August 5, 2026

ରାଜ୍ୟରେ ଘରୋଇ ନୁ୍ୟକ୍ଲିୟର ପାୱାର ପ୍ଲାଣ୍ଟ ସ୍ଥାପନ ପ୍ରସ୍ତାବ ପ୍ରସଙ୍ଗ

IMG-20260805-WA0052
Share

 

 

ଓଡ଼ିଶାବାସୀଙ୍କ ଜୀବନ ସହ ଖେଳିବାକୁ ଚେଷ୍ଟା କରୁଛନ୍ତି ଡବଲ ଇଞ୍ଜିନ ସରକାର: ବିଜେଡି

 

ଲୋକଙ୍କ ସରକାର ବୋଲାଉଥିବା ବିଜେପି ରାଜ୍ୟବାସୀଙ୍କ ପାଇଁ କାଳ ସାଜିଛି

 

ଭୁବନେଶ୍ୱର ( ଦେବାଶିଷ ଦାଶ )

 

ନୁ୍ୟକ୍ଲିୟର ପାୱାର ପ୍ଲାଣ୍ଟ ସ୍ଥାପନ ହେଲେ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ବିପଦ

 

ଡବଲ ଇଞ୍ଜିନ ସରକାର ଏବେ ଘରୋଇ କମ୍ପାନୀ ମୋହରେ ପଡିଛନ୍ତି

 

ରାଜ୍ୟରେ ଏକ ଘରୋଇ କମ୍ପାନୀ ପକ୍ଷରୁ ନୁ୍ୟକ୍ଲିୟର ପାୱାର ପ୍ଲାଣ୍ଟ ସ୍ଥାପନ ନିମନ୍ତେ ପ୍ରସ୍ତାବ ହୋଇଛି । କମ୍ପାନୀ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଭେଟି ଆଲୋଚନା କରାଯାଇଛି । ନୁ୍ୟକ୍ଲିୟର ପାୱାର ପ୍ଲାଣ୍ଟ ସ୍ଥାପନ ନିମନ୍ତେ ଯୋଜନା ଥିବାବେଳେ ନୁ୍ୟକ୍ଲିୟର ଏନର୍ଜିକୁ ଘରୋଇକରଣ କରିବାକୁ ବିଜେପି ସରକାର ଯୋଜନା କରିଛନ୍ତି । ଏହାକୁ ବିରୋଧ କରି ରାଜ୍ୟ ସରକାରଙ୍କୁ ଘେରିଛି ବିଜେଡି ।ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ ଯେ, ଓଡ଼ିଶାରେ ନୁ୍ୟକ୍ଲିୟର ପ୍ଲାଣ୍ଟ ସ୍ଥାପନ ହେବା ଦ୍ୱାରା ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା କ୍ଷେତ୍ରରେ ବିପଦ ସୃଷ୍ଟି ହେବ । ଡବଲ ଇଞ୍ଜିନ ସରକାର ଘରୋଇ କମ୍ପାନୀ ମୋହରେ ପଡ଼ି ରାଜ୍ୟବାସୀଙ୍କ ସୁରକ୍ଷାକୁ ନେଇ ଆଖି ବୁଜିଦେଇଛନ୍ତି । ଉକ୍ତ ଘରୋଇ କମ୍ପାନୀ ଓଡ଼ିଶାରେ ପ୍ରାୟ ୩୦୦୦ ମେଗାୱାଟ ନୁ୍ୟକ୍ଲିୟର ପାୱାର ପ୍ଲାଣ୍ଟ ସ୍ଥାପନ କରିବା ନେଇ ପ୍ରସ୍ତାବ ରହିଛି । ନୁ୍ୟକ୍ଲିୟର କିମ୍ବା ଏଟୋମିକ୍ ଏନର୍ଜି କଥା ଉଠିଲେ ମନରେ ଭୟ ସୃଷ୍ଟି ହୁଏ । ୧୯୪୫ ମସିହାରେ ନୁ୍ୟକ୍ଲିୟର ବିସ୍ଫୋରଣ ଯୋଗୁଁ ଜାପାନର ହିରୋସୀମା ଓ ନାଗାସାକି ସହର ଧ୍ୱଂସ ସ୍ତୁପରେ ପରିଣତ ହୋଇଥିଲା । ୧୯୮୬ରେ ଚେନୋବିଲ ନୁ୍ୟକ୍ଲିର ପାୱାର ପ୍ଲାଣ୍ଟରେ ବିସ୍ଫୋରଣ ଘଟିଥିବା ବେଳେ ୨୦୧୧ରେ ଫୁକୁସୀମା ନୁ୍ୟକ୍ଲିର ପାୱାର ପ୍ଲାଣ୍ଟରେ ବିସ୍ଫୋରଣ ଘଟିଥିଲା । ଏହି ନୁ୍ୟକ୍ଲିୟର ବିସ୍ଫୋରଣରେ ହୋଇଥିବା କ୍ଷୟକ୍ଷତିକୁ ସ୍ଥାନୀୟ ସରକାର ଆଜି ପର୍ଯ୍ୟନ୍ତ ଭରଣା କରିପାରି ନାହାନ୍ତି ।

ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ ଯେ, ନୁ୍ୟକ୍ଲିୟର ଏନର୍ଜି ବିପଦପୂର୍ଣ୍ଣ ହୋଇଥିବାରୁ ଲୋକଙ୍କ ଜୀବନ ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ୟ ଦେଶମାନଙ୍କରେ ନୁ୍ୟକ୍ଲିୟର ଏନର୍ଜିକୁ ସରକାର ନିଜ ମାଲିକାନାରେ ରଖିଥାନ୍ତି, କୌଣସି ଘରୋଇ ସଂସ୍ଥାକୁ ମାଲିକାନା ପ୍ରଦାନ କରନ୍ତି ନାହିଁ। କିନ୍ତୁ ବିଜେପି ସରକାରରେ ତାହାର ବିଚୁ୍ୟତି ଘଟି ନୁ୍ୟକ୍ଲିୟର ଏନର୍ଜିକୁ ଘରୋଇ କମ୍ପାନୀର ମାଲିକାନାକୁ ହସ୍ତାନ୍ତର କରାଯାଉଛି । ବିଜେପି ସରକାର ନିଜ ସ୍ୱାର୍ଥ ପାଇଁ ଓଡ଼ିଶାବାସୀଙ୍କ ଜୀବନ ପ୍ରତି ତିଳେ ମାତ୍ର ଭୃକ୍ଷେପ କରୁନାହିଁ । ଚେନୋବିଲରେ ନୁ୍ୟକ୍ଲିୟର ଏନର୍ଜିର ରିଆକ୍ଟର ଅଘଟଣକୁ ୫୦ ବର୍ଷ ପୂରି ଯାଇଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ତାହାର କ୍ଷୟକ୍ଷତିର ଭରଣା ହୋଇପାରି ନାହିଁ । ତେବେ ଓଡ଼ିଶାକୁ ବିପଦ ମୁଁହକୁ ଠେଲି ଦେବାକୁ ବିଜେପି ସରକାର କାହିଁକି ଯୋଜନା କରୁଛନ୍ତି ? ବିଜେପି ସରକାର ଘରୋଇ କମ୍ପାନୀ ମୋହରେ ପଡି ନୁ୍ୟକ୍ଲିୟର ଏନର୍ଜି ପ୍ଲାଣ୍ଟ ସ୍ଥାପନା ନେଇ ଥିବା ନିୟମକୁ ପରିବର୍ତ୍ତନ କରିଛନ୍ତି । ଗତ ଡିସେମ୍ୱର ୨୦୨୫ରେ କେନ୍ଦ୍ର ସରକାର ନୁ୍ୟକ୍ଲିୟର ଏନର୍ଜିକୁ ଘରୋଇ କମ୍ପାନୀ ହାତକୁ ଟେକି ଦେବାକୁ ଯୋଜନା କରି ନୂତନ ନିୟମ ସଂସଦରେ ପାସ୍ କରିଥିଲେ, ଯାହାକୁ ନେଇ ଘରୋଇ କମ୍ପାନୀ ଗୁଡିକ ଓଡ଼ିଶା ମୁହାଁ ହେଉଛନ୍ତି । ଦେଶରେ ୮.୮ ଗିଗାୱାଟ୍ର ନୁ୍ୟକ୍ଲିୟର ଏନର୍ଜି ସରକାରଙ୍କ ମାଲିକାନାରେ ରହିଛି । ତାହାକୁ ୧୦୦ ଗିଗାୱାଟ୍ କରି ଘରୋଇ ସଂସ୍ଥାକୁ ମାଲିକାନା ପ୍ରଦାନ କରାଇବା ଅତ୍ୟନ୍ତ ବିପଦ ।

ଡ଼ ସାମନ୍ତସିଂହାର ଆହୁରି କହିଥିଲେ ଯେ, ଜାତୀୟ ସୁରକ୍ଷାକୁ କେବେ କୌଣସି ଘରୋଇ ସଂସ୍ଥାକୁ ଦିଆଯାଏ

ନାହିଁ । କିନ୍ତୁ ବିଜେପି ସରକାର ଚକ୍ରାନ୍ତ କରି ନୁ୍ୟକ୍ଲିୟର ଏନର୍ଜି ପରି ଜାତୀୟ ସୁରକ୍ଷାକୁ ଘରୋଇକରଣ କରାଇବାକୁ ପ୍ରୟାସ କରୁଛନ୍ତି । ସଂସଦରେ ପ୍ରବଳ ବିରୋଧ ସତ୍ତ୍ୱେ ତରବରିଆ ଭାବେ ସରକାର ନୁ୍ୟକ୍ଲିୟର ଏନର୍ଜି ବିଲ୍ ଆଗତ କରି ଘରୋଇ ସଂସ୍ଥାକୁ ମାଲିକାନା ଟେକି ଦେବାକୁ ଯୋଜନା କରିଛନ୍ତି । ଓଡ଼ିଶାରେ ବିଜେପି ସରକାର ଗଠନ ହେବା ପରେ କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶରେ ରାଜ୍ୟ ସରକାର ଚାଲୁଛନ୍ତି । କେନ୍ଦ୍ରର ବିନା ନିଦେ୍ର୍ଦଶରେ କୌଣସି ନିଷ୍ପତ୍ତି ନେଇପାରୁ ନାହାନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶରେ ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ନୁ୍ୟକ୍ଲିୟର ଏନର୍ଜି ପ୍ଲାଣ୍ଟ ସ୍ଥାପନ ନେଇ ରାଜ୍ୟ ସରକାର ଲାଗି ପଡିଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନେ ନୁ୍ୟକ୍ଲିୟର ଏନର୍ଜିର ଭୟାବହତା ସମ୍ପର୍କରେ ବୋଧେ ଅବଗତ ନାହାନ୍ତି ? ଲୋକଙ୍କ ସରକାର ବୋଲାଉଥିବା ବିଜେପି ଓଡ଼ିଶାବାସୀଙ୍କ ପାଇଁ କାଳ ସାଜିଛି । ଓଡ଼ିଶାରେ ନୁ୍ୟକ୍ଲିୟର ଏନର୍ଜି ପ୍ଲାଣ୍ଟ ସ୍ଥାପନ କରିବା ଓ ତାହାକୁ ଘରୋଇକରଣ କାହିଁକି କରାଯାଉଛି, ତାହାର ଉତ୍ତର ମନ୍ତ୍ରୀ ରଖନ୍ତୁ । ନୁ୍ୟକ୍ଲିୟର ଏନର୍ଜି ପ୍ଲାଣ୍ଟ ସ୍ଥାପନା କରି ଓଡ଼ିଶାବାସୀଙ୍କୁ ମୃତୁ୍ୟମୁଖରେ ପକାଇବାରୁ କ୍ଷାନ୍ତ ରୁହନ୍ତୁ ରାଜ୍ୟ ବିଜେପି ସରକାର । ନଚେତ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ।