାଂଗଠନିକ କାର୍ଯ୍ୟଧାରା ଉପରେ ମାର୍ଗଦର୍ଶନ କରିଥିଲେ।ବୈଠକର ପ୍ରଥମ ପର୍ଯ୍ୟାୟରେ ସରକାରୀ କର୍ମଚାରୀଙ୍କ ପଦୋନ୍ନତି ସମ୍ପର୍କିତ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ପରିଷଦ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ରାୟ ଅନୁଯାୟୀ ରାଜ୍ୟର ବିଭିନ୍ନ ବିଭାଗରେ ପଦୋନ୍ନତି ପ୍ରକ୍ରିୟା ଚାଲିଥିବା ବେଳେ ସମ୍ବଲପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ପଦୋନ୍ନତି କ୍ଷେତ୍ରରେ ଅନିୟମିତତା ହୋଇଛି।ପରିଷଦର ମତ ଅନୁଯାୟୀ, ୨୦୧୯ ମସିହାରୁ ସମ୍ବଲପୁର ଜିଲ୍ଲାରେ ରୁଲ ୩-ଏ ଅନୁସରଣ କରି ପଦୋନ୍ନତି ଦିଆଯାଉଥିଲା। ଏ ସମ୍ପର୍କରେ ସରକାରଙ୍କ ବିଭିନ୍ନ ସ୍ପଷ୍ଟୀକରଣ ଓ ଉଚ୍ଚ ନ୍ୟାୟାଳୟଙ୍କ ରାୟ ରହିଥିବା ସତ୍ତ୍ୱେ ଗତ କିଛି ମାସ ତଳେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ପଦୋନ୍ନତିରେ ସରକାରୀ ନିର୍ଦ୍ଦେଶାବଳୀ ଅନୁପାଳନ କରାଯାଇନଥିବା ନେଇ ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ। ଏହି ଘଟଣାରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ସମସ୍ୟାର ସମାଧାନ ପାଇଁ ତାଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।ବୈଠକର ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟ ପରିଷଦର ନିଷ୍ପତ୍ତି ଏବଂ ପୂର୍ବତନ ଜିଲ୍ଲା ଶାଖାର କାର୍ଯ୍ୟକାଳ ପୂରଣ ହୋଇଥିବାରୁ ନୂତନ କର୍ମକର୍ତ୍ତା ଚୟନ ସହ ଶାଖାର ପୁନର୍ଗଠନ କରାଯାଇଥିଲା। ନୂତନ ସଭାପତି ଭାବେ ଅମର ତାଣ୍ଡିଆ, ଉପସଭାପତି ଭାବେ ଚେରୁ ପାତ୍ର ଏବଂ ସାଧାରଣ ସମ୍ପାଦକ ଭାବେ ଧ୍ରୁବ ଚରଣ ରୋହିଦାସ ମନୋନୀତ ହୋଇଛନ୍ତି।ସେହିପରି ମଧୁସୂଦନ ମୁଣ୍ଡା, ରବି ମିର୍ଧା, ଦାମୋଦର ମହାନନ୍ଦ, ପଦ୍ମାବତୀ ମେହେର, ଯୁଧିଷ୍ଠିର ମାଝୀ ଓ ଦାମୋଦର ମେହେର ସମ୍ପାଦକ ଭାବେ ମନୋନୀତ ହୋଇଥିବା ବେଳେ ରାଜେଶ ଭୋଇ ଅଡିଟର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥିସହ ବିଭିନ୍ନ ବ୍ଲକରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ୨୫ ଜଣ କର୍ମଚାରୀଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି।ଆଗାମୀ ଦିନରେ ରାଜ୍ୟ ପରିଷଦର ୩ଏଲ ମିଶନ, ଓଆରଭି ଆଇନର ସଂଶୋଧନ, କର୍ମଚାରୀଙ୍କ ପଦୋନ୍ନତି ଏବଂ କର୍ମକ୍ଷେତ୍ରରେ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ପରିଷଦ ଗୁରୁତ୍ୱର ସହ କାର୍ଯ୍ୟ କରିବ ବୋଲି ସଦସ୍ୟମାନେ ମତ ପ୍ରକାଶ କରିଥିଲେ।ବୈଠକରେ ଜିଲ୍ଲା ସଂଯୋଜକ ବଣ୍ଟି ସୁନାଙ୍କ ସମେତ ବହୁ ସରକାରୀ କର୍ମଚାରୀ ଯୋଗଦେଇଥିଲେ। ଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ ଧ୍ରୁବ ଚରଣ ରୋହିଦାସ ଧନ୍ୟବାଦ ଅର୍ପଣ କରିଥିଲେ।
