ରେୟାରଫର୍ମ ଷ୍ଟୁଡିଓକୁ ଜାତୀୟ ପୁରସ୍କାର ଡିଜାଇନ୍ ଜଗତରେ ଓଡ଼ିଶାର ନୂଆ ପରିଚୟ

ଭୁବନେଶ୍ୱର ( ଦେବାଶିଷ ଦାଶ )
ଡିଜାଇନ୍ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭୁବନେଶ୍ୱରସ୍ଥିତ ଅଗ୍ରଣୀ ଡିଜାଇନ୍ ସଂସ୍ଥା ରେୟାରଫର୍ମ ଷ୍ଟୁଡିଓ (Rareform Studio) ‘ଭାରତର ଶ୍ରେଷ୍ଠ ୟଙ୍ଗ୍ ଡିଜାଇନ୍ ଷ୍ଟୁଡିଓ ପୁରସ୍କାର–୨୦୨୬’ ହାସଲ କରିଛି। ଏହି ଜାତୀୟ ସ୍ୱୀକୃତି ଅବସରରେ ଷ୍ଟୁଡିଓ ପକ୍ଷରୁ ଭୁବନେଶ୍ୱରରେ ‘ଓଡ଼ିଶାର ଡିଜାଇନ୍ ସଂସ୍କୃତିର ଭବିଷ୍ୟତ’ ଶୀର୍ଷକ ଏକ ସ୍ୱତନ୍ତ୍ର ପ୍ୟାନେଲ୍ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା।
ଏହି ଆଲୋଚନାରେ ଓଡ଼ିଶାର ସମୃଦ୍ଧ କଳା, ହସ୍ତଶିଳ୍ପ, ସ୍ଥାପତ୍ୟ ଓ ପାରମ୍ପରିକ ସୃଜନଶୀଳତାକୁ ଆଧୁନିକ ଡିଜାଇନ୍ ସହ ଯୋଡ଼ିବା ନେଇ ମତବିନିମୟ ହୋଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଆ ଅଭିନେତା ଅଶ୍ରୁମୋଚନ ମହାନ୍ତି, ପଦ୍ମଶ୍ରୀ ଇଲିଆନା ଚିତାରିସ୍ତି, ଫିଲ୍ମ ପ୍ରଯୋଜକ ସବ୍ୟସାଚୀ ମହାପାତ୍ର, ଫ୍ୟାସନ୍ ଡିଜାଇନର ସବ୍ୟସାଚୀ ଶତପଥୀ, ବଲିଉଡ୍ ଆର୍ଟିଷ୍ଟ ସୁକାନ୍ତ ପାଣିଗ୍ରାହୀ ଏବଂ ଏନ୍ଆଇଏଫ୍ଟିର ପ୍ରଫେସର ସୁସ୍ମିତା ବେହେରା ପ୍ରମୁଖ ଯୋଗଦେଇଥିଲେ। ବିଜୟା ଲକ୍ଷ୍ମୀ ପରିଜା ସଂଯୋଜନା କରିଥିଲେ।
କାର୍ଯ୍ୟକ୍ରମରେ ରେୟାରଫର୍ମ ଷ୍ଟୁଡିଓର ସହ-ପ୍ରତିଷ୍ଠାତା ପ୍ରଶାନ୍ତ ଦ୍ୱିବେଦୀ ସ୍ୱାଗତ ଭାଷଣ ଦେଇ ଷ୍ଟୁଡିଓର ଯାତ୍ରା ଓ ସଫଳତା ବିଷୟରେ ଆଲୋକପାତ କରିଥିଲେ। ଡିଜାଇନ୍ କେବଳ ବାହ୍ୟ ସୌନ୍ଦର୍ଯ୍ୟ ନୁହେଁ, ମୌଳିକ ଚିନ୍ତାଧାରା, କଳ୍ପନା ଓ କାହାଣୀ କହିବାର ଏକ ମାଧ୍ୟମ ବୋଲି ସେ ମତ ପ୍ରକାଶ କରିଥିଲେ। ଓଡ଼ିଶାର ପ୍ରାଚୀନ କଳା, ହସ୍ତଶିଳ୍ପ ଓ ସ୍ଥାପତ୍ୟ ଆଧୁନିକ ଡିଜାଇନ୍ ପାଇଁ ପ୍ରେରଣାର ଉତ୍ସ ବୋଲି ସେ କହିଥିଲେ। ଷ୍ଟୁଡିଓର ସହ-ପ୍ରତିଷ୍ଠାତା ତଥା କ୍ରିଏଟିଭ୍ ହେଡ୍ ନୀଲ୍ ଆୟା କହିଥିଲେ ଯେ ଜାତୀୟ ପୁରସ୍କାର ଡିଜାଇନ୍ ମାଧ୍ୟମରେ କାହାଣୀ କହିବାର ସେମାନଙ୍କ ପ୍ରୟାସକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱୀକୃତି। ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ଷ୍ଟୁଡିଓର ଯାତ୍ରା ଓଡ଼ିଶାର ମାଟି ଓ ପରମ୍ପରାରୁ ପ୍ରେରଣା ନେଇ ଆଗକୁ ବଢ଼ୁଛି ବୋଲି ସେ କହିଥିଲେ।
ଶେଷରେ ପ୍ରଶାନ୍ତ ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରି ଏହି ପୁରସ୍କାରକୁ ଏକ ନୂଆ ଅଧ୍ୟାୟର ଆରମ୍ଭ ବୋଲି ଅଭିହିତ କରିଥିଲେ। ଓଡ଼ିଶାର ସୃଜନଶୀଳତାକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ସହ ରାଜ୍ୟରେ ଏକ ଦୃଢ଼ ସୃଜନଶୀଳ ପରିବେଶ ଗଠନ କରିବା ଷ୍ଟୁଡିଓର ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଥିଲେ।
