August 8, 2026

ଗଜପତି ଜିଲ୍ଲାରେ ବର୍ଷା ଅଭାବରୁ ଚାଷୀ ହତାଶ; ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କଲେ ବିଧାୟକ ରୂପେଶ ପାଣିଗ୍ରାହୀ

IMG-20260806-WA0048
Share

 

ପାରଳାଖେମୁଣ୍ଡି: ଚଳିତ ଖରିଫ ଋତୁରେ ଗଜପତି ଜିଲ୍ଲାରେ ପର୍ଯ୍ୟାପ୍ତ ବର୍ଷା ନ ହେବାରୁ କୃଷି କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବିଭିନ୍ନ ଅଞ୍ଚଳର ଚାଷ ଜମି ଶୁଖିଲା ପଡ଼ିଥିବା ବେଳେ ଚାଷୀମାନେ ଧାନ ଚାଷ ଆରମ୍ଭ କରିପାରୁ ନଥିବାରୁ ଗଭୀର ଚିନ୍ତା ଓ ହତାଶାରେ ରହିଛନ୍ତି। ବିଶେଷ କରି କାଶୀନଗର ବ୍ଲକ ଅନ୍ତର୍ଗତ ଖୁରିଗାଁ ଅଞ୍ଚଳରେ ବର୍ଷା ଅଭାବ ଯୋଗୁଁ କୃଷକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଗତକାଲି ଖୁରିଗାଁର ଚାଷୀ ପ୍ରତିନିଧିମାନେ ବିଧାୟକ ରୂପେଶ ପାଣିଗ୍ରାହୀଙ୍କୁ ସାକ୍ଷାତ କରି ଅଞ୍ଚଳର ବାସ୍ତବ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ଚାଷୀମାନଙ୍କ ସମସ୍ୟାକୁ ଗୁରୁତ୍ୱର ସହ ଗ୍ରହଣ କରି ବିଧାୟକ ତୁରନ୍ତ ଜଳସେଚନ, କୃଷି ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କ ସହ ବୈଠକ କରିଥିଲେ। ବୈଠକରେ ବର୍ଷା ଅଭାବରୁ ସୃଷ୍ଟି ହୋଇଥିବା କୃଷି ସଙ୍କଟ, ଫସଲ କ୍ଷତି ଏବଂ ଚାଷୀମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ ପାଇଁ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

ବିଧାୟକ ରୂପେଶ ପାଣିଗ୍ରାହୀ କହିଛନ୍ତି ଯେ, ଗଜପତି ଜିଲ୍ଲାର ଚାଷୀମାନଙ୍କ ସମସ୍ୟାକୁ ସରକାରଙ୍କ ଦୃଷ୍ଟିକୁ ଆଣିବା ସହ ଆଗାମୀ ବିଧାନସଭା ଅଧିବେଶନରେ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ଉଠାଇବେ। ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ଆର୍ଥିକ ସହାୟତା, ଫସଲ କ୍ଷତିପୂରଣ ଓ ଜଳସେଚନ ବ୍ୟବସ୍ଥାର ଉନ୍ନତି ପାଇଁ ସେ ଦାବି କରିବେ ବୋଲି କହିଛନ୍ତି।

ଚାଷୀମାନଙ୍କ କହିବା ଅନୁସାରେ, ବର୍ଷା ହେଲେ ମଧ୍ୟ ବର୍ଷାଜଳ ସଂରକ୍ଷଣ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବାରୁ ପାଣି ଶୀଘ୍ର ବାହାରି ଯାଉଛି। ଫଳରେ ଜମିରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆର୍ଦ୍ରତା ରହୁନାହିଁ ଏବଂ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଅଞ୍ଚଳରେ ଚେକ୍ ଡ୍ୟାମ, ଜଳାଶୟ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରାଗଲେ ଚାଷୀମାନେ ବହୁତ ଉପକୃତ ହେବେ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।

ଚାଷୀମାନେ ତାଙ୍କ ସମସ୍ୟାକୁ ତୁରନ୍ତ ଗୁରୁତ୍ୱ ଦେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିବାରୁ ବିଧାୟକ ରୂପେଶ ପାଣିଗ୍ରାହୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେମାନେ ଆଶା ପ୍ରକାଶ କରିଛନ୍ତି ଯେ, ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରି ଚାଷୀମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବା ସହ ସ୍ଥାୟୀ ଜଳସେଚନ ବ୍ୟବସ୍ଥା କଲେ ଗଜପତି ଜିଲ୍ଲାର କୃଷି ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିବ।

You may have missed