ଗଜପତି:- ଗୁମ୍ମା ବ୍ଲକର ମୁନିସିଂହ ସରକାରୀ ଉଚ୍ଚ ବିଦ୍ୟାଳୟରେ ପୋକ୍ସୋ ଆଇନ ଓ ପୀଡ଼ିତ କ୍ଷତିପୂରଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ମୁନିସିଂହ ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ୨୧ ତାରିଖରେ ପୋକ୍ସୋ ଆଇନ ଓ ପୀଡିତ କ୍ଷତିପୂରଣ ସମ୍ପର୍କିତ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ମାନ୍ୟବର ଜିଲ୍ଲା ଜଜ୍-ତଥା-ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଜପତି ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳ’ଙ୍କ ନେତୃତ୍ୱରେ ଏହି ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳ ଉପସ୍ଥିତ ସମାବେଶକୁ ଶିଶୁ-ମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା ଆଇନ ପୋକ୍ସୋ ଆଇନ , ଏହି ଆଇନ ଅନ୍ତର୍ଗତ ପୀଡ଼ିତମାନଙ୍କ ପାଇଁ ଉପଲବ୍ଧ କ୍ଷତିପୂରଣ ବ୍ୟବସ୍ଥା, ଯୌନ ଆକ୍ରମଣ ଓ ଅନ୍ୟାନ୍ୟ ଅପରାଧର ଶିକାର ମହିଳା ଓ ଜିବିତ’ ନାଲସା’ଙ୍କ ପାଇଁ କ୍ଷତିପୂରଣ ଯୋଜନା୨୦୧୮ ଏବଂ ଏସିଡ ଆକ୍ରମଣର ପୀଡ଼ିତାଙ୍କ ପାଇଁ ନାଲସା ଆଇନଗତ ସେବା ଯୋଜନା-୨୦୧୬ ସମ୍ପର୍କରେ ବିସ୍ତୃତ ଭାବେ ସଚେତନ କରିଥିଲେ। ସେ ପୀଡ଼ିତ ମାନଙ୍କ ଆଇନଗତ ଅଧିକାର, ମାଗଣା ଆଇନ ସେବା, କ୍ଷତିପୂରଣ ଓ ପୁନର୍ବାସନ ସୁବିଧା ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ।
ଏହି ଅବସରରେ ଜିଲ୍ଲା ଅଦାଲତ, ଗଜପତିର ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ରାଜେଶ କୁମାର ମିଶ୍ର ଯୋଗଦେଇ ପୋକ୍ସୋ ଆଇନର ବିଭିନ୍ନ ଦିଗ, ଶିଶୁ ପୀଡ଼ିତମାନଙ୍କ ସୁରକ୍ଷା ଏବଂ ଆଇନ ଅନ୍ତର୍ଗତ ଉପଲବ୍ଧ କ୍ଷତିପୂରଣ ବ୍ୟବସ୍ଥା ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରିଥିଲେ।
ସେହିପରି ଏସିଡ ଆକ୍ରମଣର ପୀଡ଼ିତାଙ୍କ ପାଇଁ ନାଲସା ଆଇନଗତ ସେବା ଯୋଜନା-୨୦୧୬ ଅନ୍ତର୍ଗତ ଏସିଡ୍ ଆକ୍ରମଣର ଶିକାର ପୀଡ଼ିତମାନଙ୍କ ପାଇଁ ଉପଲବ୍ଧ ଆଇନଗତ ସହାୟତା, କ୍ଷତିପୂରଣ ଓ ପୁନର୍ବାସନ ସୁବିଧା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।
କାର୍ଯ୍ୟକ୍ରମରେ ମୁନିସିଂହ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମଧୁସ୍ମିତା ସାବର, ଗଜପତି ୱାନ୍-ଷ୍ଟପ୍ ସେଣ୍ଟରର ପ୍ରତିନିଧି ଶ୍ରୀମତୀ ଶିବାନୀ ସାମନ୍ତରାୟ ଏବଂ ପାରାଲିଗାଲ୍ ଭଲେଣ୍ଟିୟର ଶ୍ରୀମତୀ ଶଶୀରେଖା ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଶିଶୁ ଓ ମହିଳାଙ୍କ ଅଧିକାର, ଆଇନଗତ ସୁରକ୍ଷା, ପୀଡ଼ିତ କ୍ଷତିପୂରଣ ଏବଂ ମାଗଣା ଆଇନ ସେବା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା। ପୀଡ଼ିତ ମାନେ ନ୍ୟାୟ ପାଇବା ସହିତ ଆବଶ୍ୟକ ଆଇନଗତ ସହାୟତା ଓ କ୍ଷତିପୂରଣ ପାଇପାରିବେ, ସେଥିପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଉପଲବ୍ଧ ବିଭିନ୍ନ ଆଇନ ସେବା ସମ୍ପର୍କରେ ମଧ୍ୟ ଅବଗତ କରାଯାଇଥିଲା।
——————————————
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
—————————————;
