ଗଜପତି: ନେରେଡି ପ୍ରକଳ୍ପରେ ଓଡ଼ିଶାର ସ୍ୱାର୍ଥ ଓ ଗଜପତିବାସୀଙ୍କ ହକ୍ ପାଇଁ ପାରଳା ବିଧାୟକଙ୍କ ଦୃଢ଼ ଦାବୀ : : ଦୁଇ ରାଜ୍ୟର ଲୋକଙ୍କ ହିତ ସାଧନ ସହ ପ୍ରକଳ୍ପର ନାମରେ ଓଡ଼ିଶାର ପରିଚୟ ଯୋଡ଼ିବାକୁ ଉଠାଇଲେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ
ନେରେଡି ପ୍ରକଳ୍ପ କେବଳ ଏକ ଜଳସେଚନ ଓ ନିର୍ମାଣ ପ୍ରକଳ୍ପ ହୋଇ ନ ରହି, ଏହା ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳର ଜନସାଧାରଣଙ୍କ ପାଇଁ ସମାନ ଭାବରେ ଉପକାରୀ ହେବା ଆବଶ୍ୟକ। ବିଶେଷକରି ଗଜପତି ଜିଲ୍ଲାର ଚାଷୀ, ଚାଷ ଜମି ଓ ସାଧାରଣ ଜନତାଙ୍କ ସ୍ୱାର୍ଥ ଯେପରି କୌଣସି ପରିସ୍ଥିତିରେ ଅବହେଳିତ ନ ହୁଏ, ସେଥିପ୍ରତି ଗୁରୁତ୍ୱାରୋପ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ। ଏହି ମର୍ମରେ ଆଜି ଭୁବନେଶ୍ୱର ଠାରେ ନେରେଡି ପ୍ରକଳ୍ପ କମିଟିର ଅଧ୍ୟକ୍ଷ ତଥା ମୁଖ୍ୟ ଯନ୍ତ୍ରୀ ଅରୁଣ ପାଉଲ ଏବଂ କମିଟିର ଅନ୍ୟାନ୍ୟ ସଦସ୍ୟଙ୍କ ସହ ପାରଳା ବିଧାୟକ ଶ୍ରୀ ପାଣିଗ୍ରାହୀ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ଆଲୋଚନା ସମୟରେ ନେରେଡି ପ୍ରକଳ୍ପ ଦ୍ୱାରା ଓଡ଼ିଶା ତଥା ବିଶେଷକରି ଗଜପତି ଜିଲ୍ଲାବାସୀ କିପରି ଅଧିକରୁ ଅଧିକ ଉପକୃତ ହୋଇପାରିବେ, ସେନେଇ ନିଜର ମତାମତ ଓ ଦାବି ଉପସ୍ଥାପନ କରିଥିଲେ। ପ୍ରକଳ୍ପର ଯୋଜନା, କାର୍ଯ୍ୟାନ୍ୱୟନ ଓ ଭବିଷ୍ୟତର ସୁଫଳ ବଣ୍ଟନରେ ଓଡ଼ିଶାର ନ୍ୟାଯ୍ୟ ସ୍ୱାର୍ଥକୁ ସମାନ ଗୁରୁତ୍ୱ ଦେବା ଉପରେ ସେ ଜୋର ଦେଇଥିଲେ। ବିଧାୟକଙ୍କ ଆଉ ଏକ ଉଲ୍ଲେଖନୀୟ ପ୍ରସ୍ତାବ ଥିଲା ପ୍ରକଳ୍ପର ନାମକରଣକୁ ନେଇ। କେବଳ ‘ନେରେଡି’ ନାମରେ ପ୍ରକଳ୍ପକୁ ସୀମିତ ନ ରଖି, ଏହା ସହ ଓଡ଼ିଶାର ପରିଚୟ ଓ ଗୌରବକୁ ପ୍ରତିଫଳିତ କରୁଥିବା ଏକ ନାମ ଯୋଡ଼ିବା ପାଇଁ ସେ ଦାବି ରଖିଥିଲେ। ତାଙ୍କ ମତରେ, ଦୁଇ ରାଜ୍ୟର ଲୋକଙ୍କ ସ୍ୱାର୍ଥ ସହ ଜଡ଼ିତ ଏହି ପ୍ରକଳ୍ପର ନାମରେ ଉଭୟ ରାଜ୍ୟର ଅବଦାନ ଓ ପରିଚୟ ପ୍ରତିଫଳିତ ହେବା ଉଚିତ। ଗଜପତି ମାଟିର ଲୋକଙ୍କ ଆଶା, ଆକାଂକ୍ଷା ଓ ଅଧିକାରକୁ ଗୁରୁତ୍ୱ ଦେଇ ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ଏହି ଉଦ୍ୟମ ସୀମାନ୍ତ ଅଞ୍ଚଳର ବିକାଶ ପ୍ରତି ତାଙ୍କର ଦାୟିତ୍ୱବୋଧକୁ ପ୍ରତିପାଦିତ କରୁଛି। ବିକାଶର ସୁଫଳ ଯେପରି ଉଭୟ ରାଜ୍ୟର ଲୋକଙ୍କ ନିକଟରେ ସମାନ ଭାବେ ପହଞ୍ଚିବ ଏବଂ ଓଡ଼ିଶାର ନ୍ୟାଯ୍ୟ ହକ୍ ସୁରକ୍ଷିତ ରହିବ, ତାହା ହିଁ ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ଗଜପତିର ସ୍ୱାର୍ଥ, ଓଡ଼ିଶାର ସମ୍ମାନ ଏବଂ ଦୁଇ ରାଜ୍ୟର ସାମୂହିକ ବିକାଶକୁ ଆଗରେ ରଖି ନେରେଡି ପ୍ରକଳ୍ପରେ ଓଡ଼ିଶାର ଯଥୋଚିତ ପରିଚୟ ଓ ଅଂଶୀଦାରିତ୍ୱ ସୁନିଶ୍ଚିତ କରିବା ଦିଗରେ ବିଧାୟକଙ୍କ ଏହି ପଦକ୍ଷେପ ଗୁରୁତ୍ୱ ବହନ କରୁଛି।————————————- ଗଣେଶ କୁମାର ରାଜୁପାରଳାଖେମୁଣ୍ଡି(ଗଜପତି)——————————————
