August 14, 2026

ମାଲକାନଗିରିରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ: ବିଶାଳ ପଦଯାତ୍ରା ଓ ବିଏସଏଫ ବାଇକ ରାଲିରେ ପ୍ରକମ୍ପିତ ହେଲା ସହର

IMG-20260813-WA0062
Share

 

 

*ମାଲକାନଗିରି,୧୩/୮/୨୬:*

 

ଦେଶବ୍ୟାପୀ ପାଳିତ ହେଉଥିବା ଜାତୀୟ କାର୍ଯ୍ୟକ୍ରମ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଅବସରରେ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଏକ ଅଭୂତପୂର୍ବ ତଥା ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମଠାରୁ ସ୍ପୋର୍ଟସ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ଆୟୋଜିତ ଏହି ମେଗା ରାଲିରେ ହଜାର ହଜାର ଦେଶପ୍ରେମୀ, ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ସାମିଲ ହୋଇ ନିଜର ଅନାବିଳ ଦେଶାତ୍ମବୋଧର ପରିଚୟ ଦେଇଛନ୍ତି। ଏହି ଅଭିଯାନକୁ ଅଧିକ ଆକର୍ଷଣୀୟ ଓ ଶକ୍ତିଶାଳୀ କରିବା ପାଇଁ ସୀମା ସୁରକ୍ଷା ବଳ ପକ୍ଷରୁ ଏକ ଭବ୍ୟ ଏବଂ ସ୍ୱତନ୍ତ୍ର ତ୍ରିରଙ୍ଗା ବାଇକ୍ ରାଲିର ଆୟୋଜନ କରାଯାଇଥିଲା। ହାତରେ ଜାତୀୟ ପତାକା ଧରି ବିଏସଏଫ୍ ଯବାନମାନେ ସେମାନଙ୍କ ବୁଲେଟ୍ ଓ ମୋଟରସାଇକେଲ୍ ସାହାଯ୍ୟରେ ଦେଶାତ୍ମବୋଧର ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଦେଶ ମାତୃକାର ସୁରକ୍ଷା କରୁଥିବା ବୀର ଯବାନମାନଙ୍କର ଏହି ଶୃଙ୍ଖଳିତ ବାଇକ୍ ରାଲି ସର୍ବସାଧାରଣଙ୍କ ମଧ୍ୟରେ ଏକ ନୂତନ ଜୋସ୍ ଏବଂ ଦେଶପ୍ରେମର ଉନ୍ମାଦନା ଭରିଦେଇଥିଲା। ଏହାସହିତ କାର୍ଯ୍ୟକ୍ରମରେ ଜିଲ୍ଲାର ପାରମ୍ପରିକ ଲୋକକଳାର ଏକ ସୁନ୍ଦର ଝଲକ ଦେଖିବାକୁ ମିଳିଥିଲା। ଆଦିବାସୀ ନୃତ୍ୟ, ଗୀତ ଓ ସାନ୍ତାଳୀ ଢୋଲର ତାଳେ ତାଳେ ସମଗ୍ର ମାଲକାନଗିରି ସହର ଆଜି ପ୍ରକମ୍ପିତ ହୋଇଉଠିଥିଲା। ସ୍ଥାନୀୟ କଳାକାରମାନଙ୍କ ପାରମ୍ପରିକ ନୃତ୍ୟ ଏବଂ ଜାତୀୟ ପତାକା ଧରି ଜନସାଧାରଣଙ୍କ ଦେଶଭକ୍ତିର ସ୍ଲୋଗାନ ପୂରା ପରିବେଶକୁ ଉତ୍ସବମୁଖର କରିଦେଇଥିଲା।ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଏବଂ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀମାନେ ଏହି ପଦଯାତ୍ରାର ସମ୍ମୁଖ ଭାଗରେ ରହି ନେତୃତ୍ୱ ନେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥୀ ସରାବୁ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ହଳଧର ଶବର ଏବଂ

ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ସର୍ବସାଧାରଣଙ୍କ ଉତ୍ସାହ ବଢ଼ାଇଥିଲେ।ଏହି ଅବସରରେ ବିଧାୟକ ନିଜ ସ୍ୱତନ୍ତ୍ର ବାର୍ତ୍ତାରେ ପ୍ରକାଶ କରିଛନ୍ତି ଯେ ଦେଶପ୍ରେମ କେବଳ ଏକ ଭାବନା ନୁହେଁ, ଏହା ହେଉଛି ଆମ କର୍ତ୍ତବ୍ୟର ପରିଚୟ। ଆଜି ମାଲକାନଗିରି ମାଟିରେ ତ୍ରିରଙ୍ଗାର ଯେଉଁ ମହାସମୁଦ୍ର ଦେଖିବାକୁ ମିଳିଛି, ତାହା ଦର୍ଶାଉଛି ଯେ ଯେତେବେଳେ ଆମେ ସମସ୍ତେ ଗୋଟିଏ ପତାକା ତଳେ ଏକାଠି ହେଉ, ସେତେବେଳେ ଏକ ସକାରାତ୍ମକ ପରିବର୍ତ୍ତନର ସୂତ୍ରପାତ ହୁଏ।

ଜାତୀୟ ସଙ୍ଗୀତ ଏବଂ ସ୍ଲୋଗାନର ମହାମିଳନ ମଧ୍ୟରେ ଏହି ବିଶାଳ କାର୍ଯ୍ୟକ୍ରମ ସ୍ପୋର୍ଟସ କମ୍ପ୍ଲେକ୍ସଠାରେ ପହଞ୍ଚି ସଫଳତାର ସହ ସମାପ୍ତ ହୋଇଛି।

You may have missed