June 10, 2026

ସିନ୍ଦୁରପଙ୍କ ଜନାର୍ଦ୍ଦନ ପୂଜାରୀ ସରକାରୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ

IMG-20241216-WA0010
Share

 

ଶିକ୍ଷା ଦୃଷ୍ଟିରୁ ଓଡ଼ିଶାକୁ ଆଗକୁ ନେବାରେ ଜନାର୍ଦ୍ଦନ ପୂଜାରୀ ସରକାରୀ ହାଇସ୍କୁଲର ଅବଦାନ ଅନେକ – ଧର୍ମେନ୍ଦ୍ର ପ୍ରଧାନ

 

• ସୁଭଦ୍ରା ଯୋଜନା ଦ୍ୱାରା ମାଆ ଭଉଣୀମାନେ ସଶକ୍ତ ହେଉଛନ୍ତି

 

• ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି ହୋଇଛି

 

• ଡବଲ ଇଞ୍ଜିନ ସରକାରରେ ଲାଭବାନ ହେଉଛି ସମ୍ବଲପୁର

 

• ଦଳିତ, ପଛୁଆ ଲୋକଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଉଦ୍ୟମ କରୁଥିବାରୁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ

 

ସମ୍ବଲପୁର ,(ରାଜାରାମ ଷଡ଼ଙ୍ଗୀ): ଶିକ୍ଷା ଦୃଷ୍ଟିରୁ ଓଡ଼ିଶାକୁ ଆଗକୁ ନେବାରେ ସମ୍ବଲପୁର ସିନ୍ଦୁରପଙ୍କ ସ୍ଥିତ ଜନାର୍ଦ୍ଦନ ପୂଜାରୀ ସରକାରୀ ହାଇସ୍କୁଲର ଅନେକ ଅବଦାନ ରହିଛି ବୋଲି ରବିବାର ଏହି ଶିକ୍ଷାନୁଷ୍ଠାନର ୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବା ଅବସରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 

ଏହି ଅବସରରେ ଶ୍ରୀ ପ୍ରଧାନ ସ୍କୁଲର ଯୋଗଦାନ ଉପରେ ଆଲୋକପାତ କରିବା ସହ ଓଡ଼ିଶା ସରକାରଙ୍କ ସଫଳ ଯୋଜନା ଉପରେ ଅଭିଭାଷଣ ରଖିଥିଲେ । ସେ କହିଥିଲେ ସୁଭଦ୍ରା ଯୋଜନାରେ ମାଆ ଭଉଣୀମାନଙ୍କୁ ସିଧାସଳଖ ଡିବିଟି ସାହାଯ୍ୟରେ ଆର୍ଥିକ ସହାୟତା ମିଳିବା ଦ୍ୱାରା ସେମାନେ ସଶକ୍ତ ହେଉଛନ୍ତି । ଓଡ଼ିଶାର ଚାଷୀମାନଙ୍କର ହିତ ପାଇଁ କ୍ୱିଣ୍ଟାଲ ପିଛା କେନ୍ଦ୍ର ସରକାରଙ୍କ ଧାନର ଏମଏସପି ୨୩୦୦ ଟଙ୍କା ଉପରେ ଅଧିକ ୮୦୦ ଟଙ୍କାର ଇନ୍‌ପୁଟ୍‌ ସହାୟତା ରାଶି ତଥା ସମୁଦାୟ ୩୧୦୦ ଟଙ୍କା ପ୍ରଦାନର ଶୁଭାରମ୍ଭ ହୋଇଛି । ସମ୍ବଲପୁର ଜିଲ୍ଲାରେ ଅଧିକ ଧାନ କିଣାଯିବା ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏହି ସବୁ ପଦକ୍ଷେପ ଦ୍ୱାରା ସିନ୍ଦୁରପଙ୍କ ସମେତ ସମ୍ବଲପୁର ଜିଲ୍ଲାର ମହିଳା, ଚାଷୀ ଭାଇମାନେ ବିଶେଷ ଲାଭାର୍ଥୀ ହୋଇଛନ୍ତି । ଏ ସବୁ ଦ୍ୱାରା ପ୍ରାୟ ୫୦୦ କୋଟି ଟଙ୍କା ଏ ଅଞ୍ଚଳକୁ ପ୍ରଥମ ଥର ପାଇଁ ଡବଲ ଇଞ୍ଜିନ ସରକାର ପହଞ୍ଚାଇଛି । ସେହିପରି ଦଳିତ, ପଛୁଆ ଲୋକଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଉଦ୍ୟମ କରିଥିବାରୁ ଶ୍ରୀ ପ୍ରଧାନ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

ଶିକ୍ଷାନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅବସରରେ ଏହି ଅନୁଷ୍ଠାନକୁ ବଟ୍ଟବୃକ୍ଷରେ ପରିଣତ କରିଥିବା ମହାପୁରୁଷ, ଜନସାଧାରଣ ତଥା ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀବୃନ୍ଦ ତଥା ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟିର ସଦସ୍ୟମାନଙ୍କୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି।

 

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଏବଂ ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।