ପାତ୍ରପୁରରେ ପଞ୍ଚାୟତ ସମିତିସ୍ତରୀୟ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା…
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ପାତ୍ରପୁର ପଞ୍ଚାୟତ ସମିତିସ୍ତରୀୟ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ସାମନ୍ତିଆପଲ୍ଲୀ ପିଏମ୍ଶ୍ରୀ ମହନ୍ତଶ୍ରୀ ପରାଙ୍କୁଶ ବିଦ୍ୟାପୀଠ ଖେଳପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ଚରଣ ସୋରେନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଚିକିଟୀ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ତହସିଲଦାର ଅଶୋକ ପଟ୍ଟନାୟକ, ସିଡିପିଓ ନମିତା ପଣ୍ଡା, ଏବିଇଓ ଜଗନ୍ନାଥ ଭୂୟାଁ, ମହାବିଦ୍ୟାଳୟ ଅଧ୍ୟକ୍ଷା ସୁବ୍ରତା ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟା ଯଶୋଦା ଶବର, ସାମନ୍ତିଆପଲ୍ଲୀ ସରପଞ୍ଚ ଏନ୍. ତିରୁପତି, ବି.ନୂଆଗାଁ ସରପଞ୍ଚ ଏମ୍. ମୋହନ ରାଓ,ତୁମ୍ବା ସମିତି ସଭ୍ୟ ନାରାୟଣ ନାୟକ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ନାରାୟଣ କହଁର ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଛଅ ବର୍ଷରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ମାନଙ୍କ ମଧ୍ୟରେ ଲୁକ୍କାୟିତ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଭାର ଅନ୍ୱେଷଣ ସହ ସେମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା କ୍ରୀଡା ଓ ସାଂସ୍କୃତିକ ଭିନ୍ନକ୍ଷମ ପ୍ରତିଯୋଗୀ ମାନେ ନୃତ୍ୟ, ସଙ୍ଗୀତ ଓ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଉତ୍ସାହର ସହ ଭାଗ ନେଇଥିଲେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ବିଧାୟକଙ୍କ ଦ୍ଵାରା ଅର୍ଥ ରାଶି, ପ୍ରମାଣ ପତ୍ର ଓ ସିଲ୍ ପ୍ରଦାନ କରାଯାଇଥିଲା । ଏଥିସହ ବହୁ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଟ୍ରାଇସାଇକେଲ ବଣ୍ଟନ କରାଯାଇଥିଲା। ପ୍ରତିଯୋଗିତା ଅବସରରେ ଭିନ୍ନକ୍ଷମ ପ୍ରତିଭାବାନମାନଙ୍କ ସଙ୍ଗୀତ ପରିବେଷଣ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା। କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ଲାଇନ୍ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। ବିଏସ୍ଏସ୍ଓ ସ୍ନେହାସିସ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ।(ଚିକିଟି ଶୁଭଶ୍ରୀ ପ୍ରଧାନ )
