October 6, 2026

‘ସ୍ୱଚ୍ଛତା’କୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ ‘ସେବା ସଂକଳ୍ପ ଅଭିଯାନ’ରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଡିଓ ବାର୍ତ୍ତା

IMG-20261005-WA0029
Share

 

 

ସମ୍ବଲପୁର, ୬/୧୦: ‘ସେବା ସଂକଳ୍ପ ଅଭିଯାନ’ ଅବସରରେ ଆସନ୍ତା ଅକ୍ଟୋବର ୧୦ ତାରିଖ ସକାଳେ ସମ୍ବଲପୁର ଜିଲ୍ଲାବ୍ୟାପୀ ଆୟୋଜିତ ହେବାକୁ ଥିବା ସ୍ୱଚ୍ଛତା ଅଭିଯାନରେ ସମସ୍ତେ ସାମିଲ ହେବାକୁ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓ ବାର୍ତ୍ତାରେ ଆହ୍ୱାନ ଦେଇଛନ୍ତି।

 

ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ସ୍ୱଚ୍ଛତା ଏବଂ ପବିତ୍ରତାକୁ ସର୍ବଦା ଗୁରୁତ୍ୱ ଦିଆଯାଇଛି। ‘ଲକ୍ଷ୍ମୀ ପୁରାଣ’ରେ ମଧ୍ୟ ସ୍ୱଚ୍ଛତା ସହ ମା’ ଲକ୍ଷ୍ମୀଙ୍କ ବାସର ସମ୍ପର୍କକୁ ଉଲ୍ଲେଖ କରାଯାଇଛି। ପର୍ବପର୍ବାଣୀରେ ପୂଜା ପୂର୍ବରୁ ଘର ଓ ପରିବେଶ ସଫା କରିବା ଆମର ପରମ୍ପରା। ତେଣୁ ସ୍ୱଚ୍ଛତା କେବଳ ଏକ କାର୍ଯ୍ୟ ନୁହେଁ, ଏହା ଆମ ଜୀବନଶୈଳୀ ଓ ସାମାଜିକ ଦାୟିତ୍ୱ ବୋଲି ସେ କହିଛନ୍ତି।

 

ସେହିପରି ମହାତ୍ମା ଗାନ୍ଧୀ ସ୍ୱଚ୍ଛତାକୁ ସୁସ୍ଥ ସମାଜ ଓ ଉତ୍ତମ ଜୀବନର ଆଧାର ଭାବେ ଦେଖୁଥିଲେ। ନିଜେ ସଫେଇ କାର୍ଯ୍ୟରେ ସାମିଲ ହୋଇ ସେ ଦେଶବାସୀଙ୍କୁ ସ୍ୱଚ୍ଛତାର ଆଦର୍ଶ ଦେଖାଇଥିଲେ। ଦେଶର ପ୍ରଧାନମନ୍ତ୍ରୀଙ୍କ ‘ସ୍ୱଚ୍ଛତା ହିଁ ସେବା’ ବାର୍ତ୍ତାକୁ ଉଲ୍ଲେଖ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ପରିବେଶକୁ ସ୍ୱଚ୍ଛ ରଖିବା ଅର୍ଥ ସମାଜ, ଦେଶ ଓ ଆଗାମୀ ପିଢ଼ିର ସେବା କରିବା।

 

ସମ୍ବଲପୁର ମା’ ସମଲେଶ୍ୱରୀଙ୍କ ପବିତ୍ର କ୍ଷେତ୍ର, ବୀର ସୁରେନ୍ଦ୍ର ସାଏଙ୍କ ମାଟି ଏବଂ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ସାଧନାପୀଠ। ଏହି ଐତିହ୍ୟସମ୍ପନ୍ନ ମାଟିକୁ ସ୍ୱଚ୍ଛ, ସୁନ୍ଦର, ଆବର୍ଜନାମୁକ୍ତ ଓ ସୁସ୍ଥ ରଖିବା ସମସ୍ତଙ୍କ ଦାୟିତ୍ୱ ବୋଲି ସେ ମତ ଦେଇଛନ୍ତି।

 

ଅକ୍ଟୋବର ୧୦ର ସ୍ୱଚ୍ଛତା ଅଭିଯାନରେ ସମ୍ବଲପୁରର ପ୍ରତ୍ୟେକ ନାଗରିକ, ଯୁବବର୍ଗ, ମା’ ଓ ଭଉଣୀ, ଜନପ୍ରତିନିଧି ଏବଂ ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ ନିଜ ଗାଁ, ପଡ଼ା, ୱାର୍ଡ ଓ ସାଧାରଣ ସ୍ଥାନର ସଫେଇ କାର୍ଯ୍ୟରେ ସାମିଲ ହେବାକୁ ସାଂସଦ ନିବେଦନ କରିଛନ୍ତି। ସମସ୍ତଙ୍କ ସହଯୋଗରେ ସ୍ୱଚ୍ଛତାକୁ ଏକ ଜନଆନ୍ଦୋଳନରେ ପରିଣତ କରି ସମ୍ବଲପୁରକୁ ସ୍ୱଚ୍ଛ, ସୁନ୍ଦର ଓ ସୁସ୍ଥ ଜିଲ୍ଲା ଭାବେ ଗଢ଼ିବାକୁ ସେ ଆହ୍ୱାନ ଦେଇଛନ୍ତି।

You may have missed