November 16, 2026

ବରପାଲିରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ

IMG-20261115-WA0071
Share

ବରପାଲି : (ସୁଦାମ ଦୀପ) ବରଗଡ଼ ଜିଲ୍ଲା ବରପାଲି ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସରରେ ଆୟୋଜିତ ହୋଇଯାଇଛି। ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରରେ ଚାଷୀଙ୍କୁ ଆତ୍ମନିର୍ଭରଶୀଳ କରିବା, ଆଧୁନିକ ପ୍ରାଣୀପାଳନ ପଦ୍ଧତି ସମ୍ପର୍କରେ ଅବଗତ କରାଇବା ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଚାଷୀଙ୍କ ନିକଟରେ ପହଞ୍ଚାଇବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି ଅବସରରେ ବରପାଲି ବ୍ଲକ ଅଧ୍ୟକ୍ଷା ରୀନା ଥଇତ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା , ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସୁରେନ୍ଦ୍ର ପାତ୍ର, ବିଧାୟକ ଙ୍କ ପ୍ରତିନିଧି ଧୀରୋଜ ପଧାନ, ଅଚ୍ୟୁତାନନ୍ଦ ବାରିକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଶୋଭନ କୁମାର ନାୟକ ଏବଂ ସମ୍ବଲପୁରର ଡେପୁଟି ଡାଇରେକ୍ଟର ଫିସିରି, ଜ୍ଞାନ ରଞ୍ଜନ ସାମଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ପ୍ରାରମ୍ଭରେ ଡ. ଅକ୍ଷୟ କୁମାର ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ କରି ମେଳା ଆୟୋଜନର ଉଦ୍ଦେଶ୍ୟ ଓ ଏହାର ଉପାଦେୟତା ସମ୍ପର୍କରେ ଅତିଥି ଓ ଉପସ୍ଥିତ ଚାଷୀମାନଙ୍କୁ ଅବଗତ କରାଇଥିଲେ।ମେଳାରେ ଗୋପାଳକ ଓ ମତ୍ସ୍ୟଚାଷୀଙ୍କ ଆର୍ଥିକ ଉନ୍ନତିକୁ ଗୁରୁତ୍ୱ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ସହାୟତା ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷକରି ଗୋପାଳକଙ୍କ ପାଇଁ ଉଦ୍ଦିଷ୍ଟ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ଜାତୀୟ ମତ୍ସ୍ୟ ଡିଜିଟାଲ ପ୍ଲାଟଫର୍ମରେ ପଞ୍ଜୀକରଣ ପ୍ରକ୍ରିୟା ଏବଂ ଘର ଅଗଣାରେ କୁକୁଡ଼ା ପାଳନ ପାଇଁ ମିଳୁଥିବା ସରକାରୀ ସହାୟତା ବିଷୟରେ ଚାଷୀମାନଙ୍କୁ ସୂଚନା ଦିଆଯାଇଥିଲା। ଏହି ଯୋଜନାଗୁଡ଼ିକର ସୁଯୋଗ ନେଇ ଚାଷୀମାନେ କିପରି ନିଜର ଆୟ ବୃଦ୍ଧି କରିବା ସହ ଜୀବିକାକୁ ଅଧିକ ସୁଦୃଢ଼ କରିପାରିବେ, ସେନେଇ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା।ସେହିପରି ଗୋପାଳନ ଓ ଅନ୍ୟାନ୍ୟ ପ୍ରାଣୀପାଳନ କ୍ଷେତ୍ରରେ ରୋଗ ନିୟନ୍ତ୍ରଣ ଏବଂ ସୁସ୍ଥ ପରିବେଶର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା। ଗାଈ, ବାଛୁରୀ, ଛେଳି, ମେଣ୍ଢା ଓ କୁକୁଡ଼ାଙ୍କର ନିୟମିତ ଟିକାକରଣ, ରୋଗର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ, ଉପଯୁକ୍ତ ଖାଦ୍ୟ ପ୍ରଦାନ ଏବଂ ସମୟୋଚିତ ପ୍ରାଣୀ ଚିକିତ୍ସାର ଆବଶ୍ୟକତା ସମ୍ପର୍କରେ ଚାଷୀମାନଙ୍କୁ ଦିଗ୍‌ଦର୍ଶନ ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ଡ. ମିଳି ପାଣ୍ଡେ ପରିଚାଳନା କରିଥିବା ବେଳେ ଶେଷରେ ଡ. ଶୋଭନ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। ମେଳା ମାଧ୍ୟମରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରରେ ଚାଷୀଙ୍କୁ ସଚେତନ କରିବା ସହ ସରକାରୀ ଯୋଜନାର ସୁଫଳ ତୃଣମୂଳସ୍ତରରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

You may have missed