ଧନୁଯାତ୍ରା: କଂସ ଚୟନ ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ୬୦ ବର୍ଷ ବୟସ ସୀମା ହଟିଲା
ବରଗଡ଼ ତା ୭/୧୧(ସୁରେନ୍ଦ୍ର କଠର)
ବରଗଡ଼: ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ କଂସ ଚରିତ୍ର ପାଇଁ କଳାକାର ଚୟନକୁ ନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱ ଓ ବିବାଦର ଅନ୍ତ ଘଟିଛି। ପଶ୍ଚିମ ଓଡ଼ିଶା କଳାକାର ସଂଘର ଦାବିକୁ ଗ୍ରହଣ କରି କଂସ ଭୂମିକା ପାଇଁ ପୂର୍ବରୁ ରହିଥିବା ୬୦ ବର୍ଷ ବୟସ ସୀମାକୁ ସମ୍ପୂର୍ଣ୍ଣ କୋହଳ କରାଯାଇଛି।
କଳାକାର ସୁଶୀଲ ମେହେରଙ୍କ ଅବ୍ୟାହତି ଏବଂ ପରବର୍ତ୍ତୀ ଚୟନ ବିଜ୍ଞପ୍ତିକୁ ନେଇ ଧନୁଯାତ୍ରା ମହୋତ୍ସବ ସମିତି ସମ୍ପାଦକ ସୁରେଶ୍ୱର ଶତପଥୀ ସ୍ପଷ୍ଟୀକରଣ ରଖିଛନ୍ତି। ସୁଶୀଲ ମେହେର ନିଜ ତରଫରୁ ଅବ୍ୟାହତି ପତ୍ର ଦେଇଥିବାରୁ ମହୋତ୍ସବ ସମିତି ତାହାକୁ ସମ୍ମାନର ସହ ଗ୍ରହଣ କରିଛି। ଏହାପରେ ଆଗାମୀ ଦୁଇବର୍ଷ ପାଇଁ ଚୟନ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ଦୁଇବର୍ଷ ପରେ ଧନୁଯାତ୍ରାର ସମସ୍ତ ଚରିତ୍ର ପାଇଁ ଏକ ମେଗା ଚୟନ ପ୍ରକ୍ରିୟା ଆୟୋଜନ କରାଯିବ ବୋଲି ସମିତି ପକ୍ଷରୁ ସୂଚନା ମିଳିଛି।
କେବଳ ପଶ୍ଚିମ ଓଡ଼ିଶା ନୁହେଁ, ରାଜ୍ୟର କୋଣ ଅନୁକୋଣରେ ଥିବା କଳାକାର ଓ ଦର୍ଶକଙ୍କ ସ୍ୱାର୍ଥ ଓ ଭାବନାକୁ ଧନୁଯାତ୍ରା ମହୋତ୍ସବ ସମିତି ସବୁବେଳେ ସମ୍ମାନ ଦେଇଆସିଛି ବୋଲି ସମ୍ପାଦକ ଶ୍ରୀ ଶତପଥୀ କହିଛନ୍ତି।
ଏହି ସ୍ପଷ୍ଟୀକରଣ ପରେ କଂସ କଳାକାର ଚୟନକୁ ନେଇ ଲାଗିରହିଥିବା ବିବାଦର ଅବସାନ ଘଟିଛି।
