July 6, 2026

କୋରାପୁଟ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ଅନ୍ତର୍ଗତ ଚିଠା ଭୋଟର ତାଲିକା ପ୍ରକାଶିତ

IMG-20260705-WA0060
Share

 

କୋରାପୁଟ, ଜୁଲାଇ ୫, ୨୦୨୬: ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision–SIR), ୨୦୨୬ ଅନ୍ତର୍ଗତ ଚିଠା ଭୋଟର ତାଲିକା ଆଜି, ୫ ଜୁଲାଇ ୨୦୨୬ ତାରିଖରେ କୋରାପୁଟ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ ଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ପ୍ରକାଶ କରାଯାଇଛି। ଏହି ଅବସରରେ କୋରାପୁଟ ବିଧାନସଭା କ୍ଷେତ୍ରର ମାନ୍ୟବର ବିଧାୟକ, ବିଭିନ୍ନ ରାଜନୈତିକ ଦଳର ଅଧିକୃତ ପ୍ରତିନିଧି ଭାବେ ପୂର୍ବତନ ସାଂସଦ ଓ ପୂର୍ବତନ ବିଧାୟକମାନେ, ସ୍ୱୀକୃତିପ୍ରାପ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ରାଜନୈତିକ ଦଳର ଜିଲ୍ଲା ସଭାପତି ଓ ସମ୍ପାଦକ କିମ୍ବା ସେମାନଙ୍କ ପ୍ରତିନିଧି, ଜିଲ୍ଲାର ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO), ଉପଜିଲ୍ଲାପାଳ (ନିର୍ବାଚନ) ପ୍ରମୁଖ ଉପସ୍ଥିତ ଥିଲେ।

 

୧ ଜୁଲାଇ ୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଗ୍ରହଣ କରି ପ୍ରକାଶିତ ଏହି ଚିଠା ଭୋଟର ତାଲିକା, ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସ୍ୱଚ୍ଛ, ସଠିକ୍ ଓ ଅନ୍ତର୍ଭୁକ୍ତିମୂଳକ ଭୋଟର ତାଲିକା ପ୍ରସ୍ତୁତି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ବୁଥ୍ ସ୍ତରୀୟ ଅଧିକାରୀ (BLO)ମାନଙ୍କ ଦ୍ୱାରା ଘରକୁ ଘର ଯାଇ ଯାଞ୍ଚ କରାଯାଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ବୁଥ୍ ସ୍ତରୀୟ ଏଜେଣ୍ଟ (BLA)ମାନେ ସକ୍ରିୟ ସହଯୋଗ କରିଥିଲେ।

 

ପ୍ରକାଶିତ ଚିଠା ଭୋଟର ତାଲିକା ବର୍ତ୍ତମାନ ସାଧାରଣ ଲୋକଙ୍କ ଅବଲୋକନ ପାଇଁ ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO), ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO), ସମସ୍ତ ମତଦାନ କେନ୍ଦ୍ରରେ ଉପଲବ୍ଧ ଥିବା ସହ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ୱେବସାଇଟ୍‌ରେ ମଧ୍ୟ ଉପଲବ୍ଧ ରହିଛି।

 

ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ ଯେ, ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ଜିଲ୍ଲାର ମୋଟ ୯,୬୬,୪୨୪ ଜଣ ଭୋଟରଙ୍କ ମଧ୍ୟରୁ ଯାଞ୍ଚ ପରେ ୬୨,୨୯୦ ଜଣଙ୍କ ନାମ ବାଦ ଦିଆଯାଇଛି। ଅନୁପସ୍ଥିତ (Absent), ସ୍ଥାନାନ୍ତରିତ (Shifted), ଦ୍ୱୈତ ନାମ (Duplicate) ଓ ମୃତ (Dead) ଆଦି କାରଣରୁ ଏହି ବିଲୋପ କରାଯାଇଛି। ଫଳସ୍ୱରୂପ କୋରାପୁଟ ଜିଲ୍ଲାର ପାଞ୍ଚଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରକାଶିତ ଚିଠା ଭୋଟର ତାଲିକାରେ ବର୍ତ୍ତମାନ ମୋଟ ୯,୦୪,୧୩୪ ଜଣ ଭୋଟର ଅନ୍ତର୍ଭୁକ୍ତ ଅଛନ୍ତି।

 

ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ୫ ଜୁଲାଇ ୨୦୨୬ରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଆବେଦନ ଗ୍ରହଣ କରାଯିବ। ଏହି ସମୟ ମଧ୍ୟରେ ଯୋଗ୍ୟ ନାଗରିକମାନେ ନିଜ ନାମ ସାମିଲ କରିବା, ସଂଶୋଧନ କରିବା କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ବିଲୋପ ପାଇଁ ଆପତ୍ତି ଦାଖଲ କରିପାରିବେ।

 

ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସମସ୍ତ ଭୋଟରଙ୍କୁ ଚିଠା ଭୋଟର ତାଲିକାରେ ନିଜର ନାମ ଓ ବିବରଣୀ ଯାଞ୍ଚ କରିବା ସହ ଦାବି ଓ ଆପତ୍ତି ପ୍ରକ୍ରିୟାରେ ସକ୍ରିୟ ଭାଗ ନେବାକୁ ଅନୁରୋଧ କରିଥିଲେ। ଦାବି ଓ ଆପତ୍ତି ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ବିଡିଓ/ତହସିଲଦାର/ସହରାଞ୍ଚଳ ସ୍ଥାନୀୟ ନିକାୟର କାର୍ଯ୍ୟନିର୍ବାହୀ ଅଧିକାରୀ) କିମ୍ବା ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO)ଙ୍କ ନିକଟରେ ଦାଖଲ କରାଯାଇପାରିବ।

 

୩୦ ମେ ୨୦୨୬ରୁ ୨୮ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଚାଲିଥିବା ଗୃହ ପରିଦର୍ଶନ ସମୟରେ କୌଣସି ଯୋଗ୍ୟ ଭୋଟରଙ୍କ ନାମ ଯଦି କୌଣସି କାରଣରୁ ସାମିଲ ହୋଇପାରିନଥାଏ, ସେମାନେ ଏହି ଦାବି ଓ ଆପତ୍ତି ଅବଧିରେ ନିଜ ନାମ ଅନ୍ତର୍ଭୁକ୍ତ କରାଇପାରିବେ।

 

ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପୁନର୍ବାର ସ୍ପଷ୍ଟ କରିଥିଲେ ଯେ “କୌଣସି ଯୋଗ୍ୟ ଭୋଟର ଯେପରି ବାଦ ନପଡ଼ନ୍ତି ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ଯେପରି ଭୋଟର ତାଲିକାରେ ସାମିଲ ନହୁଏ”, ସେଥିପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଏଥିସହ ଯଦି କୌଣସି ଆବେଦନକାରୀ ERO କିମ୍ବା AEROଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନୁହନ୍ତି, ତେବେ ପ୍ରଥମ ଅପିଲ୍ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଏବଂ ଦ୍ୱିତୀୟ ଅପିଲ୍ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିକଟରେ କରିପାରିବେ।

 

ସହାୟତା ପାଇଁ ସମ୍ପୃକ୍ତ ବୁଥ୍ ସ୍ତରୀୟ ଅଧିକାରୀ (BLO), ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO), ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) କିମ୍ବା ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ, କୋରାପୁଟ ସହ ଯୋଗାଯୋଗ କରାଯାଇପାରିବ। ଅଭିଯୋଗର ଶୀଘ୍ର ସମାଧାନ ପାଇଁ ସ୍ୱତନ୍ତ୍ର ସହାୟତା କେନ୍ଦ୍ର ମଧ୍ୟ ସ୍ଥାପନ କରାଯାଇଛି।

 

ଶେଷରେ ଉପଜିଲ୍ଲାପାଳ (ନିର୍ବାଚନ), କୋରାପୁଟ ଧନ୍ୟବାଦ ଅର୍ପଣ କରିବା ସହ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପ୍ରକ୍ରିୟାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ସମସ୍ତ ଅଂଶୀଦାରଙ୍କ ସହଯୋଗ କାମନା କରିଥିଲେ।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର.

You may have missed