ସୁନାଖଳା ହୋଟେଲରେ ନିମ୍ନ ମାନର ଖାଦ୍ୟ, କାଗଜ କଲମରେ ଖାଦ୍ୟ ନିରାପତ୍ତା ଆଇନ..
ବୋଲଗଡ଼,୨୧/୯ (ଉପାନ୍ତ ଖବର): ବୋଲଗଡ଼ ବ୍ଲକ୍ ସୁନାଖଳା ବଜାରରେ ଥିବା ଅଧିକାଂଶ ହୋଟେଲ, ଫାଷ୍ଟ ଫୁଡ୍, ରେଷ୍ଟୁରାଣ୍ଟ ଓ ରାସ୍ତା କଡ଼ ଗୁପ୍ ଚୁପ୍, ଦହିବରା, ଚାଟ୍ ଦୋକାନୀମାନେ ନିମ୍ନ ମାନର ଖାଦ୍ୟ ବିକ୍ରି କରୁଥିବା ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଲୋକେ ପଇସା ଦେଇ ଖାଦ୍ୟ ଖାଉଛନ୍ତି, ହେଲେ ସେଥିରେ ପୋଡ଼ା ତେଲର ବାରମ୍ବାର ବ୍ୟବହାର, ବାସି ଖାଦ୍ୟ, ଅତ୍ୟଧିକ Fat base oily ଖାଦ୍ୟ ଏବଂ ସ୍ୱାଦ ପାଇଁ ବେଆଇନ୍ ଭାବେ ଚାଇନା ଲୁଣ ମିଶାଯାଉଥିବା ଅଭିଯୋଗ ହୋଇଛି।
ଏହି ଅପମିଶ୍ରିତ ଖାଦ୍ୟ ଖାଇ ଫୁଡ୍ ପଏଜନ ହେବା ସହ ଲିଭର, କିଡନି ନଷ୍ଟ ଓ ଅସାଧ୍ୟ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା ରହିଛି। ଯଦି କେହି ମୃତ୍ୟୁବରଣ କରେ, ତାହାଲେ ଦାୟୀ ରହିବ କିଏ ବୋଲି ପ୍ରଶ୍ନ ଉଠିଛି। ବାସ୍ତବରେ ଏତେ ବଡ଼ ଖୋର୍ଦ୍ଧା ଜିଲ୍ଲା ପାଇଁ ଆବଶ୍ୟକ ସଂଖ୍ୟକ ଫୁଡ୍ ଇନ୍ସପେକ୍ଟର ନାହାନ୍ତି। ସେଥି ପାଇଁ ଖାଦ୍ୟ ନିରାପତ୍ତା ଆଇନ୍ କେବଳ କାଗଜ କଲମରେ ସୀମିତ ରହିଛି। ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ, ସ୍ଥାନୀୟ PHC/CHC ର କୌଣସି ଅଧିକାରୀଙ୍କୁ ଯାଞ୍ଚ ଦାୟିତ୍ୱ ଦିଆଗଲେ ପ୍ରତି ମାସରେ ଥରେ ଦୁଇ ଥର ନିୟମିତ ବ୍ୟବଧାନରେ ହୋଟେଲ ଠାରୁ ଆରମ୍ଭ କରି ଗୁପ୍ ଚୁପ୍ ଦୋକାନ ପର୍ଯ୍ୟନ୍ତ ଯାଞ୍ଚ ହୋଇପାରନ୍ତା।
ଏପଟେ ରାଜ୍ୟ ଓ କେନ୍ଦ୍ର ସରକାର ସୁଷମ ଖାଦ୍ୟ ଖାଇ Illness ରୁ Wellness ଆଡକୁ ଯିବା ପାଇଁ ପ୍ରଚାର କରୁଛନ୍ତି, ହେଲେ ଜନ ସଚେତନତା ଅଭାବ ଓ ଯାଞ୍ଚ ଅଭାବରୁ ଲୋକେ କେମିକାଲ୍ ଖାଦ୍ୟ ଖାଇ ରୋଗକୁ ଡାକି ଆଣୁଛନ୍ତି। ତେଣୁ କେମିକାଲ୍ ଫୁଡ୍ ବର୍ଜନ, ଚାଇନା ଲୁଣ ନିଷେଧ ଓ Fat base ତେଲ ଜବତ ପାଇଁ ଖାଦ୍ୟ ନିରାପତ୍ତା ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇ ପଡିଛି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
