ଉମରକୋଟ ନିକଟସ୍ଥ ଭୀମାଗୁଡ଼ା ବିଦ୍ୟାଳୟରେ ଜନଜାତୀୟ ଗୌରବ ଦିବସ ପାଳିତ…….
ଅଭିଭାବକ-ଶିକ୍ଷକ ସମ୍ମିଳନୀରେ ଶିକ୍ଷା ଓ ବାଲ୍ୟବିବାହ ନିରୋଧ ଉପରେ ଗୁରୁତ୍ୱଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଧୋଡ୍ରା ନିକଟସ୍ଥ ଭୀମାଗୁଡ଼ା ସରକାରୀ ଏସ୍ଏସ୍ଡି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜନଜାତୀୟ ଗୌରବ ଦିବସ ପାଳନ ସହ ଅଭିଭାବକ-ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ରଞ୍ଜନ କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଧୋଡ୍ରା ଗ୍ରାମପଞ୍ଚାୟତ ସଭାପତି ତଥା ଝରୀଗାଁ ବିଧାୟକଙ୍କ ପ୍ରତିନିଧି ସୁବାଷ ପନକା ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଡାବୁଗାଁ ପ୍ରେସ୍ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଓ ଆର୍ସି ନ୍ୟୁଜ୍ ଓଡ଼ିଶାର ସମ୍ପାଦକ ରବିନାରାୟଣ ମହାନ୍ତି, ଉମରକୋଟର ସମାଜ ପ୍ରତିନିଧି ନିଗମ କୁମାର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ତନୁଜା ପନକାଙ୍କ ସମେତ ଅଭିଭାବକ ପୁରୁଷୋତ୍ତମ ଭତ୍ରା, ସନସାଇ ପୂଜାରୀ, ଦୂତିକା ଭତ୍ରା, ପିତମ୍ ଭତ୍ରା, ଜଗବନ୍ଧୁ ମାଝୀ, ଭଗତ କଲାର ଓ ଚନ୍ଦ୍ର କେଉଟ ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭରେ ଗଜାନନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ, ଧୂପଦୀପ ପ୍ରଜ୍ଜ୍ୱଳନ ଓ ନଡ଼ିଆ ଭାଙ୍ଗି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଛାତ୍ରୀମାନଙ୍କ ପକ୍ଷରୁ ଆକର୍ଷଣୀୟ ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା। ପ୍ରଧାନଶିକ୍ଷକ ଶ୍ରୀ ବେହେରା ନିଜ ଅଭିଭାଷଣରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ, ତ୍ୟାଗ ଓ ଆଦର୍ଶ ଉପରେ ଆଲୋକପାତ କରିବା ସହ ଛାତ୍ରୀଙ୍କ ଶିକ୍ଷାଗତ ଉନ୍ନତିରେ ଅଭିଭାବକ ଓ ଶିକ୍ଷକଙ୍କ ମଧ୍ୟରେ ସମନ୍ୱୟର ଗୁରୁତ୍ୱ ବୁଝାଇଥିଲେ। ବରିଷ୍ଠ ସାମ୍ବାଦିକ ଶ୍ରୀ ମହାନ୍ତି ପ୍ରଧାନଶିକ୍ଷକଙ୍କ କାର୍ଯ୍ୟଶୈଳୀ ଓ ବିଦ୍ୟାଳୟର ଶୈକ୍ଷିକ ପରିବେଶକୁ ପ୍ରଶଂସା କରିଥିଲେ। ଅଭିଭାବକ ପୁରୁଷୋତ୍ତମ ଭତ୍ରା ଛୁଟି ପରେ ଛାତ୍ରୀମାନଙ୍କୁ ନିର୍ଦ୍ଧାରିତ ସମୟରେ ବିଦ୍ୟାଳୟକୁ ଫେରାଇ ଆଣିବା ସହ ନିୟମିତ ପାଠପଢ଼ା ପ୍ରତି ଯତ୍ନବାନ ହେବାକୁ ଅନୁରୋଧ କରିଥିଲେ। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ତନୁଜା ପନକା ୧୮ ବର୍ଷରୁ କମ୍ ବୟସର ଝିଅମାନଙ୍କ ବିବାହ ନକରିବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ। ଶିକ୍ଷକ ଗୋପୀନାଥ ବାରିକ ବିର୍ସା ମୁଣ୍ଡା ଓ ସହିଦ ଲକ୍ଷ୍ମଣ ନାୟକଙ୍କ ଜୀବନୀ ଓ ଦେଶପ୍ରତି ସେମାନଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଛାତ୍ରୀମାନେ ଓଡ଼ିଆ, ଦେଶିଆ, ସାନ୍ତାଳୀ, ହିନ୍ଦୀ ଓ ଇଂରାଜୀ ଭାଷାରେ ବିଦ୍ୟାଳୟର ଦୈନନ୍ଦିନ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ। ମେଟ୍ରନ୍ ସୁଲତା କୀର୍ତ୍ତନିଆ ଛାତ୍ରୀନିବାସର ଦୈନନ୍ଦିନ କାର୍ଯ୍ୟଧାରା ଓ ନିଜ ଦାୟିତ୍ୱ ସମ୍ପର୍କରେ ଅବଗତ କରାଇଥିଲେ। ଅଭିଭାବକମାନେ ମତବିନିମୟ ସମୟରେ ବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଠପଢ଼ା, ରହିବା ଓ ଖାଦ୍ୟପେୟ ବ୍ୟବସ୍ଥାକୁ ଉଚ୍ଚ ପ୍ରଶଂସା କରିଥିଲେ। ଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ସୁନ୍ଦର ଫୁଲତୋଡ଼ା ପାଇଁ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଭିନ୍ନ ସାଂସ୍କୃତିକ ନୃତ୍ୟ ଓ ସଙ୍ଗୀତରେ ବିଦ୍ୟାଳୟ ପରିସର ଉତ୍ସବମୁଖର ହୋଇଉଠିଥିଲା। ବିଶେଷ ଆକର୍ଷଣ ଥିଲା ମା’ଙ୍କ ଉପରେ ଆଧାରିତ ଗୀତରେ ଛାତ୍ରୀମାନଙ୍କ ସମବେତ ନୃତ୍ୟ, ଯାହା ଉପସ୍ଥିତ ଅତିଥି ଓ ଅଭିଭାବକଙ୍କୁ ଭାବବିହ୍ୱଳ କରିଦେଇଥିଲା,କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଭାବନା ଚିନ୍ନାପା, ମାମାଲି ପରିଡ଼ା, ଗୋଲାପ ସ୍ୱାଇଁ, ଶିକ୍ଷକ ଜଗଦୀଶ ପ୍ରଧାନୀ, ଦୁବନ ସୁନ୍ଦରମଣିଙ୍କ ସମେତ ବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ଓ ଛାତ୍ରୀନିବାସର ମହିଳା କର୍ମଚାରୀ ମାନେ ସହଯୋଗ କରିଥିଲେ। ଶିକ୍ଷକ ବିକାଶ ବିଶ୍ୱାସ ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିବାବେଳେ ପ୍ରଧାନଶିକ୍ଷକ ଶ୍ରୀ ବେହେରା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
