ନିଆରା ଢଙ୍ଗରେ ଦୀପାବଳି ପାଳିଲା ସ୍ୱାଭିମାନ
ସମ୍ବଲପୁର: ସେବା ଓ ମାନବିକତାର ବାର୍ତ୍ତା ନେଇ ଚଳିତ ବର୍ଷ ମଧ୍ୟ ନିଆରା ଢଙ୍ଗରେ ଦୀପାବଳି ପାଳନ କରିଛି ସମ୍ବଲପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱାଭିମାନ’। ଦୀର୍ଘ ୯ ବର୍ଷ ଧରି ଅନୁଷ୍ଠାନ ପକ୍ଷରୁ ଜାରି ରହିଥିବା ‘ବାଣ ନୁହେଁ, ଆସ ଆମେ ହସ ଫୁଟାଇବା’ କାର୍ଯ୍ୟକ୍ରମ ଅଧୀନରେ ହୀରାକୁଦର ଲରପଙ୍କସ୍ଥିତ ପିଲା କଳ୍ପତରୁ ସେବାଶ୍ରମରେ ଏହି ମହତ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଲୋକର ପର୍ବ ଦୀପାବଳିକୁ ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇ ପାଳନ କରିବା ଉଦ୍ଦେଶ୍ୟରେ ସେବାଶ୍ରମର ଅନ୍ତେବାସୀ ଶିଶୁମାନଙ୍କୁ ନୂତନ ବସ୍ତ୍ର, ପାଠ୍ୟ ଉପକରଣ ଓ ଖାଦ୍ୟ ବଣ୍ଟନ, ଖେଳ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସନ୍ଦୀପ ପଟ୍ଟନାୟକ ଏବଂ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରାଜାରାମ ପାଢ଼ୀ ଯୋଗଦେଇଥିଲେ।
ସ୍ୱାଭିମାନ, ସମ୍ବଲପୁରର ସମ୍ପାଦକ ଶିଶିର ବହିଦାରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁନ୍ଦନ ପ୍ରଧାନ, ଦେବନ୍ତ ବେହେରା, ସମୀର ହୋତା, ସଞ୍ଜୀବ କଂସାରୀ, ସତ୍ୟବାନ ବାଗ, ପଠାନ ରାଉତ, ବର୍ଷା ମୁଣ୍ଡା, ଶୁଭକେଶ ପ୍ରଧାନ, ସୁଧାର ବେହେରା, ବାବୁଲୁ ଷଣ୍ଢ, ଯାମିନୀ ବହିଦାର, ବିଶ୍ୱଜିତ୍ ପଟ୍ଟନାୟକ, ଶ୍ରୀମାଂଶୁ ରାଉତ, ଜଗଦୀଶ ପଟେଲ, ଚିନ୍ମୟ ଦାସ, କଲ୍ୟାଣୀ ବାରିକଙ୍କ ସମେତ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠାନ ପକ୍ଷରୁ ଦୀପାବଳିର ପ୍ରକୃତ ଖୁସି ହେଉଛି ଅନ୍ୟର ମୁହଁରେ ହସ ଫୁଟାଇବା ବାର୍ତ୍ତା ଦିଆଯାଇଥିଲା।
