October 12, 2026

ରାଷ୍ଟ୍ର ନିର୍ମାଣ ଓ ସମୃଦ୍ଧ ଐତିହ୍ୟ ସହ ଯୋଡ଼ି ହୁଅନ୍ତୁ ଯୁବପିଢ଼ି : ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରେ ‘ମାଇଁ ଭାରତ’ର ବନ୍ଦେ ମାତରମ୍ ଶିବିର ୭ଟି ରାଜ୍ୟର ଯୁବ ପ୍ରତିନିଧିଙ୍କ ସମାଗମ; ବୀରତ୍ୱ, ସାହିତ୍ୟ ଓ ସଂସ୍କୃତିର ଗୌରବଗାଥା ବଖାଣିଲେ ସାଂସଦ

IMG-20261011-WA0054
Share

 

ସମ୍ବଲପୁର, ୧୦।୧୦ : ରାଷ୍ଟ୍ର ନିର୍ମାଣରେ ଯୁବଶକ୍ତିର ଭୂମିକା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ। ତେଣୁ ଯୁବପିଢ଼ି ଦେଶର ସମୃଦ୍ଧ ଐତିହ୍ୟ, ବୀରତ୍ୱପୂର୍ଣ୍ଣ ଇତିହାସ, ସାହିତ୍ୟ ଓ ସଂସ୍କୃତି ସହ ଯୋଡ଼ି ହେବା ସହ ବିକଶିତ ଭାରତ ଗଠନରେ ସକ୍ରିୟ ଭାଗୀଦାର ହେବା ଆବଶ୍ୟକ ବୋଲି ଆହ୍ୱାନ ଦେଇଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ଶନିବାର ସମ୍ବଲପୁରରେ ‘ମାଇଁ ଭାରତ’ ପକ୍ଷରୁ ଆୟୋଜିତ ‘ବନ୍ଦେ ମାତରମ୍ ଶିବିର’ରେ ଯୋଗଦେଇ ସେ ଏହି ମତ ପ୍ରକାଶ କରିଥିଲେ।

 

ଶ୍ରୀ ପ୍ରଧାନ କହିଥିଲେ, ସ୍ୱାଧୀନତା ସଂଗ୍ରାମ ସମୟରେ ‘ବନ୍ଦେ ମାତରମ୍’ ମନ୍ତ୍ର ଦେଶବାସୀଙ୍କ ମନରେ ମାତୃଭୂମି ପ୍ରତି ଅଗାଧ ପ୍ରେମ, ତ୍ୟାଗ ଓ ସମର୍ପଣ ଭାବ ଜାଗ୍ରତ କରିଥିଲା। ଆଜି ମଧ୍ୟ ଏହା ଜାତୀୟ ଗୌରବ ଓ ଏକତାର ପ୍ରତୀକ। ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାକୁ ସୁଦୃଢ଼ କରିବା ସହ ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମ, ନେତୃତ୍ୱ ଦକ୍ଷତା ଓ ସାଂସ୍କୃତିକ ଆଦାନପ୍ରଦାନର ଭାବନା ବିକଶିତ କରିବାରେ ଏହି ଶିବିରର ଗୁରୁତ୍ୱ ରହିଛି।

 

ସମ୍ବଲପୁରର ଐତିହାସିକ ଗୌରବ ବର୍ଣ୍ଣନା କରି ସେ କହିଥିଲେ, ଏହି ମାଟିରେ ହଜାର ହଜାର ବର୍ଷର ମାନବ ସଭ୍ୟତାର ଚିହ୍ନ ରହିଛି। ଭୀମମଣ୍ଡଳୀର ପ୍ରାଚୀନ ଶୈଳଚିତ୍ର ଏହାର ପ୍ରମାଣ ବହନ କରୁଛି। ବ୍ରିଟିଶ ଶାସନ ବିରୋଧରେ ସଂଗ୍ରାମ କରିଥିବା ବୀର ସୁରେନ୍ଦ୍ର ସାଏ, ଛବିଳ ସାଏ ଓ ଉଦନ୍ତ ସାଏଙ୍କ ତ୍ୟାଗ ଓ ବଳିଦାନ ସମ୍ବଲପୁର ମାଟିର ଗୌରବକୁ ଦ୍ୱିଗୁଣିତ କରିଛି। ବିଶେଷକରି ଦୀର୍ଘ ୩୭ ବର୍ଷ କାରାଦଣ୍ଡ ଭୋଗିଥିବା ଉଦନ୍ତ ସାଏଙ୍କ ସଂଗ୍ରାମ ଓ ତ୍ୟାଗ ଯୁବପିଢ଼ିଙ୍କ ପାଇଁ ପ୍ରେରଣାଦାୟୀ ବୋଲି ସେ ଉଲ୍ଲେଖ କରିଥିଲେ।

 

ସମ୍ବଲପୁର କେବଳ ବୀରତ୍ୱର ଭୂମି ନୁହେଁ, ଏହା ସାହିତ୍ୟ, କଳା ଓ ଆଧ୍ୟାତ୍ମିକ ଚେତନାର ମଧ୍ୟ ଏକ ପ୍ରମୁଖ କେନ୍ଦ୍ର। ସନ୍ଥକବି ଭୀମ ଭୋଇଙ୍କ ମାନବବାଦୀ ବାଣୀ “ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ” ବିଶ୍ୱମାନବତାର ମହାନ ସନ୍ଦେଶ ବହନ କରୁଛି। ସେହିପରି ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ସାହିତ୍ୟକୃତି ଓ ମାତୃଭାଷା ପ୍ରତି ତାଙ୍କର ଅବଦାନ ଓଡ଼ିଆ ଜାତିର ଅମୂଲ୍ୟ ସମ୍ପଦ ବୋଲି ସେ କହିଥିଲେ।

 

ହୀରାକୁଦ ଜଳଭଣ୍ଡାରକୁ ଆଧୁନିକ ଭାରତର ଅନ୍ୟତମ ଉଲ୍ଲେଖନୀୟ ଇଞ୍ଜିନିୟରିଂ କୃତି ଭାବେ ବର୍ଣ୍ଣନା କରି ଶ୍ରୀ ପ୍ରଧାନ ଏହାର ନିର୍ମାଣ ପଛରେ ରହିଥିବା ଦୂରଦୃଷ୍ଟି ଓ ବିକାଶମୂଳକ ଚିନ୍ତାଧାରା ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ବଲପୁରରେ ଥିବା ଭିସୁଟ୍‌, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ ଆଇଆଇଏମ୍‌ ଭଳି ଶିକ୍ଷାନୁଷ୍ଠାନ ଜ୍ଞାନ, ଗବେଷଣା ଓ ନବସୃଜନ କ୍ଷେତ୍ରରେ ଅବଦାନ ରଖୁଛନ୍ତି। ଏଠାକାର ଛାତ୍ରଛାତ୍ରୀଙ୍କ ଦକ୍ଷତା ଓ ପ୍ରଯୁକ୍ତିବିଦ୍ୟା ଦେଶର ବିକାଶ ଏବଂ ଜାତୀୟ ସୁରକ୍ଷାରେ ମଧ୍ୟ ଉପଯୋଗୀ ହେଉଥିବା ସେ ପ୍ରକାଶ କରିଥିଲେ।

 

ସମ୍ବଲପୁରୀ ହସ୍ତତନ୍ତ ଓ ଖଦିକୁ ସ୍ଥାନୀୟ ସଂସ୍କୃତି ଏବଂ ସ୍ୱଦେଶୀ ଭାବନାର ପ୍ରତୀକ ବୋଲି ଅଭିହିତ କରି ଏହା ବୁଣାକାର ଓ ଗ୍ରାମୀଣ ପରିବାରର ସୃଜନଶୀଳତା, ପରିଶ୍ରମ ଓ ଜୀବିକାର ଅନନ୍ୟ ପରିଚୟ ବୋଲି ସେ କହିଥିଲେ।

 

ଆଗାମୀ ୨୫ ବର୍ଷ ଭାରତ ପାଇଁ ଯୁବଶକ୍ତିର ଅବଦାନ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଇଟି, ବିଜ୍ଞାନ, ନବସୃଜନ ଓ ନୂତନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତୀୟ ଯୁବକଯୁବତୀ ବିଶ୍ୱସ୍ତରରେ ନିଜର ଦକ୍ଷତା ପ୍ରତିପାଦନ କରୁଛନ୍ତି। ‘ବସୁଧୈବ କୁଟୁମ୍ବକମ୍‌’ ଭାବନାକୁ ଆପଣାଇ ସମାଜର ଶେଷ ଧାଡ଼ିରେ ଥିବା ମଣିଷଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବା ସହ ‘ବିକଶିତ ଭାରତ-୨୦୪୭’ର ସ୍ୱପ୍ନ ସାକାର କରିବାକୁ ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ।

 

ଏହି ଶିବିରରେ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଦିଲ୍ଲୀ, ମଧ୍ୟପ୍ରଦେଶ, ମିଜୋରାମ ଓ ପଶ୍ଚିମବଙ୍ଗରୁ ଯୁବ ପ୍ରତିନିଧିମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶାର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଉପସ୍ଥିତ ଥିଲେ।

 

ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନ ‘ମେରା ଯୁବା ଭାରତ’ ପକ୍ଷରୁ ଆୟୋଜିତ ଏହି ଜାତୀୟସ୍ତରୀୟ ଶିବିରର ଉଦ୍ଦେଶ୍ୟ ହେଉଛି ଯୁବପିଢ଼ିଙ୍କ ମଧ୍ୟରେ ଜାତୀୟ ଏକତା, ଦେଶପ୍ରେମ, ସାମ୍ବିଧାନିକ ମୂଲ୍ୟବୋଧ, ସାଂସ୍କୃତିକ ଆଦାନପ୍ରଦାନ ଓ ନେତୃତ୍ୱ ଦକ୍ଷତାର ବିକାଶ। ସମଗ୍ର ଦେଶରେ ଆୟୋଜିତ ହେଉଥିବା ୨୦ଟି ‘ବନ୍ଦେ ମାତରମ୍ ଶିବିର’ ମଧ୍ୟରୁ ସମ୍ବଲପୁର ଅନ୍ୟତମ ଆୟୋଜନସ୍ଥଳ ଭାବେ ସ୍ଥାନ ପାଇଛି।

 

ଶିବିରର ଅଂଶ ଭାବେ ଯୁବ ପ୍ରତିନିଧିମାନଙ୍କୁ ପଶ୍ଚିମ ଓଡ଼ିଶାର ଐତିହାସିକ, ସାଂସ୍କୃତିକ ଓ ପ୍ରାକୃତିକ ସମ୍ପଦ ସହ ପରିଚିତ କରାଇବା ପାଇଁ ବୀର ସୁରେନ୍ଦ୍ର ସାଏ ସଂଗ୍ରହାଳୟ, ହୀରାକୁଦ ଜଳଭଣ୍ଡାର, ଦେବ୍ରିଗଡ଼ ଅଭୟାରଣ୍ୟ, ମା’ ସମଲେଶ୍ୱରୀ ମନ୍ଦିର, ଘଣ୍ଟେଶ୍ୱରୀ ମନ୍ଦିର ଓ କର୍ଡୋଲା ଗ୍ରାମ ପରିଦର୍ଶନର ବ୍ୟବସ୍ଥା ରହିଛି। କର୍ଡୋଲା ଗ୍ରାମରେ ପ୍ରତିନିଧିମାନେ ସମ୍ବଲପୁରୀ ଶାଢ଼ି ବୁଣା ପ୍ରକ୍ରିୟା, ସ୍ଥାନୀୟ କାରିଗରଙ୍କ ଦକ୍ଷତା ଓ ପାରମ୍ପରିକ ଜୀବିକା ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ।

You may have missed